ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦାଳନ ସମୟରେ ୭୦୦ରୁ ଅଧିକ କୃଷକଙ୍କ ମୃତ୍ୟୁ ହୋଇଛି ବୋଲି ଚାଷୀ ନେତାମାନେ ଦାବି କରୁଛନ୍ତି। କିନ୍ତୁ ଆନ୍ଦୋଳନ ସମୟରେ କୃଷକଙ୍କ ମୃତ୍ୟୁ ସଂକ୍ରାନ୍ତରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ସଂସଦରେ କହିଛନ୍ତି। ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବା‌ ସଂକ୍ରାନ୍ତରେ ବିରୋଧୀ ଦଳ ନେତାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କୃଷି ମନ୍ତ୍ରୀ ତୋମର କହିଛନ୍ତି, ସରକାରଙ୍କ ପାଖରେ ଏହାର କୌଣସି ତଥ୍ୟ ନାହିଁ ତେଣୁ କ୍ଷତିପୂରଣର ପ୍ରଶ୍ନ ଉଠୁନାହିଁ।

Advertisment

ସେହିପରି ପ୍ରଶାସନ ଦ୍ବାରା କୃଷକଙ୍କ ଉପରେ ଆକ୍ରମଣ ଘଟଣାରେ କଂଗ୍ରେସ ସାଂସଦ କେସି ବେଣୁଗୋପାଳଙ୍କ ଦ୍ବାରା ହୋଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ଆନ୍ଦୋଳନ ସମୟରେ କୃଷକଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ କୌଣସି ତଥ୍ୟ ନାହିଁ। ଇତି ମଧ୍ୟରେ ଆନ୍ଦୋଳନରତ କୃଷକମାନେ ଆନ୍ଦୋଳନ ଜାରି ରଖିବା ଜିଦ୍‌ରେ ଅଟଳ ଅଛନ୍ତି। ସଂଯୁକ୍ତ ଏସ୍‌କେଏମ୍‌ ସରକାରଙ୍କୁ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ କହିଛି।

କୃଷକ ମୃତ୍ୟୁ ନେଇ ସରକାରଙ୍କ ପାଖରେ କୌଣସି ତଥ୍ୟ ନଥିବା କଥାକୁ କଂଗ୍ରେସ କଡ଼ା ବିରୋଧ କରିଛି। କଂଗ୍ରେସ ନେତା ମଲିକାର୍ଜୁନ ଖାଡ‌‌ଗେ କହିଛନ୍ତି ଯେ ସରକାରଙ୍କ ଏଭଳି ମନ୍ତବ୍ୟ କୃଷକଙ୍କ ପାଇଁ ବହୁତ ବଡ଼ ଅପମାନ। ସରକାରଙ୍କ ପାଖରେ ଯଦି ୭୦୦ କୃଷକଙ୍କ ମୃତ୍ୟୁ ହୋଇଥିବା ଖବର ନାହିଁ ତେବେ କରୋନା ତଥ୍ୟ କିଭଳି ରଖାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଗତ ୨ ବର୍ଷ ମଧ୍ୟରେ କରୋନାରେ ୫୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଖାଡ଼ଗେ କହିଛନ୍ତି ।