ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ପରିବର୍ତ୍ତେ ନିର୍ବାଚନରେ ବାଲଟ୍ ପେପର ବ୍ୟବହାର ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି। ଯେତେବେଳେ କୌଣସି ଦଳ ବା ନେତା ହାରିଯାନ୍ତି, ଇଭିଏମ୍କୁ ଦୋଷ ଦିଅନ୍ତି, କିନ୍ତୁ ଯେତେବେଳେ ଜିତନ୍ତି ସେତେବେଳେ ଇଭିଏମ୍ ଠିକ୍ ଥାଏ ବୋଲି ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ପିବି ଭାରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଇଭିଏମରେ ତ୍ରୁଟି ହେବାର ସମ୍ଭାବନା ଥିବା ଦର୍ଶାଇ ଗଣତନ୍ତ୍ରର ସୁରକ୍ଷା ପାଇଁ ବାଲଟ୍ ପେପର ପୁନଃପ୍ରଚଳନ ଜରୁରି ବୋଲି ଆବେଦନକାରୀ କେଏ ପାଲ ଯୁକ୍ତି ବାଢ଼ିଥିଲେ। ଇଭିଏମ୍ ହ୍ୟାକ୍ ହୋଇପାରେ ବୋଲି କୋଟିପତି ଏଲନ୍ ମସ୍କ ଏକଦା କରିଥିବା ଦାବିକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଏପରିକି ଚନ୍ଦ୍ରବାବୁ ନାଇଡୁ ଓ ଜଗନ ମୋହନ ରେଡ୍ଡୀଙ୍କ ଭଳି ରାଜନେତା ମଧ୍ୟ ଇଭିଏମ୍ରେ ତ୍ରୁଟି ହୋଇପାରେ ବୋଲି କହିଛନ୍ତି। ଏହା ଉତ୍ତରରେ ଖଣ୍ଡପୀଠ କହିଥିଲେ, ଯେତେବେଳେ ଚନ୍ଦ୍ରବାବୁ ନାଇଡୁ କିମ୍ବା ଶ୍ରୀ ରେଡ୍ଡୀ ହାରିଲେ, ସେତେବେଳେ କହିଲେ ଯେ ଇଭିଏମ୍ରେ ତ୍ରୁଟି ହୋଇଛି। ଯେତେବେଳେ ସେମାନେ ଜିତିଥାନ୍ତି, କିଛି କୁହନ୍ତି ନାହିଁ। ଆମେ ଏଥିରୁ କ’ଣ ବୁଝିବୁ? ତେଣୁ ଆମେ ଏହାକୁ ଖାରଜ କରୁଛୁ ବୋଲି ଜଷ୍ଟିସ ନାଥ କହିଛନ୍ତି।
ଚଳିତ ବର୍ଷ ଜୁନ୍ ମାସରେ ଏଲନ୍ ମସ୍କ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭୋଟିଂ ମେସିନ୍ଗୁଡ଼ିକର ସୁରକ୍ଷାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଏହାକୁ ହ୍ୟାକ୍ କରାଯାଇପାରେ ବୋଲି ଦାବି କରିଥିଲେ। ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କ ମନ୍ତବ୍ୟକୁ ନେଇ ବିରୋଧୀମାନେ ମଧ୍ୟ ସମାନ ଚିନ୍ତା ପ୍ରକଟ କରୁଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଭାରତରେ ଭୋଟିଂ ମେସିନକୁ ବ୍ଲାକ୍ ବକ୍ସ ବୋଲି କହିବା ସହ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହି ଦାବିର ଜବାବ ଦେଇ କହିଛନ୍ତି ଯେ ଭାରତୀୟ ଇଭିଏମ୍ କଷ୍ଟମ୍ ଡିଜାଇନ୍ ହୋଇଥିବା ଅଲଗା ଡିଭାଇସ ଏବଂ ଏଥିରେ ହ୍ୟାକିଂର କୌଣସି ସୁଯୋଗ ନାହିଁ।