କୋଲକାତା: ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାର ଭାଟପଡ଼ା ଅଞ୍ଚଳରେ ବିଜେପି ନେତା ପ୍ରିୟଙ୍ଗୁ ପାଣ୍ଡେଙ୍କୁ ବୁଧବାର ‘ପଶ୍ଚିମବଙ୍ଗ ବନ୍ଦ’ ସମୟରେ ଗୁଳିକରି ହତ୍ୟା ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପାଣ୍ଡେ ଅଭିଯୋଗ କରିଛନ୍ତି ଯେ ଟିଏମ୍ସି (ତୃଣମୂଳ କଂଗ୍ରେସ) ସହ ଜଡ଼ିତ ଲୋକମାନେ ତାଙ୍କ କାର୍ ଉପରେ ଆକ୍ରମଣ କରି ଗୁଳି ଚଳାଇଥିଲେ, ଯାହାଫଳରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି।
ପାଣ୍ଡେ କହିଛନ୍ତି, ମୁଁ ଆମ ନେତା ଅର୍ଜୁନ ସିଂହଙ୍କ ବାସଭବନକୁ ଯାଉଥିଲି। ଭାଟପଡ଼ା ମ୍ୟୁନିସିପାଲିଟିର ଏକ ଜେଟିଂ ମେସିନ୍ ଦ୍ୱାରା ରାସ୍ତା ଅବରୋଧ ହୋଇଥିଲା। ଆମ କାର୍ ଅଟକିବା କ୍ଷଣି ପ୍ରାୟ ୫୦-୬୦ ଜଣ ଲୋକ ଗାଡିକୁ ଟାର୍ଗେଟ କରିଥିଲେ। ମୋ ଗାଡ଼ି ଉପରକୁ ୭ରୁ ୮ଟି ବୋମା ମାଡ଼ କରାଯାଇଥିଲା ଏବଂ ତା’ପରେ ୬-୭ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା ବୋଲି ପାଣ୍ଡେ କହିଛନ୍ତି। ଏହା ଟିଏମ୍ସି ଓ ପୁଲିସର ମିଳିତ ଷଡ଼ଯନ୍ତ୍ର। ସେମାନେ ମୋ ହତ୍ୟା ପାଇଁ ଯୋଜନା କରିଥିଲେ। ପ୍ରଥମେ ମୋର ସୁରକ୍ଷା ପ୍ରତ୍ୟାହାର କରାଗଲା ଏବଂ ତା’ପରେ ଏହି ଘଟଣା ଘଟିଲା ବୋଲି ସେ କହିଛନ୍ତି। ଅର୍ଜୁନ ସିଂହ ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗର ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ପାଣ୍ଡେଙ୍କ ଉପରେ ଆକ୍ରମଣ ହୋଇଥିଲା। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ସହ ଟିଏମ୍ସି ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାର ବିଜେପିକୁ ରାସ୍ତାରୁ ହଟାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି।