ମୋ ବିରୋଧରେ ବହି ଲେଖିବାକୁ ଶରିଫ୍ ପରିବାର ଜଣେ ମହିଳାଙ୍କୁ ଅର୍ଥ ଦେଇଥିଲେ: ଇମ୍ରାନ୍‌ ଖାଁ

ଇସ୍‌ଲାମାବାଦ୍‌: ୨୦୧୮ ସାଧାରଣ ନିର୍ବାଚନ ସମୟରେ ମୋ ବିରୋଧରେ ବହି‌ ଲେଖିବା ପାଇଁ ଶରିଫ୍‌ ପରିବାର ଜଣେ ମହିଳାଙ୍କୁ ଅର୍ଥ ଦେଇଥିଲେ ବୋଲି ବହିଷ୍କୃତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଅ‌ଭିଯୋଗ କରିଥିବା କଥା ଶନିବାର ଦିନ ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ଗୁରୁତ୍ବାରୋପ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଚରିତ୍ର ସଂହାର କରିବା ପାଇଁ ଉକ୍ତ ମାଫିଆ ପୁଣି ଥରେ ଉଦ୍ୟମ କରୁଛନ୍ତି ଏବଂ ଇଦ୍‌ ପରେ କିଛି ‘ରିଲିଜ୍‌’ କରିପାରନ୍ତି। ଅର୍ଥ ପ୍ରଦାନ କରାଯାଇଥିବା ମହିଳାଜଣଙ୍କ ତାଙ୍କ ପୂର୍ବତନ ପତ୍ନୀ ରେହାମ୍‌ ଖାଁ ବୋଲି ସେ ପରୋକ୍ଷଭାବେ ସୂଚନା ଦେଇଛନ୍ତି।

ଶୁକ୍ରବାର ଦିନ ପଞ୍ଜାବ ପ୍ରଦେଶର ମୁଲ୍‌ତାନ୍‌ରେ ଆୟୋଜିତ ସାଧାରଣ ସମାବେଶରେ ଉଦ୍‌ବୋଧ ଦେବା ଅବସରରେ ୨୦୧୮ରେ ପ୍ରକାଶିତ ଉକ୍ତ ପୁସ୍ତକ ସମ୍ପର୍କରେ ପ୍ରଥମ କରି ପରୋକ୍ଷଭାବେ ଏଭଳି ମନ୍ତବ୍ୟ ଦେଇଛନ୍ତି।

Image Courtesy of Bhaskar Live English News

‘ରେହାମ୍‌ ଖାଁ’ ଶୀର୍ଷକ ଉକ୍ତ ପୁସ୍ତକଟି ହେଉଛି ୨୦୧୮ର ବିବାଦୀୟ ଜୀବନସ୍ମୃତି। ଏହାର ଲେଖିକା ଥିଲେ ପ୍ରସିଦ୍ଧ ପାକିସ୍ତାନୀ ବ୍ରିଟିସ୍‌ ସାମ୍ବାଦିକା, ଚଳଚ୍ଚିତ୍ର ନିର୍ମାତା ତଥା ଲେଖିକା ରେହାମ୍‌।

ଉଲ୍ଲେଖଯୋଗ୍ୟ, ଇସ୍‌ଲାମାବାଦ୍‌କୁ ଦୀର୍ଘ ପଦଯାତ୍ରା ପାଇଁ କରାଯାଇଥିବା ଯୋଜନା ସମ୍ପର୍କରେ ମଧ୍ୟ ଶନିବାର ଦିନ ଖାଁ କହିଥିଲେ। ସଠିକ୍‌ ତାରିଖ ଘୋଷଣା କରି ନ ଥିଲେ ମଧ୍ୟ ମେ ଶେଷ ସପ୍ତାହରେ ପଦଯାତ୍ରା ହେବ ବୋଲି ସେ ସୂଚନା ଦେଇଛନ୍ତି ବୋଲି ‘ଦି ଡନ୍‌’ ରିପୋର୍ଟ କରିଛି।

ଇମ୍ରାନ୍‌ଙ୍କ ଦଳ ‘ପିଟିଆଇ’ ରିଲିଜ୍‌ କରିଥିବା ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, କେବଳ ‘ପିଟିଆଇ’ ପାଇଁ ନୁହେଁ ସମୁଦାୟ ପାକିସ୍ତାନ ପାଇଁ ଏହି ପଦଯାତ୍ରା ଡାକରା ଦିଆଯାଇଛି। ଏବେଠାରୁ ସମସ୍ତେ ପ୍ରସ୍ତୁତି ଆରମ୍ଭ କରନ୍ତୁ।

ସମ୍ବନ୍ଧିତ ଖବର