ମେ ୧୮ ତାରିଖ, ଆମ ପାଇଁ ଷଢେ଼ଇକଳା ଦିବସ। ୧୯୪୮ ମସିହାର ଏହି ତାରିଖଟି ଥିଲା ଓଡ଼ିଶା ପାଇଁ ଏକ କଳା ଦିବସ। ସ୍ୱାଧୀନ ଭାରତର କେତେକ ସର୍ବୋଚ୍ଚ ପଦବିମଣ୍ଡିତ ବ୍ୟକ୍ତିଙ୍କ ମିଳିତ ଚକ୍ରାନ୍ତର ଶିକାର ହୋଇଥିଲା ଓଡ଼ିଶା। ଓଡ଼ିଶାର ଦୁର୍ବଳ ନେତୃତ୍ୱକୁ ଧମକାଇ, ପ୍ରଲୋଭିତ କରି ଉତ୍କଳ ଜନନୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଷଢେ଼ଇକଳା, ଖରସୁଆଁ, ସିଂହଭୂମି ଆଦି ଅଞ୍ଚଳକୁ ବିହାର ରାଜ୍ୟ ସହିତ ମିଶାଇ ଦିଆଯାଇଥିଲା। ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ଯେଉଁ ସମୟରେ ମୟୂରଭଞ୍ଜ ରାଜ୍ୟ ଓଡ଼ିଶାରେ ମିଶିଯିବ, ସେହି ଦିନ ଷଢେ଼ଇକଳା ଖରସୁଆଁ ପ୍ରଭୃତି ଓଡ଼ିଆ ଅଞ୍ଚଳ ଓଡ଼ିଶାରେ ପୁନଃସଂଯୁକ୍ତ କରାଯିବ। ମୟୂରଭଞ୍ଜ ରାଜ୍ୟ ଓଡ଼ିଶାରେ ମିଶିଲା, ମାତ୍ର କେନ୍ଦ୍ର ସରକାର ପ୍ରତାରଣା କଲେ। ଓଡ଼ିଶା ସରକାର ଅବା ଓଡ଼ିଶାବାସୀ ଯେଭଳି ପ୍ରତିବାଦ କରିବା ଆବଶ୍ୟକ, ତାହା କଲେ ନାହିଁ। ଓଡ଼ିଶା ସରକାର ଅଦାଲତି ସଂଘର୍ଷ ମଧ୍ୟ କଲେନାହିଁ କି ଏପର୍ଯ୍ୟନ୍ତ କରିନାହାନ୍ତି।

Advertisment

ସେତେବେଳେ ଓଡ଼ିଆ ସାମ୍ବାଦିକତାର ଦ୍ରୋଣ ଗୁରୁ ପଣ୍ଡିତ ଗୋଦାବରୀଶ ମହାପାତ୍ର ତାଙ୍କ ଦ୍ୱାରା ସମ୍ପାଦିତ ‘ନିଆଁଖୁଣ୍ଟା’ରେ ବ୍ୟଙ୍ଗ କରି ପ୍ରକାଶ କରିଥିଲେ, ‘‘ଗଲା ଖରସୁଆଁ ଷଢେ଼ଇକଳା, ତଥାପି ଉତ୍କଳ ବିଶାଳ ହେଲା...।’’ ଏହି ଲେଖା ପ୍ରକାଶ ପାଇବା ପରେ ପଣ୍ଡିତ ଗୋଦାବରୀଶଙ୍କ ଉପରେ ହୋଇଥିଲା ପ୍ରାଣାନ୍ତକ ଆକ୍ରମଣ। ଆଜି ଭଳି ସେତେବେଳେ ମଧ୍ୟ ଲୋକଙ୍କ ଭିତରେ ପ୍ରତିକ୍ରିୟା ପ୍ରକାଶ ପାଇନଥିଲା। ସେଠାକାର ଓଡ଼ିଆ ଭାଇଭଉଣୀମାନଙ୍କ ଅସୀମ ଦୁଃଖ, ଆର୍ତ୍ତ ଚିତ୍କାର ଓଡ଼ିଶାରେ ଥିବା ଭାଇଭଉଣୀମାନଙ୍କ ପଥର ହୃଦୟକୁ ତରଳାଇ ପାରିନଥିଲା। ବିହାର ବିଭାଜନ ସମୟରେ ଉତ୍କଳ ସମ୍ମିଳନୀର ସଭାପତି ହରିଶ୍ ଚନ୍ଦ୍ର ବକ୍ସିପାତ୍ରଙ୍କ ନେତୃତ୍ବରେ ପ୍ରତିବାଦ ହେଲା। ଗିରଫ ହେଲୁ, ଓଡ଼ିଶା ବନ୍ଦ ଡାକରା ସଫଳ ହେଲା। ବିଧାନସଭାର ସର୍ବସମ୍ମତି କ୍ରମେ ଗୃହୀତ ପ୍ରସ୍ତାବକୁ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ମନ୍ତ୍ରୀଙ୍କ ‘ପାଗଳାମୀ’ ପରି କଟୁ ଆକ୍ଷେପ ଓଡ଼ିଆଙ୍କ ସହନଶୀଳ ଚମଡ଼ାକୁ ଭେଦ କରିପାରିଲା ନାହିଁ।

ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେଉଥିବା କିଛି ଭଲ ଲେଖା ମଧ୍ୟରୁ ଗୋଟିଏ ଆଜିର ପ୍ରସଙ୍ଗ

(ଓଡ଼ିଆପ୍ରାଣ ପ୍ରଦ୍ୟୁମ୍ନ ଶତପଥୀଙ୍କ ଦ୍ବାରା ଫେସ୍‌ବୁକ୍‌ରେ ଲିଖିତ ଏକ ଆବେଗପୂର୍ଣ୍ଣ ଆହ୍ବାନର ସଂପାଦିତ ଅଂଶ)

ସୀମା ଆନ୍ଦୋଳନରେ ରାଜନୈତିକ ଜନ୍ମଲାଭ କରିଥିବା ନେତା ତଥା ରେଭେନ୍ସା ଓ ମଧୁସୂଦନ ଆଇନ ମହାବିଦ୍ୟାଳୟର ଛାତ୍ର ସଂସଦର ପୂର୍ବତନ ସଭାପତି ହରିଶ୍ଚନ୍ଦ୍ର ବକ୍ସିପାତ୍ର ଏହି ଆନ୍ଦୋଳନରେ ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା କରି ଅକାଳରେ ଜୀବନ ହାରିଲେ। ସୀମା ଆନ୍ଦୋଳନରେ ତାଙ୍କର ଜନ୍ମ ଏବଂ ମୃତ୍ୟୁ ମଧ୍ୟ ହୋଇଥିଲା ସୀମା ଆନ୍ଦୋଳନରେ। ‌ଏହି ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିପ୍ରାଣ ନବେବର୍ଷାତିକ୍ରାନ୍ତ ପର୍ଶୁରାମ ଦ୍ବିବେଦୀଙ୍କ ଦ୍ୱାରା ଗଠିତ ଏବଂ ଅନ୍ୟତମ ଅଗ୍ରଜ ସୀତାବଲ୍ଲଭ ମହାପାତ୍ରଙ୍କ ସଭାପତିତ୍ବରେ ଗଠିତ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ମଣ୍ଡଳୀ ପ୍ରଚାର ପ୍ରସାରଠାରୁ ଆରମ୍ଭ କରି ଅନେକ କାର୍ଯ୍ୟକ୍ରମ ନେଇ ଚାଲିଛନ୍ତି ।

publive-image

ଦୁର୍ଭାଗ୍ୟବଶତଃ ଏହି ବିଚ୍ଛିନ୍ନାଞ୍ଚଳ ସହିତ ଓଡ଼ିଶାର ସେତୁବନ୍ଧ ପ୍ରତିଷ୍ଠାତା ଏବଂ ଯିଏ ନିସଙ୍ଗ ପଦାତିକ ଭାବେ ଝାଡ଼ଖଣ୍ଡ ରାଜ୍ୟରେ ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ଦିଆଇଥିଲେ, ସେହି ବହୁମୁଖୀ ପ୍ରତିଭାଧର ଓଡ଼ିଆପ୍ରାଣ କାଳୀପ୍ରସାଦ ସାମନ୍ତରାୟଙ୍କର ମଧ୍ୟ ଅକାଳ ବିୟୋଗ ଘଟିଲା। ଆଜି ବି ସରୋଜ ପ୍ରଧାନ, କାର୍ତ୍ତିକ ପରିଚ୍ଛା, ସୁମନ୍ତ ମହାନ୍ତି, ମାଧବ ଶତପଥୀ, ସଚ୍ଚୀକାନ୍ତ ଦାସ, ରବୀନ୍ଦ୍ର ମିଶ୍ର, କ୍ଷମାସାଗର ଭୋଇ ପ୍ରମୁଖ ଖାଣ୍ଟି ଓଡ଼ିଆପ୍ରାଣମାନେ ବିଚ୍ଛିନ୍ନାଞ୍ଚଳରେ କାର୍ଯ୍ୟ କରୁଛନ୍ତି। ଆମେ ଦୃଢ଼ ଆଶାବାଦୀ, ଆମରି ଜୀବଦ୍ଦଶାରେ ସମସ୍ତ ବିଚ୍ଛିନ୍ନାଞ୍ଚଳର ପୁନଃମଶ୍ରଣ ଘଟିବ। ଏଥିପାଇଁ ହେବ ଏକ ନିର୍ଣ୍ଣାୟକ ଆନ୍ଦୋଳନ, ବର୍ଲିନ ପ୍ରାଚୀର ଭାଙ୍ଗି ଜର୍ମାନୀ ଏକତ୍ରୀକରଣର ଇତିହାସ ହିଁ ଆମର ମାର୍ଗଦର୍ଶନ। କେବଳ ଆବଶ୍ୟକ ଜନ ସମର୍ଥନ। ସୃଷ୍ଟି ହେବ ଏକ ଜାଗ୍ରତ ଜନମତ, ଅପହୃତ ସମ୍ପତ୍ତି ଉଦ୍ଧାର ହେବ।

ବିଡ଼ମ୍ବନା: ପ୍ରଦ୍ୟୁମ୍ନ ଶତପଥୀଙ୍କ ଲିଖିତ ଓ ରାଜେଶ ମହାରଣା ଲିପୁଙ୍କ ଦ୍ବାରା ପୋଷ୍ଟ ହୋଇଥିବା ସାଢ଼େ ଚାରିଶହ ଶବ୍ଦର ଏହି ଆଲେଖ୍ୟଟିକୁ ମାତ୍ର ୬ ଜଣେ ଲାଇକ୍ କରିଥିବା ବେଳେ ଜଣେ ସେୟାର୍ କରିଛନ୍ତି।