ତାଜମହଲ ତଳେ ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରି ଖୋଜୁଛନ୍ତି: ଅୱେସି

ଭିୱାଣ୍ଡି: ତାଜ୍‌ମହଲ୍‌ ତଳେ ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରି ଖୋଜୁଛନ୍ତି ବୋଲି ଶନିବାର ଦିନ ମହାରାଷ୍ଟ୍ରର ଭିୱାଣ୍ଡିରେ ଏକ ରାଲିରେ ଉଦ୍‌ବୋଧନ ଦେବା ବେଳେ  ‘ଏଆଇଏମ୍‌ଆଇଏମ୍‌’ର ମୁଖ୍ୟ ଅସଦୁଦ୍ଦୀନ ଅୱେସି ‘ବିଜେପି’ ଏବଂ ‘ଆର୍‌ଏସ୍‌ସ୍‌’କୁ ସମାଲୋଚନା କରି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଗ୍ରାସ୍ଥିତ ତାଜ୍‌ମହଲର ୨୨ଟି ବନ୍ଦ କୋଠରି ଭିତରେ କ’ଣ ରହିଛି ଜାଣିବା ପାଇଁ ସେଗୁଡ଼ିକୁ ଖୋଲାଯାଉ ବ‌ୋଲି ‘ବିଜେପି’ର ଜେଣ ନେତା ଆହ୍ଲାବାଦ ହାଇକୋର୍ଟରେ ପିଟିସନ୍ ଦାଏର କରିଥିଲେ। କିନ୍ତୁ, ସେ କଥା ଐତିହାସିକମାନଙ୍କ ଉପରେ ଛାଡ଼ି ଦିଆଯାଉ କହି ଅଦାଲତ ଉକ୍ତ ପିଟିସନ୍‌କୁ ଖାରଜ କରିବା ପରେ ଅୱେସି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ବିଶାଳ ସମାଧି ତାଜ୍‌ମହଲ ବାସ୍ତବରେ ଗୋଟାଏ ପୁରାତନ ଶିବ ମନ୍ଦିର ବୋଲି ଉକ୍ତ ପିଟିସନ୍‌ରେ ଦାବି କରାଯାଇଥିଲା।

ଉଦ୍‌ବୋଧନ ଦେବା ବେଳେ ଅୱେସି ଆହୁରି ମଧ୍ୟ କହିଛନ୍ତି ଯେ, ମୋଗଲମାନେ ଭାରତ ବାହାରୁ ଆସିଥିବା କଥା ‘ବିଜେପି’ କହୁଛି। ସେମିତି କହିବାକୁ ଗଲେ, ବିଶ୍ବର ଅନେକ ପ୍ରାନ୍ତରୁ ଅନ୍ୟାନ୍ୟ ସମ୍ପ୍ରଦାୟ ମଧ୍ୟ ଭାରତକୁ ଆସିଛନ୍ତି। କେବଳ ଦ୍ରାବିଡ଼ ଓ ଆଦିବାସୀମାନେ ହିଁ ଭାରତର ମୂଳ ବାସିନ୍ଦା।

Image Courtesy of NDTV

ଭାରତ ମୋର ନୁହେଁ, ଠାକ୍‌ରେଙ୍କର ନୁହେଁ, ମୋଦୀ-ଶାହଙ୍କର ମଧ୍ୟ ନୁହେଁ। ଯଦି ଭାରତ କାହାର ‌ହୋଇଥାଏ, ତାହା ହେଉଛି ଦ୍ରବିଡ଼ ଓ ଆଦିବାସୀମାନଙ୍କର। ‘ବିଜେପି-ଆର୍‌ଏସ୍ଏସ୍‌’ କେବଳ ମୋଗଲମାନଙ୍କ ସହିତ ଲାଗିଛନ୍ତି। ବାସ୍ତବରେ ଆଫ୍ରିକା, ଇରାନ୍‌, କେନ୍ଦ୍ରୀୟ ଏସିଆ ଏବଂ ପୂର୍ବ ଏସିଆରୁ ଲୋକମାନେ ଆସିବା ପରେ ଭାରତ ଗଠନ ହୋଇଛି।

କଂଗ୍ରେସ ଓ ଶିବସେନା ସହିତ ମେଣ୍ଟ କରି ମହାରାଷ୍ଟ୍ରରେ କ୍ଷମତାସୀନ ଥିବା ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟିକୁ ସମାଲୋଚନା କରି ଅୱେସି କହିଛନ୍ତି, ‘ବିଜେପି’ ଓ ‘ଶିବସେନା’କୁ ବାଧା ଦେବା ପାଇଁ ବିଧାନସଭା ନିର୍ବାଚନରେ ‘ଏନ୍‌ସିପି’ ନେତାମାନେ ଅୱେସିଙ୍କ ପାଇଁ ଭୋଟ୍‌ ମାଗୁଥିଲେ। ନିର୍ବାଚନ ପରେ ‘ଏନ୍‌ସିପି’ ‘ଶିବସେନା’କୁ ବାହା ହେଲା। ଏଇ ତିନି ଦଳଙ୍କ ଭିତରୁ କନ୍ୟା କିଏ ମୁଁ ଜାଣେନା ବୋଲି ଅୱେସି କହିଛନ୍ତି।

‘ଏନ୍‌ସିପି’ ଅଧ୍ୟକ୍ଷ ଶରଦ ପାୱାର୍‌ଙ୍କୁ ସମାଲୋଚନା କରି ଅୱେସି ପଚାରିଛନ୍ତି, ନବାବ ମଲିକ୍‌ଙ୍କ ଗିରଫଦାରି ଘଟଣା ପାଇଁ ସେ କାହିଁକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କୁ ଭେଟିଲେ ନାହିଁ? ଯେମିତି ସେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ କ୍ଷେତ୍ରରେ କରିଥିଲେ। ସଞ୍ଜୟ ରାଉତଙ୍କ ଠାରୁ ନବାବ ମଲିକ କେଉଁ ଗୁଣରେ ଊଣା? ନବାବ ମଲକଙ୍କ ପାଇଁ କାହିଁକି କହିଲେ ନାହିଁ ବୋଲି ମୁଁ ଶରଦ ପାୱାର୍‌ଙ୍କୁ ପଚାରିବାକୁ ଚାହୁଁଛି। କ’ଣ ସେ ସଂଖ୍ୟାଲଘୁ ବୋଲି? ସଞ୍ଜୟ ଓ ନବାବ୍‌ କ’ଣ ସମାନ ନୁହନ୍ତି?

ସମ୍ବନ୍ଧିତ ଖବର