ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର ନିଜସ୍ବ ଖାଦ୍ୟଶସ୍ୟ ବଣ୍ଟନ ସ୍କିମ୍ ରହିଛି। ସେହି ସ୍କିମ୍ଗୁଡ଼ିକ ମଧ୍ୟରେ ମିଶ୍ରଣ ହେବ। ଖାଦ୍ୟ ନିରାପତ୍ତାକୁ ନିଶ୍ଚିତ କରିବା ଲାଗି ଏହି ସ୍କିମ୍କୁ ମିଶାଇ ଦିଆଯିବ। ଏଥି ସହିତ ଖାଦ୍ୟଶସ୍ୟ ଗଚ୍ଛିତ ରଖିବା ଲାଗି ଗୋଦାମ ଘରର ବ୍ୟବସ୍ଥା କରିବା ଉପରେ ସରକାର ଗୁରୁତ୍ବ ଦେବେ ବୋଲି ଜଣାପଡ଼ିଛି।
ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି କହିଛନ୍ତି ଯେ ଖାଦ୍ୟଶସ୍ୟକୁ ସଂରକ୍ଷିତ ରଖିବାରେ ଭାରତ ପଛୁଆ ରହିଛି। ପାରମ୍ପରିକ ବଦଳରେ ଯନ୍ତ୍ରାଂଶ ବ୍ୟବହାର କରି ଆଧୁନିକ ଗୋଦାମ ଘର ପ୍ରସ୍ତୁତ କରିବା ଆବଶ୍ୟକ। କାରଣ ତାହା ଅଧିକ ସ୍ବଚ୍ଛ ହୋଇପାରିବ। ଆମ ପାଖରେ ଏବେ ୨ ନିୟୁତ ଟନର ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ନାହିଁ। ଗୋଦାମ ଘର କ୍ଷମତା ବଢ଼ାଇବା ଲାଗି ବହୁ ଦିନରୁ ବିଚାର କରାଯାଉଥିଲେ ମଧ୍ୟ ସରକାର ଏବେ ସେଥିପ୍ରତି ଦୃଷ୍ଟି ଦେବା ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି। ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ଭଣ୍ଡାରରେ ଥିବା ଖାଦ୍ୟଶସ୍ୟ ପରିମାଣ ୨୦୨୨ରେ ପାଞ୍ଚବର୍ଷର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ଗଚ୍ଛିତ ଶସ୍ୟ ପରିମାଣ ୭୫-୮୫ ନିୟୁତ ଟନ୍ ମଧ୍ୟରେ ରହିଛି।