ଚୀନ୍ ମୁକାବିଲା ପାଇଁ ତିନି ଉପାୟ, ନିରୀକ୍ଷଣ, ସଂଚାର ଓ ଜନବସତି

ନୂଆଦିଲ୍ଲୀ: ବାହ୍ୟ ଶତ୍ରୁ କବଳରୁ ଦେଶର ସାର୍ବଭୌମତ୍ବକୁ ସୁରକ୍ଷିତ ରଖିବା ଲାଗି ସୀମାରେ ସୁରକ୍ଷା କର୍ମୀମାନଙ୍କ ନିୟୋଜନ ଅପରିହାର୍ଯ୍ୟ ନିଶ୍ଚୟ। ତେବେ ସଦ୍ୟ ପ୍ରମାଣିତ ଶତ୍ରୁ ଚୀନ୍ ଦ୍ବାରା ଭାରତର ଇଞ୍ଚେ ବି ଭୂଖଣ୍ଡ ଦଖଲକୁ ପ୍ରତିହତ କରିବା ଲାଗି ଆମକୁ ଆଉ ତିନିଟି ଉପାୟ ଅବଲମ୍ବନ କରିବାକୁ ହେବ। ସେଗୁଡ଼ିକ ହେଲା ନିରୀକ୍ଷଣ, ସଂଚାର ଏବଂ ଜନବସତି ସ୍ଥାପନ। ସାମ୍ପ୍ରତିକ ଦୃଶ୍ୟପଟରେ ଚୀନ୍ ଯେତେବେଳେ ଲଦାଖ ସୀମାକୁ ଧସେଇ ପଶି କିଛି ଅଞ୍ଚଳକୁ ନିଜର ବୋଲି ଦାବି କରିବା ଭଳି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି, ଏହାର ସମାଧାନ ପାଇଁ ଚୀନ୍ ସୀମାନ୍ତ ମୋଲଦୋ ଠାରେ ଉଭୟ ଦେଶର କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରହିଛି। ତେବେ ପୂର୍ବ ଲଦାଖରେ ସୀମା ସ୍ଥିତାବସ୍ଥାକୁ ଏକତରଫା ଭାବେ ଚୀନ୍ ବଦଳାଇବାକୁ କେନ୍ଦ୍ର କରି ଗଲଵାନ୍ ଉପତ୍ୟକାରେ ଗତ ୧୫ ତାରିଖ ରାତି ରକ୍ତାକ୍ତ ସଂଘର୍ଷରେ ଭାରତ ଯେପରି ଏହାର ୨୦ ଜଣ ସୈନିକଙ୍କୁ ହରାଇଲା, ତାହାକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତକୁ ଆହୁରି ସଜାଗ ଓ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ।

ବୈଷୟିକ ଜ୍ଞାନକୌଶଳର ସମୟୋଚିତ ସଦୁପଯୋଗ ହିଁ ଭାରତକୁ ଯୁଦ୍ଧକ୍ଷେତ୍ରରେ ଅଗ୍ରଣୀ କରିପାରିବ। ଇସ୍ରାଏଲୀ ସେନା ପରି ଭାରତ ମଧ୍ୟ ରାତ୍ରି ଦୃଷ୍ଟି କ୍ୟାମେରା ଦ୍ବାରା ପ୍ରତିପକ୍ଷର ଗତିବିଧିକୁ ନିରନ୍ତର ନିରୀକ୍ଷଣ କରିପାରିବ। ସେହିପରି ଅତ୍ୟାଧୁନିକ ଥର୍ମାଲ୍ ଇମେଜିଂ ଜ୍ଞାନକୌଶଳ, ଡିଟେକ୍ସନ୍‌ ରାଡାର, ମୋସନ୍‌ ସେନ୍ସର ଓ ସିସ୍ମିକ୍ ସେନ୍ସର ଦ୍ବାରା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଯେ କୌଣସି ପ୍ରକାର ଗତିବିଧିକୁ ମଧ୍ୟ ଠାବ କରିହେବ। ଏ ପ୍ରକାର ନିରୀକ୍ଷଣ ପ୍ରଣାଳୀ ଦ୍ବାରା ସୀମାରେ ହେଉଥିବା ଯେ କୌଣସି ଯୋଜନାବଦ୍ଧ ଅନୈତିକ କାର୍ଯ୍ୟକଳାପ ପ୍ରତି ଆମ ସୁରକ୍ଷା କର୍ମୀମାନେ ସଜାଗ ହୋଇପାରିବେ। ସେହିପରି ସୀମା ଲଢ଼େଇକୁ ଆହୁରି ଶାଣିତ କରିବା ପାଇଁ ଆମ ଯୋଗାଯୋଗ ବା ସଂଚାର ପ୍ରଣାଳୀରେ ଉନ୍ନତି ଆଣିବାକୁ ହେବ। ହିମାଳୟ ପରି ସମୁଦ୍ର ପତ୍ତନ ଠାରୁ ଅତ୍ୟୁଚ୍ଚ ସ୍ଥାନମାନଙ୍କରେ ଟେଲି ସଂଯୋଗ ମିଳିବାରେ ତଥାପି ଆମକୁ ଅସୁବିଧା ଭୋଗିବାକୁ ପଡୁଥିବା ବେଳେ ସେଠାରେ ୫ଜି ପରି ନେଟ୍‌ଵର୍କ ସ୍ଥାପନ ହିଁ ସମସ୍ୟାର ସମାଧାନ କରିପାରିବ। ଆବଶ୍ୟକ ବିମାନ କ୍ଷେତ୍ରର ପ୍ରସ୍ତୁତି ଓ ସୁପରିଚାଳନା ଦ୍ବାରା ସ୍ଥଳସେନା ପାଖରେ ଜରୁରୀକାଳୀନ ସମୟରେ ତତ୍କାଳ ଯୁଦ୍ଧ ବିମାନ ପହଞ୍ଚିପାରିବ। ଏଥି ସହିତ ତୃତୀୟ ଉପାୟଟି ହେଉଛି ଖାଲି ପଡ଼ିଥିବା ପରିତ୍ୟକ୍ତ ଇଲାକାମାନଙ୍କରେ ଜନବସତି ସ୍ଥାପନ କରି ସେଠାରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା। ଅତୀତର ଅନୁଶୀଳନରୁ ଦେଖାଯାଇଛି, ଶତ୍ରୁପକ୍ଷ ସାଧାରଣତଃ ପ୍ରତିପକ୍ଷର କୌଣସି ନିର୍ଜନ ପରିତ୍ୟକ୍ତ ଅଞ୍ଚଳକୁ ସହଜରେ ଅକ୍ତିଆର କରିଥାଏ। ସୁତରାଂ ଚୀନ୍‌ ସୀମାରେ ରହିଥିବା ଆମର ସଂପୃକ୍ତ ନିର୍ଜନ ଇଲାକାରେ ଆଶାନୁରୂପ ଜନବସତି ରହିଲେ ତାହାକୁ କବ୍‌ଜା କରିବାକୁ ଶତ୍ରୁକୁ ନୟାନ୍ତ ହେବାକୁ ପଡ଼ିବ। ଏଥି ସହିତ ସେଠାକୁ ବିଦେଶୀ ପର୍ଯ୍ୟଟକଙ୍କ ନିୟମିତ ଆତଯାତ ଲାଗିରହିଲେ, ତାହା ଭାରତର ସୀମା ଅନ୍ତର୍ଭୁକ୍ତ ବୋଲି ଅନ୍ତର୍ଜାୟୀୟ ସ୍ତରରେ ଏକ ଧାରଣା ଦୃଢ଼ୀଭୂତ ହେବ।

ସମ୍ବନ୍ଧିତ ଖବର