ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ବାପା ସନ୍ତୋଷ ଜଗଦାଲେ ଏବଂ ମଉସା କୌସ୍ତୁଭ ଗଣବୋଟେଙ୍କୁ ହରାଇଥିବା ଝିଅ ଆସାବାରୀ ଜଗଦାଲେ ସେ ସମୟର ଲୋମଟାଙ୍କୁରା ଘଟଣାକୁ ବଖାଣିଛନ୍ତି।
ମଙ୍ଗଳବାର ଅପରାହ୍ନରେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ୨୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ପର୍ଯ୍ୟଟକ ଏଥିରେ ଆହତ ହୋଇଛନ୍ତି। ଏହି ଆକ୍ରମଣ ସମଗ୍ର ଦେଶକୁ ମର୍ମାହତ କରିଛି ଏବଂ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି।
ଏଭଳି ଭୟାବହ ପରିସ୍ଥିତିରେ ଝିଅ ଅସାବରୀ ସାହସ ଦେଖାଇଥିଲେ। ଅସାବରୀ ସେହି ଭୟାବହ ଘଟଣାକୁ ବଖାଣି କହିଛନ୍ତି, ‘ ବାପା ଓ ମଉସାଙ୍କୁ ଆଖି ସାମ୍ନାରେ ହରାଇବା ପରେ ମୁଁ ନିଜକୁ ସମ୍ଭାଳି ମାଆ ଏବଂ ମାଉସୀଙ୍କୁ ସମ୍ଭାଳିଥିଲି।
ଆମେ ବୈସରଣ ଉପତ୍ୟକାର ମିନି ସ୍ୱିଜରଲ୍ୟାଣ୍ଡ କୁହାଯାଉଥିବା ସ୍ଥାନରେ ଫଟୋସୁଟ୍ କରୁଥିଲୁ, ହଠାତ୍ ଏହି ସମୟରେ ଆମେ ଗୁଳି ଫୁଟିବାର ଶବ୍ଦ ଶୁଣିଥିଲୁ। ଆମେ କିଛି ସ୍ଥାନୀୟ ଲୋକଙ୍କୁ ଏ ବିଷୟରେ ପଚାରିଥିଲୁ। ସେମାନେ କହିଥିଲେ ଯେ ସ୍ଥାନୀୟ ଲୋକମାନେ ବାଘଙ୍କୁ ଭୟଭୀତ କରିବା ପାଇଁ ସମୟସମୟରେ ଏପରି ଗୁଳି ଚଳାଇଥାନ୍ତି। କିନ୍ତୁ ଯେତେବେଳେ ଆମେ ଲୋକଙ୍କୁ ହତ୍ୟା କରାଯାଉଥିବା ଏବଂ କିଛି ଲୋକ କଲମା ପାଠ କରୁଥିବାର ଦେଖିଥିଲୁ, ଆମେ ବୁଝିପାରିଲୁ ଯେ ଏହା ଅନ୍ୟ କିଛି ଘଟଣା। ଏହା ଏମିତି ଏକ ଘଟଣାକୁ ଯେଉଁଥିରୁ ଜୀବନ ନେଇ ଫେରିବା ସମ୍ଭବ ନଥିଲା।
ପ୍ରାୟ ୨୦ ବର୍ଷ ବୟସର ଜଣେ ଆତଙ୍କବାଦୀ ମୋ ବାପାଙ୍କୁ ଠିଆ ହେବାକୁ କହିଥିଲା। ମୋ ବାପା ତାକୁ କୌଣସି ଆକ୍ରମଣ ନକରିବାକୁ ଅନୁରୋଧ କରିଥିଲେ । ଯାହା କହିବେ ତାହା କରିବାକୁ ରାଜିଥିଲେ। କିନ୍ତୁ ସେ ମୋ ବାପାଙ୍କର କୌଣସି କଥାା ନଶୁଣି ତିନିଟି ଗୁଳି ଫୁଟାଇଥିଲା। ଯେଉଁଥିରୁ ଗୋଟିଏ ମୋ ବାପାଙ୍କ ମୁଣ୍ଡରେ ବାଜିଲା, ଦ୍ୱିତୀୟଟି ତାଙ୍କ କାନ ଦେଇ ଗଲା ଏବଂ ତୃତୀୟଟି ତାଙ୍କ ଛାତିରେ ବାଜିବାରୁ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। କେବଳ ବାପା ନୁହନ୍ତି ଆତଙ୍କବାଦୀଙ୍କ ଗୁଳିରେ ମୋ ଅଙ୍କଲ ବି ଟଳି ପଡ଼ିଥିଲେ।
ଏଭଳି ପରିସ୍ଥିତିରେ ମୁଁ ସ୍ଥାଣୁ ପାଲଟି ଯାଇଥିଲି। ନିଜକୁ କେମିତି ସମ୍ଭାଳିବି କିଛି ବୁଝି ପାରୁ ନଥିଲି। ତଥାପି ସାହସ ଜୁଟାଇ ମୋ ମାଆ ଏବଂ ମାଉସୀଙ୍କ ସହିତ ଘଟଣାସ୍ଥଳରୁ ଖସି ଆସିବାରେ ସଫଳ ହୋଇଥିଲି। ଆତଙ୍କବାଦୀଙ୍କ ଏହି ନିଷ୍ଠୁରତା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେମାନେ ମଣିଷ ନୁହଁନ୍ତି ବରଂ ମଣିଷ ରୂପୀ ଜଣେଜଣେ ରାକ୍ଷସ । ମୋର ସରକାରଙ୍କ ଉପରେ ବିଶ୍ବାସ ଅଛି। ଆତଙ୍କବାଦୀମାନଙ୍କ ବିରୋଧରେ ନିଶ୍ଚିତ ଭାବେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।’