ଏମାନେ ବି ଦାନୀ

କୋଚି: ଦାନ କରିବା ପାଇଁ ପାଖରେ ମେଂଚାଏ ଧନରତ୍ନ ଥିଲେ ଯଥେଷ୍ଟ ନୁହେଁ। ଏଥିପାଇଁ ମନରେ ଇଚ୍ଛା ଥିବା ଆବଶ୍ୟକ। ତା’ଛଡ଼ା କେବଳ ଧନୀ ଲୋକମାନେ ଦାନ କରିବାର ସାମର୍ଥ୍ୟ ରଖିଛନ୍ତି, ତାହା ମଧ୍ୟ ଭାବିବା ସମୀଚୀନ ନୁହେଁ। ସମସ୍ତେ ଏହି ମହତ୍‌ କାର୍ଯ୍ୟ କରିବାକୁ ସମର୍ଥ। ସମ୍ବଳ ଅନୁସାରେ ଯେ କୌଣସି ବ୍ୟକ୍ତି ନିଜ ଆୟ ବା ସଂଚିତ ସଂପତ୍ତିରୁ କିଛି ଅଂଶ ଦୁଃଖୀରଙ୍କିଙ୍କୁ ଦେଇପାରିବେ। ଦାନ କରିବା ଦ୍ୱାରା କେହି ଗରିବ ହୋଇଯାଆନ୍ତି ନାହିଁ। ବରଂ ଏହା ମନକୁ ହାଲୁକା କରେ ଏବଂ ପ୍ରବଳ ଆତ୍ମସନ୍ତୁଷ୍ଟି ପ୍ରଦାନ କରେ, ଯାହା କି ପ୍ରଚୁର ସଂପତ୍ତି ଦେଇପାରି ନଥାଏ। କେରଳ ବନ୍ୟା ବିଭୀଷିକାରେ ପ୍ରଭାବିତ ଲୋକଙ୍କ ପାଇଁ ନିଜ ସ୍ୱଳ୍ପ ଆୟ ବା ସଂଚିତ ଟଙ୍କା ଦାନ କରି କିଛି ଲୋକ ଏହା ପ୍ରମାଣିତ କରିଦେଇଛନ୍ତି।
କେରଳର କୋଟ୍ଟାୟମ୍‌ ସହରର ବାସିନ୍ଦା ମୋହନନ୍‌। ଭିକ୍ଷାବୃତ୍ତି କରି ପେଟ ପୋଷିବା ସହିତ ପରିବାରର ଭରଣପୋଷଣ କରନ୍ତି। ବୟସାଧିକ୍ୟ ଯୋଗୁ କୌଣସି କାମ କରିପାରୁନାହାନ୍ତି। ତେଣୁ ଏହା ତାଙ୍କ ରୋଜଗାରର ମାଧ୍ୟମ। ଭିକାରି ହେବା ସତ୍ତ୍ୱେ ତାଙ୍କ ମନରେ ଦାନ କରିବାର ଇଚ୍ଛା ମରିନାହିଁ। ଭିକାରି ହୋଇ ସୁଦ୍ଧା କେରଳ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସେ ଦାନ କରିଛନ୍ତି। ନିଜ ସମ୍ବଳ ଅନୁସାରେ ୯୪ ଟଙ୍କା ଦାନ କରିଛନ୍ତି ମୋହନନ୍‌। ଏହା କେରଳ ବନ୍ୟା ପ୍ରଭାବିତଙ୍କ ପାଇଁ ବହୁତ ନ୍ୟୂନ ହୋଇପାରେ। କିନ୍ତୁ ଏହି ଛୋଟିଆ ଦାନ କରି ସେ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚିତ ହୋଇଛନ୍ତି। ସ୍ଥାନୀୟ କର୍ପୋରେଟର୍‌ଙ୍କ ଘରକୁ ୪ କିଲୋମିଟର ଚାଲି ଚାଲି ଯାଇ ସେ ରିଲିଫ ପାଣ୍ଠିକୁ ୯୪ ଟଙ୍କା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଧନ ନ ଥିଲେ ବି ସେ ଆଜି ଦାନୀ ସାଜିଛନ୍ତି।
ସେହିଭଳି ଆଉ ଜଣେ ହେଲେ ନିପା ଭାଇରସ୍‌ରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ନର୍ସ ଲିନିଙ୍କ ସ୍ୱାମୀ। ଲିନିଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀଙ୍କୁ ସରକାରୀ ଚାକିରି ମିଳିଥିଲା। ଆର୍ଥିକ ଅନଟନ ଦେଇ ଗତି କରୁଥିବାରୁ ପ୍ରଥମ ମାସର ବେତନ ପାଇଁ ବ୍ୟାକୁଳତାର ସହ ଅପେକ୍ଷା କରିଥିଲେ। କିନ୍ତୁ ସେହି ସମୟ ମଧ୍ୟରେ କେରଳରେ ବନ୍ୟା ବିତ୍ପାତ ଘଟିଲା। ହଜାର ହଜାର ଲୋକ ବାସହରା ହେଲେ। ଅନେକ ଲୋକ ସର୍ବସ୍ୱ ହରାଇଲେ। ତେଣୁ ରାଜ୍ୟବାସୀଙ୍କ ଦୁଃଖକୁ କିଛି ପରିମାଣରେ ଲାଘବ କରିବା ପାଇଁ ଲିନିଙ୍କ ସ୍ୱାମୀ ତାଙ୍କର ପ୍ରଥମ ମାସର ଦରମାକୁ ଦାନ କରିଦେଲେ। ଅନ୍ୟ ପାଇଁ ସେ ଆଜି ଉଦାହରଣ।
ଆଉ ଜଣେ ଦାନୀ ହେଉଛନ୍ତି ୧୨ ବର୍ଷୀୟା ଅକ୍ଷୟା। ଅକ୍ଷୟା କ୍ୟାନ୍‌ସରରେ ପୀଡ଼ିତା। ନିଜ ଅସ୍ତ୍ରୋପଚାର ପାଇଁ ରହିଥିବା ଟଙ୍କା ମଧ୍ୟରୁ କିଛି କେରଳ ପାଇଁ ଦାନ କରିଛନ୍ତି ସେ। ଅସ୍ତ୍ରୋପଚାର ତାରିଖକୁ ଘୁଂଚାଇ ସେ ନିଜକୁ ବିପଦ ମଧ୍ୟକୁ ଠେଲିଦେଇଛନ୍ତି। ତେବେ ତାଙ୍କର ଏହି ମହତ୍‌ ଦାନ ବେକାର ଯାଇନାହିଁ। କୁହାଯାଏ, ଅନ୍ୟର ଭଲ ଚାହୁଥିବା ଲୋକର କେବେ ଅମଂଗଳ ହୁଏନାହିଁ। ଅକ୍ଷୟାଙ୍କ କ୍ଷେତ୍ରରେ ମଧ୍ୟ ସେଇଆ ଘଟିଲା। ଏବେ ଦେଶର ୨୦ରୁ ଊର୍ଦ୍ଧ୍ୱ ହସ୍ପିଟାଲ୍‌ ଅକ୍ଷୟାଙ୍କର ସଂପୂର୍ଣ୍ଣ ମାଗଣା ଅସ୍ତ୍ରୋପଚାର ପାଇଁ ଆଗେଇ ଆସିଛନ୍ତି।
ଗୁଜରାଟର ମେହସାଣାରେ ରହୁଥିବା ଅନ୍ୟ ଜଣେ ମହାଦାନୀ ହେଲେ ଖିମ୍‌ଜୀ ପ୍ରଜାପତି। ଭିକ୍ଷାବୃତ୍ତି କରୁଥିବା ଏହି ୭୧ ବର୍ଷୀୟ ବୃଦ୍ଧ ଜଣକ କ୍ୟାନ୍‌ସରରେ ପୀଡ଼ିତ। ନିଜ ଚିକିତ୍ସା ପାଇଁ ଭିକ୍ଷା ମାଗି ଟଙ୍କା ଏକାଠି କରିଥିଲେ। କିନ୍ତୁ ଚିକିତ୍ସା ପାଇଁ ଆହୁରି ଅନେକ ଟଙ୍କା ଦରକାର ଥିଲା। ଏଥିପାଇଁ ଦିନରାତି ଅନ୍ୟ ପାଖରେ ହାତ ପତେଇଥିଲେ। କିନ୍ତୁ ସେ ମଧ୍ୟ କେରଳ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ନିଜର ସର୍ବସ୍ୱ ଦାନ କରିଦେଇଛନ୍ତି।
କେରଳରେ ମାଛ ବିକି୍ର କରି ନିଜ ପରିବାର ଚଳାଇବା ସହିତ ପଢ଼ା ଖର୍ଚ୍ଚ ଉଠାଉଥିବା ଜଣେ ଛାତ୍ରୀଙ୍କ ସଂପର୍କରେ ଆଜି ଦେଶବ୍ୟାପୀ ଚର୍ଚ୍ଚା। କେରଳ ବନ୍ୟା ତାଙ୍କଠାରେ ଆଉଏକ ମହତ୍‌ ଗୁଣ ଆବିଷ୍କାର କରିଛି। ତାହା ହେଉଛି ଦାନ କରିବାର ପ୍ରବଳ ଇଚ୍ଛା। ମାଛ ବିକ୍ରି କରି ସଂଚୟ କରିଥିବା ୧.୫ ଲକ୍ଷ ଟଙ୍କା ସେ କେରଳ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଦାନ କରିଦେଇଛନ୍ତି। ଏଥିପାଇଁ ତାଙ୍କୁ ଅନେକ ମହଲରେ ପ୍ରବଳ ପ୍ରଶଂସା ଓ ପୁରସ୍କାର ମିଳିଛି। ଉଲ୍ଲେଖଯୋଗ୍ୟ, ଗତ ମାସରେ କେରଳରେ ବନ୍ୟା ବିଭୀଷିକା ୧୦ ଦିନ ଧରି ରାଜ୍ୟବାସୀଙ୍କୁ ନାକେଦମ୍‌ କରିଥିଲା। ଏଥିଯୋଗୁ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି। ରାଜ୍ୟ ଏହାଦ୍ୱାରା ପ୍ରାୟ ୨୦,୦୦୦ କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହୋଇଛି। ଏହି କ୍ଷତି ଭରଣା ପାଇଁ ରାଜ୍ୟକୁ ବର୍ଷ ବର୍ଷ ସମୟ ଲାଗିବ।

ସମ୍ବନ୍ଧିତ ଖବର