ଢାକା: ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅସନ୍ତୋଷ ବଢିଚାଲିଛି । ବାଂଲାଦେଶର ଏକ ରାଜନୈତିକ ଦଳ  ବିଏନପି ଏବେ ତାଙ୍କ ବିରୋଧରେ ମୁହଁ ଖୋଲିଛି। ବାସ୍ତବରେ ମହମ୍ମଦ ୟୁନୁସ ଦେଶରେ ମତଦାନ ପାଇଁ ସର୍ବନିମ୍ନ ବୟସ ୧୭ ବର୍ଷକୁ ହ୍ରାସ କରିବାକୁ ସୁପାରିସ କରିଛନ୍ତି। କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶେଖ୍ ହସିନାଙ୍କ ପ୍ରତିଦ୍ବନ୍ଦ୍ବୀ ଖାଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)କୁ ୟୁନୁସଙ୍କ ଏହି ସୁପାରିସ ପସନ୍ଦ ଆସିନାହିଁ। ଏହା ନିର୍ବାଚନ କମିଶନଙ୍କ ଉପରେ ଚାପ ପକାଇବ ଏବଂ ନିର୍ବାଚନ ପ୍ରକ୍ରିୟାକୁ ବିଳମ୍ବ କରିପାରେ ବୋଲି ବିଏନପି କହିଛି।

Advertisment

ଅଗଷ୍ଟମାସରେ ଶେଖ୍ ହସିନାଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗିବା ପରେ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିବା ୟୁନୁସ୍ ଶୁକ୍ରବାର ସର୍ବନିମ୍ନ ମତଦାନ ବୟସ ୧୭ ବର୍ଷକୁ ହ୍ରାସ କରିବାକୁ ସୁପାରିସ କରିଛନ୍ତି। ନିର୍ବାଚନୀ ଆଲୋଚନା ସମୟରେ ପ୍ରସାରିତ ଏକ ଭିଡିଓ ବାର୍ତ୍ତାରେ ୟୁନୁସ୍ କହିଛନ୍ତି, ମୁଁ ଅନୁଭବ କରୁଛି ଯେ ସର୍ବନିମ୍ନ ମତଦାନ ବୟସ ୧୭କୁ ହ୍ରାସ କରାଯିବା ଉଚିତ, ଯାହାଦ୍ୱାରା ଯୁବକମାନେ ସେମାନଙ୍କ ଭବିଷ୍ୟତ ବିଷୟରେ ମତାମତ ଦେଇପାରିବେ।
ବାଂଲାଦେଶରେ ନିର୍ବାଚନ ଆୟୋଜନ କରିବାକୁ ୟୁନୁସଙ୍କ ଉପରେ ଚାପ ପଡ଼ୁଥିବାବେଳେ ସେ ନିର୍ବାଚନକୁ ବିଳମ୍ବିତ କରିବାକୁ ନୂଆ ନୂଆ ପ୍ରକାରର ଫିକର କରିଚାଲିଛନ୍ତି । ଏହି କାରଣରୁ ୟୁନୁସଙ୍କ ବିରୋଧରେ ଅସନ୍ତୋଷ ବଢିଚାଲିଛି ।