ନୂଆଦିଲ୍ଲୀ:ବର୍ଷର ଦ୍ବିତୀୟ ଚନ୍ଦ୍ର ଗ୍ରହଣ ସେପ୍ଟେମ୍ବର ୭ ତାରିଖରେ ଶେଷ ହୋଇଛି। ରାତି ୯ଟା ୫୭ ମିନିଟ୍ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇ ରାତି ଗୋଟାଏ ୨୭ମିନିଟ୍ ୧୭ସେକେଣ୍ଡରେ ସର୍ବମୋକ୍ଷ ହୋଇଥିଲା ।

Advertisment

ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଫିଜିରେ ଦୃଶ୍ୟମାନ ହୋଇଛି ।  ଚନ୍ଦ୍ରଗ୍ରହଣର ସୂତକ ସମୟରେ ଦେଶବ୍ୟାପୀ ପୂଜା-ଅର୍ଚ୍ଚନା ସହିତ ମନ୍ଦିରର ଦ୍ୱାର ବନ୍ଦ ରହିଥିଲା। କିନ୍ତୁ ଏପରି କିଛି ମନ୍ଦିର ଅଛି ଯାହା ଗ୍ରହଣ ସମୟରେ ଭକ୍ତଙ୍କ ପୂଜା ଅର୍ଚ୍ଚନା ପାଇଁ ଖୋଲା ରହିଥାଏ।

ଶିବଙ୍କ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ହେଉଛି ଉଜ୍ଜୟୀନର ମହାକାଳେଶ୍ୱର ମନ୍ଦିର। ଏହି ମନ୍ଦିରର ଦ୍ୱାର ଗ୍ରହଣ ସମୟରେ ବନ୍ଦ ହୁଏ ନାହିଁ। ସ୍ୱୟଂଭୁ ମହାକାଳ ସ୍ବରୂପ ଭଗବାନ ଶିବଙ୍କ ଉପରେ ଗ୍ରହଣର କୌଣସି ପ୍ରଭାବ ପଡ଼ି ନଥାଏ। ତେଣୁ ଗ୍ରହଣ ସମୟରେ ଏହି ମନ୍ଦିରର ଦ୍ୱାର ବନ୍ଦ ହୁଏ ନାହିଁ।

ସେହିପରି ଗ୍ରହଣ ସମୟରେ ଦିଲ୍ଲୀର କାଲକାଜୀ ମନ୍ଦିରର ଦ୍ୱାର କେବେବି ବନ୍ଦ ହୁଏ ନାହିଁ। ବିଶ୍ୱାସ କରାଯାଏ ଯେ କାଲକା ଦେବୀ ସମୟ ଚକ୍ରର ମାଲିକାଣୀ। ସମସ୍ତ ଗ୍ରହ ଏବଂ ନକ୍ଷେତ୍ର ତାଙ୍କ ଦେଇ ଗତି କରିଥାଆନ୍ତି। ଏପରି ପରିସ୍ଥିତିରେ ଗ୍ରହଣ ତାଙ୍କ ଉପରେ ପ୍ରଭାବ ପକାଏ ନାହିଁ। କେବଳ ଏତିକି ନୁହେଁ, ଗ୍ରହଣ ସମୟରେ ଭକ୍ତମାନେ ଏହି ମନ୍ଦିରକୁ ଦର୍ଶନ ଏବଂ ପୂଜା କରିବା ପାଇଁ ବି ଆସିଥାଆନ୍ତି।

ଏହି ତାଲିକାରେ ଉତ୍ତରାଖଣ୍ଡର କଳ୍ପେଶ୍ୱର ମନ୍ଦିର ବି ରହିଛି। ଗ୍ରହଣ ସମୟରେ କଳ୍ପେଶ୍ୱର ମନ୍ଦିର ଦ୍ବାର କେବେ ବି ବନ୍ଦ ହୁଏ ନାହିଁ। ଏହି ମନ୍ଦିରରେ ଭଗବାନ ଶିବ ମାତା ଗଙ୍ଗାଙ୍କ ପ୍ରବାହକୁ ହ୍ରାସ କରିଥିଲେ। 
ସେହିପରି କେରଳର କୋଟ୍ଟାୟମର ତିରବରପ୍ପୁରେ ଶ୍ରୀକୃଷ୍ଣଙ୍କ ଏକ ମନ୍ଦିର ଅଛି। ଏହି ମନ୍ଦିରରେ ଭଗବାନ କୃଷ୍ଣଙ୍କୁ ଦିନକୁ ଦଶଥର ଖାଦ୍ୟ ଅର୍ପଣ କରାଯାଏ ଏବଂ ଏଠାରେ ପ୍ରଭୁ ବହୁତ ଭୋକ ଅନୁଭବ କରି ଥାଆନ୍ତି। ବିଶ୍ୱାସ କରାଯାଏ ଯେ ଭୋକ ଯୋଗୁଁ ପ୍ରଭୁଙ୍କ ମୂର୍ତ୍ତି ପତଳା ହୋଇଯାଏ। ତେଣୁ ଗ୍ରହଣ ସମୟରେ ମଧ୍ୟ ଏହି ମନ୍ଦିରର ଦ୍ୱାର ବନ୍ଦ ହୁଏ ନାହିଁ ଏବଂ ପ୍ରଭୁଙ୍କୁ ଭୋଜନ ଅର୍ପଣ କରାଯାଏ।

ବିଶ୍ୱାସ ଅନୁସାରେ, ଗ୍ରହଣ ସମୟରେ ପିଣ୍ଡ ଦାନ କରିବା ଭଲ। ତେଣୁ ଗ୍ରହଣ ସମୟରେ ଗୟାର ବିଷ୍ଣୁପାଦ ମନ୍ଦିରର ଦ୍ୱାର ବନ୍ଦ ହୁଏ ନାହିଁ। ଏତଦ ବ୍ୟତୀତ ରାଜସ୍ଥାନର ବିକାନେରରେ ଥିବା ଲକ୍ଷ୍ମୀନାଥ ମନ୍ଦିରର ଦ୍ୱାର ଗ୍ରହଣ ସମୟରେ ବନ୍ଦ ହୁଏ ନାହିଁ। ବିଶ୍ୱାସ କରାଯାଏ ଯେ ଥରେ ଗ୍ରହଣ ସମୟରେ ଦ୍ୱାର ବନ୍ଦ ହୋଇଯାଇଥିଲା ଏବଂ ଭଗବାନଙ୍କୁ କୌଣସି ନୈବେଦ୍ୟ ଦିଆଯାଇ ନଥିଲା। 

ଏହାପରେ ମନ୍ଦିର ପାଖରେ ଥିବା ମିଠା ଦୋକାନର ମିଠା ବ୍ୟବସାୟୀ ଏକ ସ୍ୱପ୍ନ ଦେଖିଥିଲେ। ସ୍ବପ୍ନରେ ଭଗବାନ ତାଙ୍କୁ ଭୋକ ଲାଗୁଥିବା କଥା କହିଥିଲେ। ସେବେଠାରୁ ଏକ ବିଶ୍ୱାସ ଅନୁଯାୟୀ ଗ୍ରହଣ ସମୟରେ ଏହି ମନ୍ଦିରର ଦ୍ୱାରକୁ ବନ୍ଦ କରାଯାଏ ନାହିଁ। ପ୍ରତିଦିନ ଯେପରି ପୂଜା ଅର୍ଚ୍ଚନା ହୁଏ ଗ୍ରହଣ ସମୟରେ ବି ସେପରି ଚାଲିଥାଏ।