ଗର୍ଭିଣୀ ହାତୀ ହତ୍ୟା ନେଇ ତୀବ୍ର ପ୍ରତିକ୍ରିୟା: ତଦନ୍ତ ତ୍ବରାନ୍ବିତ, ଜଣଙ୍କୁ ଅଟକ ରଖି ଜେରା ଆରମ୍ଭ

ରାଜ୍ୟ ସରକାରଙ୍କ ରିପୋର୍ଟ ମାଗିଲେ କେନ୍ଦ୍ର ପରିବେଶ ମନ୍ତ୍ରୀ, କେରଳ ସରକାରଙ୍କ ଉପରେ ବର୍ଷିଲେ ମେନକା, ରାହୁଲଙ୍କ ନିରବତା ନେଇ ପ୍ରଶ୍ନ
ତିରୁଅନନ୍ତପୁରମ୍‌: ଏକ ଗର୍ଭିଣୀ ହାତୀକୁ ସପୁରିରେ ବାଣ ଦେଇ ହତ୍ୟା କରିବା ଘଟଣା ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଏଭଳି ବର୍ବରତାକୁ ‌ବିଭିନ୍ନ ମହଲ ଜୋର୍‌ଦାର ବିରୋଧ କରିଛନ୍ତି। ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ଜଙ୍ଗଲ ବିଭାଗ ତିନି ଜଣ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଛି। ପଲାକ୍କଡ଼ ଜିଲ୍ଲାର ମନ୍ନରକଡ଼ ଜଙ୍ଗଲ ଅଞ୍ଚଳରେ ଘଟିଥିବା ଏହି ଜଘନ୍ୟ କାଣ୍ଡ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଛି। ମନ୍ନରକଡ଼ ବନ ବିଭାଗର ଏକ ଟିମ୍‌ ଉକ୍ତ ଘଟଣାରେ ତଦନ୍ତ ପାଇଁ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଜେରା ଆରମ୍ଭ କରିଛନ୍ତି। ଏହି ବ୍ୟକ୍ତିର ପରିଚୟ ପ୍ରଘଟ କରାଯାଇନି। ଅନ୍ୟପକ୍ଷେ ପୁଲିସ ମଧ୍ୟ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି। ‌ତେବେ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଉକ୍ତ ମାମଲାକୁ ଅତି ଗମ୍ଭୀରତାର ସହ ନିଆଯାଇଛି ଏବଂ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଉକ୍ତ ଘଟଣାରେ ରାଜ୍ୟ ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଜାଭଡ଼େକର କହିଛନ୍ତି, ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟପକ୍ଷେ ଦୋଷୀ ସର୍ମ୍ପକରେ ସୂଚନା ଦେଲେ ପୁରସ୍କାର ରାଶି ମିଳିବ ବୋଲି ଦୁଇଟି ଅନୁଷ୍ଠାନ ଘୋଷଣା କରିଛନ୍ତି। ଏଚ୍‌ଏସ୍‌ଆଇ (ହ୍ୟୁମାନ୍‌ ସୋସାଇଟି ଇଣ୍ଟରନ୍ୟାସନାଲ୍‌ ଇଣ୍ଡିଆ) ପକ୍ଷରୁ ଏନେଇ ୫୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିବା ବେଳେ ଅନ୍ୟଏକ ଏନ୍‌ଜିଓ ୱାଇଲ୍ଡଲାଇଫ୍‌ ଏସ୍‌ଓଏସ୍‌ ପକ୍ଷରୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି।

ବିଜେପି ନେତ୍ରୀ ମେନକା ଗାନ୍ଧୀ ଉକ୍ତ ଘଟଣା ପାଇଁ କେରଳ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ୱାୟନାଡ଼ ସାଂସଦ ରାହୁଲ ଗାନ୍ଧି କାହିଁକି ଉକ୍ତ ଘଟଣାରେ ନିରବ ରହିଛନ୍ତି ଏବଂ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ଉପରେ କାହିଁକି ଚାପ ପକାଉନାହାନ୍ତି ବୋଲି ମେନକା ପ୍ରଶ୍ନ କରିଛନ୍ତି। ବିଜେପି ନେତ୍ରୀ ଉକ୍ତ ଘଟଣା ପାଇଁ ରାଜ୍ୟ ଜଙ୍ଗଲ ସଚିବଙ୍କୁ ବହିଷ୍କାର କରାଯିବ ଏବଂ ବନ ବିଭାଗ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ସେହିପରି ସେଲିବ୍ରିଟିମାନେ ମଧ୍ୟ ଉକ୍ତ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିରାଟ କୋହଲି, ଅନୁଷ୍କା ଶର୍ମା, ଶ୍ରଦ୍ଧା‌ କପୁର, ରଣଦୀପ ହୁଦା, ଜନ୍‌ ଆବ୍ରାହମ୍ ଏବଂ ଅକ୍ଷୟ କୁମାର ଏଭଳି ବର୍ବରତା ପାଇଁ କଡ଼ା କାର୍ଯ୍ୟାନୁ‌ଷ୍ଠାନ ଦାବି କରିଛନ୍ତି। ରତନ ଟାଟା ମଧ୍ୟ ଉକ୍ତ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର