ନୂଆଦିଲ୍ଲୀ : ଦେଶର ଅର୍ଥନୀତି ପାଇଁ ଚଳିତ ଆର୍ଥିକ ବର୍ଷରେ ମାନ୍ଦାବସ୍ଥାର କୌଣସି ଆଶଙ୍କା ନାହିଁ। ଅର୍ଥନୀତି ମନ୍ଥର ହେବାର କୌଣସି ପ୍ରମାଣ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ପ୍ରକାଶିତ ମାସିକ ସମୀକ୍ଷା ରିପୋର୍ଟରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରାଯାଇଛି।
ନିକଟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ପକ୍ଷରୁ ପ୍ରକାଶ କରାଯାଇଥିବା ଆକଳନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରଖାଯାଇଛି। ପୂର୍ବରୁ ହୋଇଥିବା ଆକଳନ ୭ ପ୍ରତିଶତ ତୁଳନାରେ ଏହା ଅଧିକ। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ୬.୫ ପ୍ରତିଶତ ରହିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି। ଦେଶ ଭିତରେ ରହିଥିବା ଚାହିଦା ଭାରତୀୟ ଅର୍ଥନୀତିର ବଡ଼ ଶକ୍ତି ବୋଲି ଅର୍ଥ ମନ୍ତ୍ରାଳୟ କହିଛି।