ନୂଆଦିଲ୍ଲୀ: ସାରା ଦେଶରେ ଲକଡାଉନ ବଳବତ୍ତର ଥିବାବେଳେ ପୁର୍ବଘୋଷଣା ମୁତାବକ ଆଜି କିଛି ନିୟମରେ ପରିବର୍ତ୍ତନ ହୋଇଛି | ମେ ୧ ରୁ ନୂତନ ନିୟମ କାର୍ଯ୍ୟକାରୀ ହେଉଥିବାବେଳେ ଲକଡାଉନ ପରେ ଏଗୁଡିକ କାର୍ଯ୍ୟକାରୀ ହୋଇଯିବ | ଆଜିଠାରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସୁଧ ହାରରେ ପରିବର୍ତ୍ତନ ଆସୁଛି। ମେ ୧ ତାରିଖରୁ ଏକ ଲକ୍ଷରୁ ଅଧିକ ସଞ୍ଚୟ ଜମା ଖାତା ଉପରେ ସୁଧ ହାର ହ୍ରାସ କରାଯିବ । ଏଥି ସହିତ, ନୂତନ ଋଣ ନେବାକୁ ଥିବା ବ୍ୟକ୍ତିମାନେ ବର୍ତ୍ତମାନ କମ୍ ସୁଧ ହାରରେ ଋଣ ପାଇବେ।

Advertisment

ଅନ୍ୟପକ୍ଷରେ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଆଜିଠାରୁ ନିୟମ ବଦଳିଛି। ପିଏନବି ଏହାର ଡିଜିଟାଲ୍ ୱାଲେଟ୍ ୧ ମେ ଠାରୁ ବନ୍ଦ କରି ଦେଇଛି | ପିନବିର ପେମେଣ୍ଟ ୱାଲେଟ୍ ସେବା କିଟି ୱାଲେଟ୍ ମେ ୧ ରୁ ବନ୍ଦ ହୋଇଯାଇଛି | ଏହା ୩୦ ଏପ୍ରିଲ ପର୍ଯ୍ୟନ୍ତ ଖାତାଧାରୀଙ୍କ ପାଇଁ ଖୋଲା ରଖାଯାଇଥିଲା | ମଧ୍ୟରାତ୍ରି ପରେ ଏହା ବନ୍ଦ ହୋଇଯାଇଥିଲା | ପିଏନବିର ଏହି କିଟି ୱାଲେଟ୍ ଆକାଉଣ୍ଟ୍ ଧାରକମାନେ ଡିଜିଟାଲ୍ ପେମେଣ୍ଟ ସୁବିଧା ପାଉଥିଲେ | ଡିସେମ୍ବର ୨୦୧୬ ରେ ବ୍ୟାଙ୍କ ଏହି ସେବା ଆରମ୍ଭ କରିଥିଲା।

ଅନ୍ୟପଟେ ରେଳବାଇର ପ୍ରମୁଖ ନିୟମ ଆଜିଠାରୁ ବଦଳିଛି। ନୂତନ ନିୟମ ଅନୁଯାୟୀ, ମେ ୧ ରୁ ରେଳ ଯାତ୍ରା କରୁଥିବା ଯାତ୍ରୀମାନେ ସଂରକ୍ଷଣ ଚାର୍ଟ ବାହାରିବାର ୪ ଘଣ୍ଟା ପୂର୍ବରୁ ବୋର୍ଡିଂ ଷ୍ଟେସନକୁ ପରିବର୍ତ୍ତନ କରିପାରିବେ। ପୂର୍ବରୁ ରେଳବାଇର ନିୟମ ଅନୁଯାୟୀ ଯାତ୍ରୀ ଯାତ୍ରା ତାରିଖର ୨୪ ଘଣ୍ଟା ପୂର୍ବରୁ ତାଙ୍କ ବୋର୍ଡିଂ ଷ୍ଟେସନ୍ ବଦଳାଇବାର ଥିଲା | କିନ୍ତୁ ବର୍ତ୍ତମାନ ଏହା ୪ ଘଣ୍ଟା ପୂର୍ବରୁ ହୋଇପାରିବ। ସେହିପରି ମେ ୧ ରୁ ସମସ୍ତ ଏୟାର ଇଣ୍ଡିଆ ଯାତ୍ରୀଙ୍କ ପାଇଁ ଟିକେଟ୍ ବାତିଲ ଉପରେ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ | ମେ ୧ ତାରିଖରୁ ଯାତ୍ରାର ୨୪ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ କିମ୍ବା ପରିବର୍ତ୍ତନ ମାମଲାରେ କମ୍ପାନୀ ବାତିଲ ଚାର୍ଜକୁ ନେବନାହିଁ |