ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ବିରୋଧୀ ଦଳଗୁଡ଼ିକ ହୋହଲ୍ଲା ଏବଂ ହଟ୍ଟଗୋଳ ଆରମ୍ଭ କରିଦେଇଛନ୍ତି। ଏଥିଯୋଗୁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମେ ନୂଆ ମନ୍ତ୍ରୀମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସେହି ସମୟରେ ବିରୋଧୀମାନେ ହୋହଲ୍ଲା କରି‌ଥିଲେ। ପାଟିତୁଣ୍ଡ ଲାଗି ରହିବାରୁ ବାଚସ୍ପତି ଓମ୍ ବିର୍ଲା ଦିନ ଦୁଇଟି ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ। ଏହାପରେ ଅଧି‌ବେଶନ ଆରମ୍ଭ ହୋଇଥିଲା। କିନ୍ତୁ ଅବସ୍ଥା ନସୁଧୁରିବାରୁ ବାଚସ୍ପତି ପ୍ରଥମେ ଅପରାହ୍ନ ୩ଟା ୩୦ ଏବଂ ପରେ ଆସନ୍ତାକାଲି ସକାଳ ୧୧ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବି ‌ଘୋଷଣା କରିଥିଲେ। ସେହିଭଳି ରାଜ୍ୟସଭା‌ରେ ମଧ୍ୟ ପାଟିତୁଣ୍ଡ ଜାରି ରହିବାରୁ ଉପରାଷ୍ଟ୍ରପତି ତଥା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡ଼ୁ ଗୃହକୁ ପର୍ଯ୍ୟାୟକ୍ରମେ ଆସନ୍ତାକାଲି ସକାଳ ୧୧ଟା ଯାଏଁ ମୁଲତବି କରିଛନ୍ତି।

Advertisment

ପ୍ରଥମ ଦିନରେ ତୃଣମୂଳ କଂଗ୍ରେସର ଏମପିମାନେ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ବିରୋଧ କରିଥିଲେ। ଏହାର ପ୍ରତିବାଦରେ ସେମାନେ ସାଇକେଲ ଚଳାଇ ସଂସଦକୁ ଆସିଥିଲେ। ଏଥିସହିତ ବିଏସପି ଏବଂ ସିରୋମଣି ଅକାଳୀ ଦଳର ସାଂସଦମାନେ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ବି‌କ୍ଷୋଭ ପ୍ରଦର୍ଶନ କରିଥିଲେ।

ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ପ୍ରଥମେ ନୂଆ ମନ୍ତ୍ରୀମାନଙ୍କ ପରିଚୟ ଦେଇଥିଲେ। କିନ୍ତୁ ବିରୋଧୀମାନେ ପ୍ରବଳ ହଟ୍ଟଗୋଳ କରିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଗୃହରେ ପରିଚିତ କରାଇ ପାରି ନଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ସଦନରେ ବିରୋଧୀମାନଙ୍କ ଏଭଳି ଆଚରଣକୁ କଡ଼ା ନିନ୍ଦା କରିଛନ୍ତି। ବିରୋଧୀମାନଙ୍କ ଏଭଳି ବିରୋଧକୁ ପ୍ରଧାନମନ୍ତ୍ରୀ ମଧ୍ୟ ସମାଲୋଚନା କରିଛନ୍ତି। ଦଳିତ, ମହିଳା, ଆଦିବାସୀ ଆଦି ବର୍ଗର ସାଂସଦମାନଙ୍କୁ ମନ୍ତ୍ରୀ କରାଯାଇଛି। ସେମାନଙ୍କ ପରିଚୟ ପ୍ରଦାନ ବିରୋଧୀମାନେ ବିରୋଧ କରୁଛନ୍ତି। ଏଥିରୁ ବିରୋଧୀମାନଙ୍କ ମହିଳା, ଆଦିବାସୀ, ଦଳିତ ବିରୋଧୀ ଆଭିମୁଖ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସଂସଦରେ ବିରୋଧୀଙ୍କ ଏଭଳି ନକାରାତ୍ମକ ମନୋଭାବ କେବେ ଦେଖାଦେଇ ନଥିଲା ବୋଲି ମୋଦୀ କହିଛନ୍ତି।

