ନୂଆଦିଲ୍ଲୀ: ହିନ୍ଦୀ ଭାଷାଭାଷୀ ରାଜ୍ୟଗୁଡ଼ିକ ସଂପର୍କରେ ଡିଏମ୍କେ ସାଂସଦ ସେନ୍ଥିଲ କୁମାର ଗତକାଲି ବିବାଦୀୟ ବୟାନ ଦେଇଥିବା ବେଳେ ଆଜି ଏହାକୁ ନେଇ ଲୋକସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା ଏବଂ ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଓ ପ୍ରହଲ୍ଲାଦ ଯୋଶୀ ଡିଏମ୍କେ ନେତା ଟିଆର୍ ବାଲୁଙ୍କୁ ତାଙ୍କ ସହଯୋଗୀ ସେନ୍ଥିଲ କୁମାରଙ୍କ ବିବାଦୀୟ ଉତ୍ତର-ଦକ୍ଷିଣ ବିଭାଜନ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ଦାବି କରିଥିଲେ। ତେବେ ବିରୋଧୀ ଦଳ ସାଂସଦମାନେ ଏହାକୁ ବିରୋଧ କରିବାରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ଏବଂ କିଛି ସମୟ ପାଇଁ ମୁଲତବୀ ରଖାଯାଇଥିଲା।
ପ୍ରଶ୍ନକାଳରେ ବାଚସ୍ପତି ଓମ୍ ବିର୍ଲା ବାଲୁଙ୍କୁ ଡାକି ସରକାରଙ୍କୁ ପ୍ରଶ୍ନ ପଚାରିବାକୁ କହିବାରୁ ଦୁଇ ମନ୍ତ୍ରୀ ଠିଆହୋଇ କହିଥିଲେ ଯେ, ଡିଏମ୍କେ ନେତା ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟ ସମ୍ପର୍କରେ ସେନ୍ଥିଲ ଦେଇଥିବା ମନ୍ତବ୍ୟ ପାଇଁ ପ୍ରଥମେ କ୍ଷମା ମାଗିବା ଉଚିତ। କୌଣସି ସଦସ୍ୟ କିପରି ବିଭାଜନକାରୀ ମନ୍ତବ୍ୟ ଦେଇ ଚାଲିଯାଇ ପାରିବେ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଗୋୟଲ କହିଥିଲେ। ଅନ୍ୟପକ୍ଷରେ ବାଲୁ ମନ୍ତ୍ରୀମାନଙ୍କ ବିରୋଧକୁ କର୍ଣ୍ଣପାତ କରିନଥିଲେ। କିଛି ସମୟ ପରେ ବିଜେପିର ଅନ୍ୟ ସଦସ୍ୟମାନେ ମଧ୍ୟ ଉଠି ବାଲୁଙ୍କୁ କ୍ଷମା ମାଗିବାକୁ କହିଥିଲେ। ଆମେଥିରୁ ହାରିବା ପରେ ରାହୁଲ ଗାନ୍ଧି ମଧ୍ୟ ଉତ୍ତର-ଦକ୍ଷିଣ ବିଭାଜନକୁ ନେଇ ବୟାନ ଦେଇଥିଲେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ। ହଙ୍ଗାମା ଜାରି ରହିବାରୁ ଗୃହକୁ ୨୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।