ନୋଟ୍‌ରେ ସୁଭାଷ ବୋଷଙ୍କ ଛବି ରଖିବାକୁ କୋର୍ଟରେ ଆବେଦନ ହୋଇଥିଲା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାରତୀୟ ମୁଦ୍ରାରେ ଗାନ୍ଧୀଙ୍କ ଛବି ବଦଳରେ ଲକ୍ଷ୍ମୀ ଓ ଗଣେଶଙ୍କ ଛବି ରଖିବାକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିବା ବେଳେ ତା’ ପୂର୍ବରୁ ଅ‌ନ୍ୟ କେତେଜଣ ନାଗରିକ ବ୍ୟାଙ୍କ ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ବଦଳରେ ସୁଭାଷ ବୋଷ ପ୍ରଭୃତି ଅନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ଛବି ମଧ୍ୟ ରଖିବାକୁ କୋର୍ଟରେ ଆବେଦନ କରିଥିଲେ।

୨୦୧୭ରେ ପୃଥ୍ବୀଶ ଦାସଗୁପ୍ତ ନାମ‌କ ଜଣେ ବ୍ୟକ୍ତି ଭାରତୀୟ ମୁଦ୍ରାରେ ସୁଭାଷ ବୋଷଙ୍କ ଛବି ରଖିବାକୁ ଆବେଦନ କରି ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର କରିଥିଲେ। ୨୦୨୧ରେ ଜଣେ ୯୪ ବର୍ଷୀୟ ସ୍ବାଧୀନତା ସଂଗ୍ରାମୀ ହରେନ ବାଗଚୀ ବିଶ୍ବାସ ମଧ୍ୟ କଲିକତା ହାଇକୋର୍ଟରେ ନେତାଜୀଙ୍କ ଫଟୋ ଛାପିବାକୁ ଆବେଦନ କରିଥିଲେ ଯାହାକୁ କୋର୍ଟ ଖାରଜ କରିଦେଇଥିଲେ। ୨୦୨୧ ଅଗଷ୍ଟ ୮ରେ ମଧ୍ୟ ନୋଟ୍‌ରେ ନେତାଜୀଙ୍କ ଛବି ଛାପିବାକୁ କରାଯାଇଥିବା ଆବେଦନକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଥିଲେ। ସେତେବେଳେ ହାଇକୋର୍ଟ କହିଥିଲେ, ସ୍ବାଧୀନତା ସଂଗ୍ରାମ ପ୍ରତି ନେତାଜୀ ଓ ଅନ୍ୟ ସଂଗ୍ରାମୀଙ୍କ ଦାନକୁ ଅସ୍ବୀକାର କରାଯାଉ ନାହିଁ। କିନ୍ତୁ ଏମିତି ଯଦି ପ୍ରତ୍ୟେକ ଲୋକ ଦାବି କରିବେ, ତେବେ ଏପରି ଦାବିର ଅନ୍ତ ରହିବ ନାହିଁ। ଅଧିକନ୍ତୁ ଏବେ ତ ଧର୍ମ, ସମ୍ପ୍ରଦାୟ ଓ ଅଞ୍ଚଳକୁ ନେଇ ଦାବି ଉଠିଲାଣି। କେତେ ଦାବି ଉପରେ କୋର୍ଟ ଶୁଣାଣି କରିବେ? ସମ୍ବିଧାନ ଅନୁସାରେ ନୋଟ୍ ଛାପିବାର ଦାୟିତ୍ବ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ଦିଆଯାଇଛି। ତେଣୁ ନୋଟ୍ ଉପରେ କାହାର ଛବି ରହିବ ବା ରହିବ ନାହିଁ ସେ ବିଷୟରେ ନିଷ୍ପତ୍ତି ନେବାର ଦାୟିତ୍ବ ଆର୍‌ବିଆଇ କେନ୍ଦ୍ରୀୟ ବୋର୍ଡ ଏବଂ କେନ୍ଦ୍ର ସରକାରଙ୍କର ବୋଲି କୋର୍ଟ କହିଥିଲେ।

ସମ୍ବନ୍ଧିତ ଖବର