ମୁମ୍ବାଇ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେୟର୍ ଷ୍ଟାର୍ମରଙ୍କ ଭାରତ ଗସ୍ତ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଖଲିସ୍ତାନୀ ଉଗ୍ରବାଦ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି। ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ ଏବଂ ବ୍ରିଟେନରେ ଭାରତ ବିରୋଧୀ ଶକ୍ତିଙ୍କ ଉପରେ ଲଗାମ ଲଗାଇବା ଜରୁରି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ କରିଛନ୍ତି। ସମାଜ ବ୍ୟବସ୍ଥା ଦ୍ୱାରା ପ୍ରଦାନ କରାଯାଇଥିବା ସ୍ୱାଧୀନତାର ଅପବ୍ୟବହାର କରିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ମୋଦୀ ଖଲିସ୍ତାନୀ ପ୍ରସଙ୍ଗରେ ଷ୍ଟାର୍ମର୍ଙ୍କୁ କହିଛନ୍ତି। ବ୍ରିଟେନରେ ସକ୍ରିୟ ଥିବା ଭାରତ ବିରୋଧୀ ଶକ୍ତିଙ୍କ ବିରୋଧରେ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜିର ଦ୍ବିପାକ୍ଷିକ ଆଲୋଚନା ସମୟରେ ଗୁରୁତ୍ବାରୋପ କରିଥିଲେ ବୋଲି ବିଦେଶ ସଚିବ ବିକ୍ରମ ମିଶ୍ରି କହିଛନ୍ତି। ମିଶ୍ରି ଏହି ଗସ୍ତକୁ ଜନସାଧାରଣଙ୍କ ସହଭାଗୀତା ବୋଲି ବର୍ଣ୍ଣନା କରି ଦର୍ଶାଇଛନ୍ତି ଯେ ଉଭୟ ଦେଶର ନାଗରିକଙ୍କ ସୁବିଧା ପାଇଁ ଭାରତ ଓ ବ୍ରିଟେନ ବିଭିନ୍ନ କ୍ଷେତ୍ରରେ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍ଟିଏ) ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରିବ ଏବଂ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଖଲିସ୍ତାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଷ୍ଟାର୍ମର୍ଙ୍କୁ ମୋଦୀଙ୍କ ଆହ୍ବାନ
ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଦୃଢ଼ ସାମୁଦ୍ରିକ ସୁରକ୍ଷା ପାଇଁ ସହମତି
ମୋଦୀ-ଷ୍ଟାର୍ମର୍ଙ୍କ ଦ୍ବିପାକ୍ଷିକ ବୈଠକ ପରେ ଉଭୟ ରାଷ୍ଟ୍ର ପକ୍ଷରୁ ଜାରି ମିଳିତ ବିବୃତିରେ କୁହାଯାଇଛି ଯେ ମିଳିତ ସମରାଭ୍ୟାସ, ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ମାଧ୍ୟମରେ ଭାରତ ଓ ବ୍ରିଟେନର ସଶସ୍ତ୍ର ବାହିନୀ ମଧ୍ୟରେ ଦ୍ୱିପାକ୍ଷିକ ବିନିମୟ ବ୍ୟାପକ ହେବ । ଭାରତ-ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପ (ଆଇପିଓଆଇ) ଅଧୀନରେ ଆଂଚଳିକ ସାମୁଦ୍ରିକ ସୁରକ୍ଷା କେନ୍ଦ୍ର (ଆର୍ଏମ୍ଏସ୍ସିଇ) ପ୍ରତିଷ୍ଠା ସମେତ ଭାରତ-ପ୍ରଶାନ୍ତ ମହାସାଗରରେ ଦୃଢ଼ ସାମୁଦ୍ରିକ ସୁରକ୍ଷା ସହଯୋଗ ପାଇଁ ଉଭୟ ପକ୍ଷ ପ୍ରତିଶ୍ରୁତିବଦ୍ଧ। ଭାରତୀୟ ନୌସେନା ପାଇଁ ସାମୁଦ୍ରିକ ବୈଦ୍ୟୁତିକ ପ୍ରପଲ୍ସନ୍ ସିଷ୍ଟମ ବିକଶିତ କରିବାରେ ସହଯୋଗ ଲାଗି ଭାରତ-ବ୍ରିଟେନ ଆନ୍ତଃ-ସରକାରୀ ଚୁକ୍ତିନାମା (ଆଇଜିଏ)କୁ ଚୂଡ଼ାନ୍ତ ରୂପ ଦିଆଯାଇଥିବାରୁ ଉଭୟ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଆତଙ୍କବାଦ ଓ ହିଂସାତ୍ମକ ଉଗ୍ରବାଦକୁ ମୋଦୀ-ଷ୍ଟାର୍ମର୍ ଦୃଢ଼ ଭାବରେ ନିନ୍ଦା କରିଛନ୍ତି। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଆତଙ୍କବାଦର ମୁକାବିଲା ପାଇଁ ମିଳିତ ଅନ୍ତର୍ଜାତୀୟ ପ୍ରୟାସ ନିମନ୍ତେ ଉଭୟ ନେତା ଆହ୍ୱାନ ଦେଇଛନ୍ତି। ଉଭୟ ଦେଶ ପାଇଁ ଜଳବାୟୁ ପାଣ୍ଠି ଯୋଗାଣ, ସବୁଜ ଅଭିବୃଦ୍ଧି ଏବଂ ନୂତନ ଆର୍ଥିକ ସୁଯୋଗକୁ ସକ୍ଷମ କରିବା ପାଇଁ ‘ଭାରତ-ବ୍ରିଟେନ’ ଜଳବାୟୁ ଆର୍ଥିକ ପଦକ୍ଷେପକୁ ମୋଦୀ-ଷ୍ଟାର୍ମର୍ ସ୍ବାଗତ କରିଛନ୍ତି। ଜଳବାୟୁ ପ୍ରଯୁକ୍ତି ଷ୍ଟାର୍ଟଅପ୍ ପାଣ୍ଠିରେ ଏକ ନୂତନ ମିଳିତ ନିବେଶ ଘୋଷଣା ଏବଂ ଏ ବାବଦ କାର୍ଯ୍ୟ ତ୍ବରାନ୍ବିତ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/10/sfssfxcccx-2025-10-10-02-10-47.jpg)