ସୁମିରେ ଏବେ ବି ଫସି ରହିଛନ୍ତି ୭୦୦ ଭାରତୀୟ ଛାତ୍ର, ଗୋଳାବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ହୋଇପାରୁନି

ନୂଆଦିଲ୍ଲୀ: ୟୁକ୍ରେନ୍‌ର ସୁମିରେ ଏବେ ବି ୭୦୦ ଭାରତୀୟ ଛାତ୍ର ଫସି ରହିଛନ୍ତି। ଗତ ଶନିବାରଠାରୁ ସେମାନେ ଉଦ୍ଧାର ପାଇଁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ସେମାନଙ୍କୁ ଉଦ୍ଧାର କରାଯାଇପାରୁନି। ବିଦେଶ ମନ୍ତ୍ରାଳୟ ମଧ୍ୟ କହିଛନ୍ତି, ସୁମିରୁ ଉଦ୍ଧାର କାର୍ଯ୍ୟ ମୁଖ୍ୟ ଚ୍ୟାଲେଞ୍ଜ। ସୁମିରେ ଗୋଳାବର୍ଷା ଏବଂ ହିଂସା ଜାରି ରହିଛି। ଗମନାଗମନର କୌଣସି ସୁବିଧା ନଥିବାରୁ ସୁମିରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି। ସୁମିରେ ଫସିଥିବା ଛାତ୍ରମାନେ ଗତ ଶନିବାର ଦିନ ଏକ ଭିଡିଓ ଜାରି କରି ସେମାନଙ୍କୁ ଉଦ୍ଧାର କରିବାପାଇଁ ଅନୁରୋଧ କରିଥିଲେ। ସେମାନେ ୫୦ କିମି ବାଟ ଚାଲିବାପାଇଁ ନି‌ଷ୍ପତ୍ତି ନେଇଥିବା କହିଥିଲେ। କିନ୍ତୁ ଭାରତ ସରକାର ସେମାନଙ୍କୁ କୌଣସି ବିପଦଜ୍ଜନକ ପଦକ୍ଷେପ ଗ୍ରହଣ କରିବା ପାଇଁ ମନା କରିଥିଲେ।

ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଥିଲେ, ସୁମିରୁ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଏନେଇ ରୁଷ୍‌ ଏବଂ ୟୁକ୍ରେନ୍‌ ଉପରେ ଚାପ ପକାଯାଉଛି। କିନ୍ତୁ ଭାରତୀୟ ଛାତ୍ରମାନେ କୌଣସି ବିପଜ୍ଜନକ ପଦକ୍ଷେପ ଗ୍ରହଣ ନକରି ସୁରକ୍ଷିତ ସ୍ଥାନରେ ରହିବାପାଇଁ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। ମନ୍ତ୍ରାଳୟ ନିର୍ଦ୍ଦେଶରେ ଛାତ୍ରମାନେ ଶନିବାରଠାରୁ ଅପେକ୍ଷା କରିଥିଲେ ସୁଦ୍ଧା ପ୍ରତିକୂଳ ପରିସ୍ଥିତି ଯୋଗୁଁ ସେମାନଙ୍କୁ ଉଦ୍ଧାର କରାଯାଇପାରିନି।

ସମ୍ବନ୍ଧିତ ଖବର