ପ୍ରଥମ ପଦକ୍ଷେପରେ ଉଦ୍ଧବଙ୍କ ନିଷତ୍ତିକୁ ବଦଳାଇଲେ ସିନ୍ଦେ, ଆରେରେ ହେବ ମେଟ୍ରୋ କାର ସେଡ୍ ପ୍ରକଳ୍ପ

ମୁମ୍ବାଇର ପରିବେଶ ସହ ଖେଳନାହିଁ: ଉଦ୍ଧବ

ମୁମ୍ବାଇ : ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବାପରେ ପ୍ରଥମ ପଦକ୍ଷେପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିଷ୍ପତ୍ତିକୁ ବଦଳାଇଛନ୍ତି। ଆରେ କଲୋନି ଅଞ୍ଚଳରେ ବିବାଦୀୟ ମେଟ୍ରୋ କାର ସେଡ୍ ପ୍ରକଳ୍ପକୁ ସେ ଅନୁମତି ଦେଇଛନ୍ତି। ୨୦୧୯ରେ ଦେବେନ୍ଦ୍ର ଫଡ଼ନାବିସଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ଆରେ କଲୋନି ଅଞ୍ଚଳରେ ମେଟ୍ରୋ କାର୍‌ ସେଡ୍ ସ୍ଥାପନ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏ ବିଷୟ କୋର୍ଟକୁ ଜଣାଇ ଦେବା ପାଇଁ ଏକନାଥ ଆଡଭୋକେଟ ଜେନେରାଲ ଆଶୁତୋଷ କୁମ୍ଭାକୋନିଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଏହି ସ୍ଥାନରେ କାର୍‌ ସେଡ୍‌ ପ୍ରକଳ୍ପର ୨୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ଶେଷ କରାଯାଇ ପାରିବ। ମୁମ୍ବାଇର ସ୍ବାର୍ଥରେ କାର ସେଡ୍ କେବଳ ସେଠାରେ ହିଁ ନିର୍ମାଣ ହେବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି।

ତେବେ ଏହି ପ୍ରକଳ୍ପକୁ ୨୦୧୯ରେ ପରିବେଶବିତମାନେ ପ୍ରବଳ ବିରୋଧ କରିଥିଲେ। ଉକ୍ତ କଲୋନିରୁ ଗଛ କାଟିବା ପାଇଁ ମୁମ୍ବାଇ ମେଟ୍ରୋ ରେଳ ନିଗମ ଯେତେବେଳେ ବିଏମ୍‌ସି ଅନୁମତି ଦେଇଥିଲା ସେତେବେଳେ ଏହାକୁ ଦୃଢ଼ ବିରୋଧ କରାଯାଇଥିଲା। ସେହିବର୍ଷ ନିର୍ବାଚନରେ ଉଦ୍ଧବଙ୍କ ନେତୃତ୍ବରେ ମହା ବିକାଶ ଅଘାଡ଼ି ମେଣ୍ଟ ସରକାର ଗଠନ ହୋଇଥିଲା। ପରିବେଶବିତ୍ ଓ ଆନ୍ଦୋଳନକାରୀଙ୍କ ଦାବିକୁ ଦୃଷ୍ଟିରେ ରଖି ମେଣ୍ଟ ସରକାର ଏହି ପ୍ରକଳ୍ପକୁ ଆରେ କଲୋନିରୁ କଞ୍ଜୁରମାର୍ଗକୁ ଉଠାଇ ନେଇଥିଲେ। ଏହାକୁ ବିରୋଧ କରି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ୨୦୨୦ରେ ବମ୍ବେ ହାଇକୋର୍ଟ ଯାଇଥିଲେ। ହାଇକୋର୍ଟ ଏହା ଉପରେ ରହିତାଦେଶ ଲଗାଇଥିଲେ। ସେବେଠାରୁ ପ୍ରକଳ୍ପ ଅଟକି ରହିଛି। ସଂପ୍ରତି ଏକନାଥ ସିନ୍ଦେଙ୍କ ନିଷ୍ପତ୍ତି ପରେ ବିଜେପି ନେତା କିରୀଟ ସୋମେୟା ଟ୍ବିଟ୍ କରିଛନ୍ତି। ‌ମୁମ୍ବାଇ ମେଟ୍ରୋ ରେଳ କାର୍ଯ୍ୟ ପୁଣି ଫେରିବ ବୋଲି ସେ କହିଛନ୍ତି।

ମୁମ୍ବାଇର ପରିବେଶ ସହ ଖେଳନାହିଁ: ଉଦ୍ଧବ
ମୁମ୍ବାଇ : ଆରେ କାଲୋନିରେ ମେଟ୍ରୋ କାର ସେଡ୍ ନିର୍ମାଣ ପାଇଁ ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ନେଇଥିବା ନିଷ୍ପତ୍ତିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କଡ଼ା ସମାଲୋଚନା କରିଛନ୍ତି। ସେନା ଭବନରେ ସମ୍ବୋଧିତ କରିବା ଅବସରରେ ଶିବସେନା ମୁଖ୍ୟ କହିଛନ୍ତି ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଆରେ କଲୋନିକୁ ବିକାଶମୂଳକ କାର୍ଯ୍ୟ ପାଇଁ ପର୍ଯ୍ୟାୟକ୍ରମେ ଖୋଲି ଦିଆଯିବ। ମୋ ଉପରେ ଥିବା ରାଗକୁ ମୁମ୍ବାଇବାସୀଙ୍କ ଉପରେ ଦେଖାଅ ନାହିଁ। ମେଟ୍ରୋ ସେଡ୍ ପ୍ରକଳ୍ପ ପ୍ରସ୍ତାବକୁ ପରିବର୍ତ୍ତନ କରନାହିଁ। ମୁମ୍ବାଇର ପରିବେଶ ସହିତ ଖେଳନାହିଁ ବୋଲି ଉଦ୍ଧବ ଠାକରେ କହିଛନ୍ତି।

ସମ୍ବନ୍ଧିତ ଖବର