୮୦୦ଅଧିକାରୀ ଲଗାଇଲେ, ହେଲେ ଦୁର୍ନୀତି କରିଥିବା ପ୍ରମାଣ କରିପାରିଲେ ନାହିଁ; କେନ୍ଦ୍ରକୁ ଟାର୍ଗେଟ କଲେ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଚାର୍ଜସିଟ୍‌ ଦାଖଲ କରିବା ପ‌ରେ ଆଜି ଇଡି ଚାର୍ଜସିଟ୍‌ ଦାଖଲ କରିଛି। ଦୁଇଟି ଯାକ ଚାର୍ଜସିଟରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ ନଥିବାରୁ ଏବେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମନୀଷ ସିସୋଦିଆ।

ଦିଲ୍ଲୀର ଅବକାରୀ ଦୁର୍ନୀତିକୁ ନେଇ ଇଡି ଆଜି ଚାର୍ଜସିଟ୍ ଦାଖଲ କରି କୋର୍ଟଙ୍କୁ କହିଥିଲା ଯେ, ଆମେ ବର୍ତ୍ତମାନ ସମୀର ମହେନ୍ଦ୍ରଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରୁଛୁ, ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯିବ। ସେହିଭଳି ସିବିଆଇ ମଧ୍ୟ ଶୁକ୍ରବାର ଦିନ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ଦୁଇଟି ଚାର୍ଜସିଟରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ ନଥିବା ଦେଖାଯାଇଛି।

ଆପ୍ ଏହି ଚାର୍ଜସିଟକୁ ସିସୋଦିଆଙ୍କ ପାଇଁ କ୍ଲିନ୍ ଚିଟ୍ ବୋଲି କହିବା ଆରମ୍ଭ କରିଛି। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଇଡିର ଚାର୍ଜସିଟରେ ମନୀଷ ସିସୋଦିଆଙ୍କ ନାଁ ନାହିଁ। ଏଭଳି ମିଛ ମାମଲାରେ ମନୀଷଜୀଙ୍କୁ ଫସାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶବାସୀଙ୍କୁ କ୍ଷମା ମାଗିବେ କି? ଭଲ କାମ କରୁଥିବା ଲୋକଙ୍କୁ ଜେଲ ପଠାଇଲେ ଦେଶ କ’ଣ ଆଗକୁ ବଢ଼ିବ?

ଅନ୍ୟପକ୍ଷରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ ସେମାନଙ୍କର ସମସ୍ତ ଷଡଯନ୍ତ୍ର ଏବଂ ମିଥ୍ୟା ଏତଲା ପରେ ମଧ୍ୟ ସେମାନେ ମୋ ବିରୋଧରେ କୌଣସି ଅଭିଯୋଗ କରିବାକୁ ସମର୍ଥ ହୋଇପାରୁନାହାନ୍ତି। ୮୦୦ଅଧିକାରୀଙ୍କ ଏକ ଟିମ୍ ୫୦୦ସ୍ଥାନ ଉପରେ ଚଢ଼ାଉ କରିବା ପରେ ଯେଉଁ ଚାର୍ଜସିଟ ପ୍ରସ୍ତୁତ କରିଛନ୍ତି, ସେଥିରେ ମୋର ନାଁ ନାହିଁ। ସିବିଆଇ ଏବଂ ଇଡିର ଚାର୍ଜସିଟ୍ ପ୍ରମାଣ କରିଛି ଯେ କୌଣସି  ଅବକାରୀ ଦୁର୍ନୀତି ହୋଇ ନାହିଁ।

ସମ୍ବନ୍ଧିତ ଖବର