ନୂଆଦିଲ୍ଲୀ: ୧୯୬୩ରେ ନାଗାଲାଣ୍ଡକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିଥିଲା। ସେବେଠାରୁ ନାଗାଲାଣ୍ଡରେ ୧୩ ଥର ନିର୍ବାଚନ ହୋଇଛି। କିନ୍ତୁ ଏଯାବତ ରାଜ୍ୟ ବିଧାନସଭାକୁ କୌଣସି ମହିଳା ସଦସ୍ୟ ନିର୍ବାଚିତ ହୋଇନାହାନ୍ତି। ଇନ୍ଦିରା ଗାନ୍ଧି ୩ ଥର ଦେଶର ପ୍ରଧାନମନ୍ତ୍ରୀ ହେବା ଏବଂ ପ୍ରତିରକ୍ଷା, ବିଦେଶ ବ୍ୟାପାର ଏବଂ ଅର୍ଥ ବିଭାଗ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମହିଳାମାନେ ରହିଥିବାବେଳେ ନାଗାଲାଣ୍ଡରେ ଏପର୍ଯ୍ୟନ୍ତ କୌଣସି ମହିଳା ବିଧାୟକ ନିର୍ବାଚିତ ନହେବା ଏକ ବିରଳ ଘଟଣା। ତେବେ ଏହା କେବଳ ରାଜ୍ୟ ବିଧାନସଭାରେ ସୀମିତ ନୁହେଁ। ୨୦୨୨ରେ ଏସ୍ ଫାଙ୍ଗନୋନ୍ କୋନୟାକ ଦୀର୍ଘ ୩ ଦଶନ୍ଧି ପରେ ଉତ୍ତର ପୂର୍ବ ରାଜ୍ୟରୁ ପ୍ରଥମ ମହିଳା ଭାବେ ସଂସଦକୁ ନିର୍ବାଚିତ ହୋଇଥିଲେ। ୧୯୭୭ରେ ସ୍ବର୍ଗତ ରାନୋ ଏମ ଶାଇଜା ରାଜ୍ୟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ କୋନୟାକ ଦୀର୍ଘ ୩ ଦଶନ୍ଧି ପରେ ଦ୍ବିତୀୟ ସାଂସଦ ଭାବେ ସଂସଦକୁ ନିର୍ବାଚିତ ହେଲେ। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନାଗାଲାଣ୍ଡରେ ମହିଳା ସାକ୍ଷର ହାର ୭୬.୧୧ ପ୍ରତିଶତ ରହିଛି। ଜାତୀୟ ହାରାହାରି ୬୪.୬ ପ୍ରତିଶତଠାରୁ ମଧ୍ୟ ନାଗାଲାଣ୍ଡରେ ସାକ୍ଷର ହାର ଅଧିକ ରହିଛି। ରାଜ୍ୟରେ କେତେକ ମହିଳା ଅଧିକାର ଅନୁଷ୍ଠାନର ପ୍ରଭାବ ମଧ୍ୟ ରହିଛି। କିନ୍ତୁ ରାଜ୍ୟରେ କେହି ଜଣେ ହେଲେ ମହିଳା ବିଧାୟକ ନିର୍ବାଚିତ ହୋଇନାହାନ୍ତି।
ନାଗାଲାଣ୍ଡରେ ଏଯାବତ ମୋଟ୍ ୨୦ ମହିଳା ବିଧାନସଭା ନିର୍ବାଚନ ଲଢ଼ିଛନ୍ତି। ୨୦୧୮ରେ ୫ ଜଣ ମହିଳା ନିର୍ବାଚନ ଲଢ଼ିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୩ ଜଣ ଏକ ଷଷ୍ଠାଂଶ ଭୋଟ୍ ମଧ୍ୟ ପାଇନଥିଲେ। ଏହାର କାରଣ ହେଉଛି ନାଗାଲାଣ୍ଡରେ ନିର୍ବାଚନ ରାଜନୀତିରେ ମହିଳା ରହିବାକୁ ବିରୋଧ କରାଯାଏ। ଉଦାହରଣ ସ୍ବରୁପ ୨୦୧୭ରେ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ବିରୋଧ କରି ଏକ ଆଦିବାସୀ ଗୋଷ୍ଠୀ ଆନ୍ଦୋଳନ ଏବଂ ଧାରଣା ଦେଇଥିଲେ। ପରେ ଏହା ହିଂସାର ରୂପ ନେଇଥିଲା ଏବଂ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ନାଗାଲାଣ୍ଡରେ ଲୋକମାନଙ୍କର ଏକ ଧାରଣା ରହିଛି ଯେ ମହିଳାମାନେ ନିଷ୍ପତ୍ତି ନିର୍ଣ୍ଣୟକାରୀ ପଦବିରେ ରହିପାରିବେନି। ନାଗାଲାଣ୍ଡରେ ସମସ୍ତ ରାଜନୈତିକ ଦଳ ମଧ୍ୟ ମହିଳାଙ୍କୁ ଟିକେଟ ଦେବାକୁ କୁଣ୍ଠା କରନ୍ତି। ଏପରିକି ମହିଳାମାନେ ବି ମହିଳା ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତିନି। ଏଯାବତ କେବଳ ଜଣେ ମହିଳା ଗାଁ ପରିଷଦ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।
ତେବେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ଇତି ମଧ୍ୟରେ ନାଗା ନାଗରିକଙ୍କୁ ସେମାନଙ୍କ ଚିନ୍ତାଧାରା ବଦଳାଇବାକୁ କହିଛନ୍ତି। ନେଫ୍ୟୁ ରିଓଙ୍କ ନେତୃତ୍ବାଧୀନ ଏନଡିପିପି (ନେସନାଲିଷ୍ଟ ଡିମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି)ର ପ୍ରଥମ ନିର୍ବାଚନୀ ଇସ୍ତାହାରରେ ଲିଙ୍ଗଗତ ସମାନତା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏନ୍ଡିପିପି ଚଳିତ ଥର ୨ ମହିଳାଙ୍କୁ ପ୍ରାର୍ଥୀ କରିଛି। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ୨୭ ତାରିଖରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ମାର୍ଚ୍ଚ ୨ରେ ଫଳ ପ୍ରକାଶ ପାଇବ।