ଲିକ୍‌ ସମୟକୁ ନେଇ ପ୍ରଶ୍ନ ଉଠାଇଲେ ଶାହ
ପେଗାସସ୍‌ ରିପୋର୍ଟ ଲିକ୍‌ ହେବା ସମୟକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଶ୍ନ ଉଠାଇଛନ୍ତି। ଶାହ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ବିଶୃଙ୍ଖଳା ସୃଷ୍ଟିକାରୀ ଶକ୍ତିମାନେ ଭାରତରେ କିଛି ପ୍ରତିବନ୍ଧକ ସୃଷ୍ଟିକାରୀଙ୍କ ସହ ମିଶି ଏଭଳି ରିପୋର୍ଟ ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ବିଶୃଙ୍ଖଳାକାରୀମାନେ ଭାରତର ବିକାଶକୁ ଆଦୌ ପସନ୍ଦ କରନ୍ତିନି । ସେମାନେ ଭାରତର ବିକାଶର ପ୍ରତିବନ୍ଧକକାରୀଙ୍କ ସହ ମିଶି ଏଭଳି କରିଛନ୍ତି। ତେବେ ବିଶ୍ବ ସ୍ତରର ଏହି ବିଶୃଙ୍ଖଳା ସୃଷ୍ଟିକାରୀ ଏବଂ ଭାରତର ପ୍ରତିବନ୍ଧକସୃଷ୍ଟିକାରୀ ସେମାନଙ୍କ ଷଡ଼ଯନ୍ତ୍ର ଦ୍ବାରା ଦେଶର ବିକାଶରେ ବାଧା ପହଞ୍ଚାଇପାରିବେନି। ‌‌ମୌସୁମୀ ଅଧିବେଶନ ନୂଆ ବିକାଶର ଫଳ ପ୍ରଦାନ କରିବ। ‌‌ ଖାଲି ରିପୋର୍ଟ ଉପ‌ରେ ବିଚାର ନକରି ଘଟଣାକ୍ରମ କ’ଣ ଜାଣିବା ଉଚିତ୍‌ ବୋଲି ସେ କହିଛନ୍ତି।

publive-image

ଫୋନ୍‌ର ସବୁକିଛି ସେ ପଢ଼ୁଛନ୍ତି: ରାହୁଲ
ପେଗାସସ୍ ସ୍ପାଏୱେର ପ୍ରସଙ୍ଗ ପଦାକୁ ଆସିବା ପୂର୍ବରୁ ରାହୁଲ ଏକ ଟ୍ବିଟ୍ କରିଥିଲେ। ସେ କହିଥିଲେ ଆଜିକାଲି ସରକାର କ’ଣ ପଢ଼ୁଥିବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ତେବେ ପେଗାସସ୍ ସ୍ପାଏୱେର ଖବର ପ୍ରକାଶ ପାଇବା ପରେ ରାହୁଲ ଆଜି ସେହି ପୁରୁଣା ଟ୍ବିଟ୍ ସହିତ ସରକାର ଏବଂ ମୋଦୀଙ୍କୁ ଲକ୍ଷ୍ୟ କରି ଆଉ ଏକ ସମାଲୋଚନାମୂଳକ ଟ୍ବିଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଆମେ ଜାଣୁ ସେ କ’ଣ ପଢ଼ୁଛନ୍ତି- ତୁମ ଫୋନର ସବୁକିଛି ବୋଲି ରାହୁଲ କହିଛନ୍ତି।

