ଦେଶରେ ବ​ଳପୂର୍ବକ ଧର୍ମାନ୍ତରୀକରଣ ହୋଇପାରିବ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ବଳପୂର୍ବକ ଧର୍ମାନ୍ତରୀକରଣକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶରେ ଏହା ହୋଇପାରିବ ନାହିଁ ।

ଏହି ପ୍ରସଙ୍ଗରେ ଆଗତ ଏକ ଜନସ୍ବାର୍ଥ ମାମଲାରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଉପରେ ମତ ରଖି ଜଷ୍ଟିସ ଏମଆର ଶାହା ଏହା କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ।

ନିଜର ସତ୍ୟପାଠରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ ଦେଶରେ ସମ୍ବିଧାନ ପ୍ରଦତ୍ତ ଧର୍ମଗ୍ରହଣ କରିବାର ସ୍ବାଧୀନତାର ଅର୍ଥ ନୁହେଁ, ଯେ ଅନ୍ୟମାନଙ୍କୁ ବଳପୂର୍ବକ, ପ୍ରଲୋଭିତ କରି ନିଜ ଧର୍ମରେ ସାମିଲ କରିବା ।

କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ଚାଲିଥିବା ବଳପୂର୍ବକ ଧର୍ମାନ୍ତରୀକରଣକୁ ନେଇ ସରକାର ଅବତକ ଅଛନ୍ତି ଓ ଏହାକୁ ରୋକିବାକୁ ଓ ଗରିବ ଓ ମହିଳାମାନଙ୍କ ଅଧିକାରର ସୁରକ୍ଷା ପାଇଁ ଏକ ଆଇନର ଆବଶ୍ୟକତା ରହିଛି ।

ଏହି ମାମଲାର ପିଟିସନକାରୀ ଆଡଭୋକେଟ ଅଶ୍ବୀନି ଉପାଧ୍ୟାୟ ନିଜ ଆବେଦନରେ ଦର୍ଶାଇଥିଲେ ଯେ ଏହା ଏକ ନିର୍ଦିଷ୍ଟ ଅଂଚଳର ସମସ୍ୟା ନୁହେଁ, ବରଂ ସାରା ଦେଶର ସମସ୍ୟା । ଏଣୁ ସରକାର ଏହାକୁ ରୋକିବାକୁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରନ୍ତୁ ଅଥବା ଆଇପିସିରେ ଏକ ଧାରା ଯୋଗ କରନ୍ତୁ ।

ଏହି ମାମଲାର ବିଚାର କରି ନିଜର ପକ୍ଷ ରଖିବାକୁ ସୁପ୍ରିମକୋର୍ଟ ଗତ ୧୪ ତାରିଖରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ ।

 

ସମ୍ବନ୍ଧିତ ଖବର