ବିଜ୍ଞାନରେ ବିଫଳତା ନାହିଁ, ଅଛି କେବଳ ପରୀକ୍ଷା: ଇସ୍ରୋ ବୈଜ୍ଞାନିକମାନଙ୍କୁ କହିଲେ ପ୍ରଧାମନ୍ତ୍ରୀ ମୋଦୀ

ବେଙ୍ଗାଲୁର: ବିଜ୍ଞାନରେ ବିଫଳତା ନାହିଁ, ଅଛି କେବଳ ପରୀକ୍ଷା ବୋଲି ଶନିବାର ସକାଳ ୮ଟା ବେଳେ ବେଙ୍ଗାଲୁରୁସ୍ଥିତ ଇସ୍ରୋ କଣ୍ଟ୍ରୋଲ୍‌ ରୁମ୍‌ରେ ବୈଜ୍ଞାନିକମାନଙ୍କୁ ପ୍ରଧାମନ୍ତ୍ରୀ ମୋଦୀ କହିଛନ୍ତି। ସେ ପୁଣି କହିଲେ କି, ପରୀକ୍ଷା ବିଜ୍ଞାନ ପାଇଁ ଯଥେଷ୍ଟ ନୁହେଁ।

ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ବିକ୍ରମ ଅବତରଣ ବିଫଳ ହେବା ପରେ ହତୋତ୍ସାହ ହୋଇପଡ଼ିଥିବା ବୈଜ୍ଞାନିକମାନଙ୍କୁ ପ୍ରେରଣା ଦେଇ ସେ ଆହୁରି କହିଲେ କି, ମୁଁ ବୁଝିପାରୁଛି ଗତରାତିରେ ଆପଣମାନେ କି ଭଳି ମାନସିକ ସ୍ଥିତ ଦେଇ ଗତି କରିଛନ୍ତି। ଆପଣମାନେ ଭାରତ ପାଇଁ ହିଁ ବଞ୍ଚିଛନ୍ତି।ଭାରତର ଗୌରବ ପାଇଁ କାର୍ଯ୍ୟ କରୁଛନ୍ତି। ମୁଁ ଆପଣଙ୍କ ହତାଶା ବୁଝି ପାରୁଛି। ଏହି ପ୍ରକଳ୍ପ ନିମନ୍ତେ ଆପଣମାନେ ଅନେକ ବିନିଦ୍ର ରଜନୀ ବିତାଇଛନ୍ତି। ଆମ ବୈଜ୍ଞାନିକମାନଙ୍କୁ ସମର୍ଥନ ଦେବାକୁ ଆମେ ଜାଗ୍ରତ ରହିଛୁ। ଚନ୍ଦ୍ରରେ ପହଞ୍ଚିବା ନିମନ୍ତେ ଆମର ପଣ ଦୃଢ଼ତର ହୋଇଛି। ଆମେ ଖୁବ୍‌ ନିକଟତର ହୋଇଛୁ, କିନ୍ତୁ ଆଗାମୀ ସମୟରେ ଆମକୁ ଆହୁରି ଦୂର ପଥ ଅତିକ୍ରମ କରିବାକୁ ପଡ଼ିବ।

Image Source: Hindustan Times

ସେ କହିଲେ, ମହାକାଶ କ୍ଷେତ୍ରରେ ଆମର ପୂର୍ଣ୍ଣ ଭରସା ରହିଛି। ସର୍ବୋତ୍ତମ ସମୟ ଆସୁଛି। ନୂଆ ସୀମାନ୍ତ ଆବିଷ୍କାର କରିବାକୁ ଓ ନୂଆ ସ୍ଥାନକୁ ଯିବାର ଅଛି। ବିଶେଷ ପରିସ୍ଥିତିରେ ଆମେ ସ୍ୱାଭାବିକ ଠାରୁ ଅଧିକ ସକ୍ରିୟ ହେବା ଏବଂ ସଫଳତାର ନୂତନ ଶିଖର ଆରୋହଣ କରିବା।

ଭାରତବାସୀ ଆପଣମାନଙ୍କୁ ସହଯୋଗ କରୁଛନ୍ତି। ଜାତୀୟ ସଫଳତା ନିମନ୍ତେ ଆପଣମାନଙ୍କ ଅବଦାନ ଅବିଶ୍ୱସନୀୟ। ଆପଣ ଏଭଳି ସ୍ଥାନକୁ ଯିବାକୁ ଦୁଃସାହସ କରିଛନ୍ତି ଯେଉଁଠାକୁ ପୂର୍ବରୁ କେହି ଯାଇ ନାହାନ୍ତି। ଆମେ ବାରମ୍ବାର କଠିନ ପରିସ୍ଥିତିରେ ପଡ଼ି ମଧ୍ୟ ସ୍ୱାଭାବିକ ସ୍ଥିତିକୁ ଆସି ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଆପଣମାନଙ୍କର ଉଦ୍ୟମ ଯେମିତି ପ୍ରଶଂସନୀୟ, ଯାତ୍ରା ମଧ୍ୟ ସେମିତି। ଆମ ଟିମ୍‌ କଠିନ ପରିଶ୍ରମ କରିଛନ୍ତି।

Image Source: Hindustan Times

ନୂତନ ପ୍ରତ୍ୟୁଷ ଓ ଉଜ୍ଜ୍ୱଳ ଭବିଷ୍ୟତ ଆସିବ। ଆପଣଙ୍କମାନଙ୍କ ଉଦ୍ୟମ ପାଇଁ ମୁଁ ଗର୍ବିତ। ପ୍ରତ୍ୟେକ ଅସୁବିଧା ଆମକୁ ନୂଆ କିଛି ଶିକ୍ଷାଦେଇ ଭବିଷ୍ୟତର ସଫଳତା ନିର୍ଦ୍ଧାରଣ କରେ। ସଫଳତାର ଭାଷାକୋଷ ରଖିଥିବା ଇସ୍ରୋର ଉଡ଼ାଣ ପଥରେ ବାଧା ନାହିଁ। ମୋର ସ୍ୱପ୍ନ ଏବଂ ପଣଠାରୁ ଆପଣମାନଙ୍କର ସ୍ୱପ୍ନ ଓ ପଣ ଅଧିକ ଟାଣୁଆ। ଆପଣମାନଙ୍କୁ ଭାଷଣ ଦେବାକୁ ମୁଁ ଆସିନାହିଁ, ଆପଣଙ୍କମାନଙ୍କ ଠାରୁ ପ୍ରେରଣା ପାଇବାକୁ ଆସିଛି। ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭ ମନାସୁଛି।

ସମ୍ବନ୍ଧିତ ଖବର