ଦେଶ ବିରୋଧୀ କାର୍ଯ୍ୟ: ସୂର୍ଯ୍ୟେୱାଲା
ନୂଆଦିଲ୍ଲୀ: ଇସ୍ରାଏଲୀ କମ୍ପାନି ଏନଏସଓର ଗୁଇନ୍ଦା ସଫ୍ଟୱେର ପେଗାସସ୍‌କୁ ଉପଯୋଗ କରି ଭାରତୀୟ ରାଜନେତା, ବିଚାରପତି, ଆଇନଜୀବୀ ଏବଂ ସାମାଜିକ କର୍ମୀମାନଙ୍କ ଉପରେ ଗୁଇନ୍ଦାଗିରି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ କଂଗ୍ରେସ ଦଳପକ୍ଷରୁ ସରକାରଙ୍କୁ ଆଜି ଟାର୍ଗେଟ କରାଯାଇଛି। ଏହା ସରକାରଙ୍କର ଏକ ଦେଶବିରୋଧୀ କାର୍ଯ୍ୟ ବୋଲି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ପ୍ରସଙ୍ଗରେ ସରକାରଙ୍କୁ ଏକାଧିକ ପ୍ରଶ୍ନ ପଚାରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ନେତାବମାନେ ଏଥିରେ ସଂଶ୍ଳିଷ୍ଟ ଥିଲେ କି? ଭାରତ ସରକାର ଏହି ଗୁଇନ୍ଦା ସଫ୍ଟୱେରକୁ କିଣିଥିଲେ କି? ଏହି ସ‌ଫ୍ଟୱେର କିଣିବା ପାଇଁ କିଏ ଅନୁମତି ଦେଇଥିଲା? ଏ ବାବଦରେ କେତେ ଅର୍ଥ ଖର୍ଚ୍ଚ କରାଯାଇଛି? ଉକ୍ତ ଆର୍ଥିକ ବ୍ୟୟର ଉତ୍ସ କ’ଣ? ଆଦି ପ୍ରଶ୍ନ ସେ ସରକାରଙ୍କୁ ପଚାରିଛନ୍ତି। ୨୦୧୮-୨୦୨୧ ମଧ୍ୟରେ ଭାରତରେ ପେଗାସସ୍‌ ସ୍ପାଏୱେର ଥିବା ସଂପର୍କରେ ସରକାର ଅବଗତ ରହିଥିବା ନେଇ ପ୍ରକାଶିତ ଏକ ରିପୋର୍ଟକୁ ସୂର୍ଯ୍ୟେୱାଲା ଦର୍ଶାଇଛନ୍ତି। ଏହି ୩ ବର୍ଷ ବର୍ଷ ମଧ୍ୟରେ ସରକାର ଏହା ବିରୋଧରେ କାହିଁକି କାର୍ଯ୍ୟାନୁ‌ଷ୍ଠାନ ନେଇ ନଥିଲେ ବୋଲି ସେ କହିଛନ୍ତି।

ଖାଲି ଭାରତକୁ କାହିଁକି ଟାର୍ଗେଟ୍‌ କରାଯାଉଛି
ଇସ୍ରାଏଲ ସ୍ପାଏୱେର୍‌ ପେଗାସସ୍‌ ରିପୋର୍ଟକୁ ନେଇ ରାଜନୈତିକ ମହଲରେ କମ୍ପନ ସୃଷ୍ଟି ହୋଇଥିବାବେଳେ ପୂର୍ବତନ କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଯଦି ୪୫ ଟି ରାଷ୍ଟ୍ର ଏହି ସ୍ପାଏୱେର୍‌ ବ୍ୟବହାର କରୁଛନ୍ତି ତେବେ ଖାଲି ଭାରତକୁ କାହିଁକି ଟାର୍ଗେଟ୍‌ କରାଯାଉଛି। ରବିଶଙ୍କର କହିଛନ୍ତି, ପେଗାସସ୍‌ର ନିର୍ମାଣକାରୀ ଏନ୍‌ଏସ୍‌ଓ ସ୍ପଷ୍ଟ ଭାବେ କହିଛି ଯେ, ଏହାର ଗ୍ରାହକମାନଙ୍କ ମଧ୍ୟରେ ଅଧିକାଂଶ ପାଶ୍ଚାତ୍ୟ ଦେଶ ଅଛନ୍ତି। ତେବେ କେବଳ ଭାରତକୁ କାହିଁକି ଏହି ବିଷୟରେ ଟାର୍ଗେଟ୍‌ କରାଯାଉଛି ଏବଂ ଏହା ପଛର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ‌ସେହିପରି ରିପୋର୍ଟ ଆସିବାର ସମୟକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।