୩୩ ପୃଷ୍ଠାର ଭାରତୀୟ ସେନା ନଥି: ଭାରତ ବିରୋଧରେ ପାକିସ୍ତାନୀ ଆତଙ୍କୀ ପ୍ଲଟ୍‌ର ମୁଖା ଖୋଲିଲା

ନୂଆଦିଲ୍ଲୀ: ପାକିସ୍ତାନ ନିରବଚ୍ଛିନ୍ନ ଭାବେ ଭାରତ ବିରୋଧରେ ଷଡ଼୍‌ଯନ୍ତ୍ର କରିଚାଲିଛି। ପ୍ରତ୍ୟକ୍ଷ ଯୁଦ୍ଧରେ ଏହା ଭାରତର ସାମନା କରିପାରିବ ନାହିଁ ଜାଣି ଆତଙ୍କବାଦୀଙ୍କୁ ତାଲିମ ଓ ଅସ୍ତ୍ରଶସ୍ତ୍ର ଦେଇ ଭାରତରେ ରାଜନୈତିକ କର୍ମୀ, ଜମ୍ମୁ-କାଶ୍ମୀର ପୁଲିସ, ଶିକ୍ଷକ ଏବଂ ବାହାର ରାଜ୍ୟରୁ ଆସି ଜମ୍ମୁ-କାଶ୍ମୀରରେ ଚାକିରି କରୁଥିବା ଶ୍ରମିକ-କର୍ମଚାରୀମାନଙ୍କୁ ହତ୍ୟା କରୁଛି। ଜମ୍ମୁ-କାଶ୍ମୀରର ଯୁବକମାନଙ୍କ ବ୍ରେନ୍‌ୱାସ୍‌ କରି ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ କରୁଛି। ପାକିସ୍ତାନ ସରକାର, ପାକିସ୍ତାନ ସେନା ଏବଂ କୁଖ୍ୟାତ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏହିସବୁ କାର୍ଯ୍ୟରେ ସମ୍ପୃକ୍ତ ଥିବା ଏବଂ ପାକିସ୍ତାନ ଭାରତ ବିରୋଧରେ ଅନେକ ଟେରର୍ ପ୍ଲଟ୍ ରଚନା କରିଥିବା ୩୩ ପୃଷ୍ଠାର ଏକ ଭାରତୀୟ ସେନା ନଥିରୁ ଜଣାପଡ଼ିଛି। ଏହି ନଥି ଏକ ଇଂରାଜୀ ଦୈନିକ ହାତରେ ପଡ଼ିଥିବା ଏହା ଦାବି କରିଛି।

ଜମ୍ମୁ କାଶ୍ମୀରରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ କେନ୍ଦ୍ର ସରକାର ବିଭିନ୍ନ ରଣନୀତି କାର୍ଯ୍ୟକାରୀ କରିଥିଲେ ମଧ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକ ନୂଆ ନିଯୁକ୍ତି ଦେବାରେ ସଫଳ ହେଉଛନ୍ତି। ତେବେ ଗତ ଦୁଇ ବର୍ଷ ମଧ୍ୟରେ ନୂଆ ନିଯୁକ୍ତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୬୪ ପ୍ରତିଶତ ସୁରକ୍ଷା ବାହିନୀ ହାତରେ ନିପାତ ହୋଇଛନ୍ତି। ଆତଙ୍କବାଦୀ ସଂଗଠନରେ ଯୋଗ ଦେଉଥିବା ଯୁବକଙ୍କ ମଧ୍ୟରୁ ୨୮ ପ୍ରତିଶତ ପ୍ରଥମ ମାସରେ ହିଁ ନିପାତ ହେଉଛନ୍ତି ବୋଲି ଏକ ଆକଳନରୁ ଜଣାପଡ଼ିଛି। ଏଭଳି ସ୍ଥିତିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇବା ପାଇଁ ପାକ୍‌ ସେନା ଓ ଆଇଏସ୍‌ଆଇ ଅହରହ ଷଡ଼୍‌ଯନ୍ତ୍ର ଚଳାଇଛି। ଜମ୍ମୁ କାଶ୍ମୀରରେ ନିରୀହ ନାଗରିକଙ୍କୁ ଟାର୍ଗେଟ୍‌ କରି ଆତଙ୍କର ବାତାବରଣ ସୃଷ୍ଟି କରିବାକୁ ଆଇଏସ୍‌ଆଇ ଆତଙ୍କୀ ସଂଗଠନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଏବଂ ଘାଟିରେ ଗୋଟିଏ ପରେ ଗୋଟିଏ ବର୍ବର ହତ୍ୟା ଚାଲିଛି। ଏହା ସହିତ କାଶ୍ମୀରରେ ରାଜନୈତିକ ପ୍ରକ୍ରିୟାକୁ ମଧ୍ୟ ବାଧାପ୍ରାପ୍ତ କରିବା ପାଇଁ ପାକ୍‌ ସମର୍ଥିତ ଆତଙ୍କବାଦୀ ସଂଗଠନଗୁଡ଼ିକ ଲାଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର