ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ପରେ ସମସ୍ତଙ୍କୁ ସାବୁନ ଓ ପାଣିରେ ହାତ ଧୋଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ମାତ୍ର କେତେକ ସ୍ଥଳେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରାଯାଉଛି। ଏହି ହ୍ୟାଣ୍ଡ ସାନିଟାଇଜର ସ୍ବାସ୍ଥ୍ୟ ପ୍ରତି କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ଉଠିଛି। ଅତି କମ୍ରେ ୬୦ ପ୍ରତିଶତ ଆଲକହଲ ଥିବା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ଉଚିତ ବୋଲି ପରାମର୍ଶ ଦିଆଯାଇଛି। ମାତ୍ର ଅଧିକାଂଶ ହ୍ୟାଣ୍ଡ ସାନିଟାଇଜରରେ ୬୦ ପ୍ରତିଶତରୁ କମ୍ ଆଲକହଲ ରହୁଥିବା ଜଣାପଡ଼ିଛି। ବିଶେଷକରି ଯେଉଁ ସାନିଟାଇଜରରେ ଟ୍ରାଇକ୍ଲୋଜାନ୍ ପରିମାଣ ନଥାଏ କିମ୍ବା କମ୍ ଥାଏ ତାହା ଉପଯୁକ୍ତ ସାନିଟାଇଜର ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ମାତ୍ର, ଟ୍ରାଇକ୍ଲୋଜାନ୍ ଏକ ଶକ୍ତିଶାଳୀ ଆଣ୍ଟି ବ୍ୟାକ୍ଟେରିଆ ଏଜେଣ୍ଟ ହୋଇଥିବାରୁ ଏହା ଜୀବାଣୁ ନାଶ କରିଥାଏ। ଏହାକୁ କୀଟନାଶକ ଭାବେ ବ୍ୟବହାର କରାଯାଇଥାଏ। ଏଣୁ ଟ୍ରାଇକ୍ଲୋଜାନ୍ ମଣିଷ ସ୍ବାସ୍ଥ୍ୟ ପ୍ରତି ବିପଦପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି। ଟ୍ରାଇକ୍ଲୋଜାନ୍ ମଣିଷର ଥାଇରଏଡ, ଯକୃତ, ମାଂଶପେଶୀ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।
ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ପରେ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ। ଏହା ଦ୍ବାରା ମାତ୍ରାଧିକ କେମିକାଲ ଶରୀର ମଧ୍ୟକୁ ଯାଇ ଶରୀରର ବ୍ୟାପକ କ୍ଷତି ଘଟାଇଥାଏ। ବିଶେଷକରି ଛୋଟ ପିଲାଙ୍କୁ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବାକୁ ଦିଆଯିବା ଉଚିତ ନୁହେଁ। ଏହା ଦ୍ବାରା ଶିଶୁମାନଙ୍କର ରୋଗପ୍ରତିରୋଧ ଶକ୍ତି ହ୍ରାସ ପାଇଥାଏ। ସୁଗନ୍ଧଯୁକ୍ତ ହ୍ୟାଣ୍ଡ ସାନିଟାଇଜର ମଣିଷ ସ୍ବାସ୍ଥ୍ୟ ପ୍ରତି ପ୍ରତିକୂଳ ପ୍ରଭାବ ପକାଇଥାଏ। ଯେଉଁ ସାନିଟାଇଜର ଯେତେ ସୁଗନ୍ଧଯୁକ୍ତ ସେହି ସାନିଟାଇଜରରେ ସେତିକି କେମିକାଲ ପ୍ରୟୋଗ ହୋଇଥାଏ। ସୁଗନ୍ଧଯୁକ୍ତ ହ୍ୟାଣ୍ଡ ସାନିଟାଇଜର ମଣିଷର ଏଣ୍ଡୋକ୍ରାଇନ୍ ଗ୍ରନ୍ଥି ଉପରେ କୁପ୍ରଭାବ ପକାଇଥାଏ। ହ୍ୟାଣ୍ଡ ସାନିଟାଇଜରରେ ଆଲକହଲ ଥିବାରୁ ଅଗ୍ନି ସଂଯୋଗ ହେବାର ସମ୍ଭାବନା ଥାଏ। ଏଣୁ କାର୍ରେ ହ୍ୟାଣ୍ଡ ସାନିଟାଇଜର ରଖିବା ସମ୍ପୂର୍ଣ୍ଣ ଅନୁଚିତ। ସେହିଭଳି ମୁହଁରେ ବ୍ୟବହାର କରାଯାଉଥିବା ମାସ୍କକୁ ହ୍ୟାଣ୍ଡ ସାନିଟାଇଜରରେ ବୁଡ଼ାଇବା କିମ୍ବା ଧୋଇବା ଉଚିତ ନୁହେଁ। ଏମିତି କଲେ ବାନ୍ତି ହେବା ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଦେଖା ଦେଇଥାଏ। ଏଣୁ ହ୍ୟାଣ୍ଡ ସାନିଟାଇଜରକୁ ଯେତେ ସମ୍ଭବ କମ୍ ବ୍ୟବହାର କରି ତା' ବଦଳରେ ସାବୁନ ଏବଂ ପାଣିରେ ହାତକୁ ଭଲ କରି ଧୋଇବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/Hand-Sanitizer-KLI-860x641.jpg)