ନୂଆଦିଲ୍ଲୀ: ‘ବିଜେପି’ ଆପଣାଛାଏଁ କେନ୍ଦ୍ରରେ କ୍ଷମତାସୀନ ହୋଇନାହିଁ। ପରିବାର-ଚାଳିତ ଦଳମାନଙ୍କ ସହାୟତାରେ ‘ବିଜେପି’ ନେତାମାନେ କେନ୍ଦ୍ରରେ କ୍ଷମତାସୀନ ହୋଇଛନ୍ତି ବୋଲି ଶୁକ୍ରବାର ଦିନ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀ କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ସପ୍ତାହର ପ୍ରାରମ୍ଭରେ ତେଲେଙ୍ଗାନା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ବଂଶବାଦୀ ଦଳମାନଙ୍କ ଯୋଗୁଁ ଦେଶର ଯୁବବର୍ଗ ରାଜନୀତିରେ ସୁଯୋଗ ପାଉନାହାନ୍ତି। ପ୍ରଧାନମନ୍ତ୍ରୀଙ୍କର ଏହି ମନ୍ତବ୍ୟ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପ୍ରତି ବୋଲି ରାଜନେତା ଓ ସର୍ବସାଧାରଣ ଧରିନେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରୋକ୍ତ ମନ୍ତବ୍ୟର ପ୍ରତ୍ୟୁତ୍ତର ଦେଇ ଶୁକ୍ରବାର ଦିନ କୁମାରସ୍ବାମୀ କହିଛନ୍ତି, ‘ବିଜେପି’ ଅଭିବୃଦ୍ଧିର ପୃଷ୍ଠଭୂମିର ବାସ୍ତବ ଅଧ୍ୟୟନ କରିବା ପରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେବା ଉଚିତ ଥିଲା।
ଟୁଇଟ୍ କରି କୁମାରସ୍ବାମୀ କହିଛନ୍ତି, ‘ଜନତା ପରିବାର’ ବଢ଼ି ବଢ଼ି ବିରାଟ ବୃକ୍ଷ ପାଲଟିଯିବାରୁ ସେଥିରୁ କେତେଗୁଡ଼ିଏ ଦଳ ଶାଖା ହୋଇ ବାହାରିଲା। ‘ବିଜେପି’ ମଧ୍ୟ ‘ଜନତା ପରିବାର’ର ଅଂଶବିଶେଷ। ‘ଜେଡି(ଏସ୍)’, ‘ଜେଡି(ୟୁ)’, ‘ବିଜେଡି’ ଏବଂ ‘ଏସ୍ପି’ ସେହି ବୃହତ୍ ‘ଜନତା ପରିବାର’ ବୃକ୍ଷର ଶାଖା। ଏବେ ‘ଜନତା ପରିବାର’ର ଶାଖ ଦଳ ସବୁ ଖାଲି ବଢ଼ି ନାହାନ୍ତି, ସବୁଆଡ଼େ ସେମାନଙ୍କର ସ୍ଥିତି ମଧ୍ୟ ସୁଦୃଢ଼ କରିଛନ୍ତି।
Image Courtesy of The Financial Expressଉପାଡ଼ିବା କଥା ଛାଡ଼ନ୍ତୁ, ଏହି ଦଳଗୁଡ଼ିକର ପତ୍ର ମଧ୍ୟ ହଲାଇବା ସମ୍ଭବ ନୁହେଁ। ଏକଥା ଯେ, ମୋଦୀ ଜୀ ଜାଣନ୍ତି ନାହିଁ ତାହା ନୁହେଁ। ‘ବିଜେପି’ ପାଲଟି ଯାଇଥିବା ‘ଜନସଂଘ’ ଆପଣାଛାଏଁ କେନ୍ଦ୍ରରେ କ୍ଷମତାସୀନ ହୋଇନାହିଁ। ସେମାନେ ପରିବାର-ଚାଳିତ ଦଳମାନଙ୍କ ସହାୟତାରେ କ୍ଷମତାସୀନ ହୋଇଛନ୍ତି। ‘ଏନ୍ଡିଏ’ କେମିତି ସୃଷ୍ଟି ହେଲା? ବୋଲି କୁମାରସ୍ବାମୀ ପଚାରିଛନ୍ତି।
କୁମାରସ୍ବାମୀ ଆହୁରି ମଧ୍ୟ କହିଛନ୍ତି, ପରିବାର କେନ୍ଦ୍ରିକ ରାଜନୀତି ଦେଶ ପାଇଁ ବିପଦଜ୍ଜନକ ନୁହେଁ। ବିପଦ ହେଉଛି ସାମ୍ପ୍ରଦାୟିକ ‘ବିଜେପି’। ଜନସାଧାରଣଙ୍କ ଆଗରେ ଭାବାବେଗ ମାମଲା ଉପସ୍ଥାପନ କରି କ୍ଷମତା ଅକ୍ତିଆର କରିବା ଗଣତନ୍ତ୍ରର ପ୍ରଧାନ ଶତ୍ରୁ; ସମ୍ବିଧାନ ପାଇଁ କ୍ଷତିକାରକ। ମୋଦୀ ଜୀ ଏକଥା ଜାଣି ନ ଥିବେ ବୋଲି ମୋର ମନେହୁଏ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/hdk.jpg)