ଦିଲ୍ଲୀ-କୋଲକାତାରେ ଭୟ ବଢ଼ାଉଛି ଜ୍ବର: ଦିଲ୍ଲୀରେ ପ୍ରତି ୧୦ରୁ ୮ଟି ପରିବାର କରୋନା, ଭାଇରାଲ୍‌ ଜ୍ବରରେ ପ୍ରଭାବିତ

ନୂଆଦିଲ୍ଲୀ: ଦିଲ୍ଲୀ-କୋଲକାତାରେ ଏବେ କରୋନା ଓ ଭାଇରାଲ ଜ୍ବର ଲୋକଙ୍କ ଭୟ ବଢ଼ାଉଛି। ଦିଲ୍ଲୀରେ ଗତ ୩୦ ଦିନ ମଧ୍ୟରେ ପ୍ରତି ୧୦ରୁ ୮ଟି ପରିବାର କରୋନା ଏବଂ ଭାଇରାଲ ଜ୍ବର ଯୋଗୁଁ ପ୍ରଭାବିତ।‌ ଗତବର୍ଷର ମୌସୁମୀ ଋତୁ ତୁଳନାରେ ଚଳିତ ବର୍ଷ ଦ୍ବିଗୁଣା ଘର ପ୍ରଭାବିତ ହୋଇଛନ୍ତି। ଗତବର୍ଷ ଜୁଲାଇ-ଅଗଷ୍ଟରେ ୪୧ ପ୍ରତିଶତ ପରିବାର କରୋନା ଏବଂ ଅନ୍ୟ ଭାଇରାଲ ଜ୍ବରରେ ପ୍ରଭାବିତ ହୋଇଥିଲେ। କିନ୍ତୁ ଚଳିତ ଜୁଲାଇ -ଅଗଷ୍ଟରେ ଦିଲ୍ଲୀରେ ୮୨ ପ୍ରତିଶତ ପରିବାର କରୋନା ଏବଂ ଭାଇରାଲ ଯୋଗୁଁ ପ୍ରଭାବିତ। ଅନ୍ୟପକ୍ଷେ ଦିଲ୍ଲୀରେ ଆଜି ୧୯୬୪ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ପଜିଟିଭ୍‌ ହାର ଆଜି ୧୦ ପ୍ରତିଶତ ତଳେ ରହିଛି। ଗତକାଲିର ସଂକ୍ରମଣ ତୁଳନାରେ ଆଜି ସଂକ୍ରମଣ ଅଧିକ ରହିଛି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କୋଲାକାତାରେ ମଧ୍ୟ ଗତ ୧୦ ଦିନ ମଧ୍ୟରେ ଭାଇରାଲ୍‌ ସଂକ୍ରମଣ ବଢ଼ିଛି। ସବୁଠୁ ଚିନ୍ତାଜନକ ହେଉଛି ଭାଇରାଲ୍‌ ଜ୍ବରରେ ତାପମାତ୍ରା ୧୦୩-୧୦୫ ରହୁଛି। ବୟସ୍କଙ୍କ ତୁଳନାରେ ଶିଶୁ ଏବଂ ଯୁବପିଢ଼ିଙ୍କୁ ଜ୍ବର ହେଲେ ତାପମାତ୍ରା ଅଧିକ ରହୁଛି। ଉଚ୍ଚ ଭାଇରାଲ ଲୋଡ୍‌ ପାଇଁ ଜ୍ବର ଅଧିକ ରହୁଛି ବୋଲି କୁହାଯାଉଛି। ଶ୍ବାସ ଜନିତ ସଂକ୍ରମଣ ବଢ଼ୁଛି। ତେବେ ପ୍ରବଳ ଜ୍ବର ଆକ୍ରାନ୍ତ ହେବାପ‌ରେ ରୋଗୀମାନେ ଆଉ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସାଂଘାତିକ ଦୁର୍ବଳ ଅନୁଭବ କରୁଛନ୍ତି ଏବଂ ସେମାନଙ୍କ ଶରୀରରେ ଯନ୍ତ୍ରଣା ହେଉଛି।

ସମ୍ବନ୍ଧିତ ଖବର