ନୂଆଦିଲ୍ଲୀ: କଶ୍ମୀର ଉପତ୍ୟକା ଏବେ ପର୍ଯ୍ୟଟକଙ୍କ ରକ୍ତ‌ରେ ଲାଲ ହୋଇଯାଇଛି। ମଙ୍ଗଳବାର ଆତଙ୍କବାଦୀଙ୍କ ବର୍ବର ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ  ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଆତଙ୍କବାଦୀଙ୍କ ଆଗରେ ଭାରତ ମୁଣ୍ଡ ନୁଆଁଇବ ନାହିଁ ଏବଂ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତ ବଦ୍ଧପରିକର ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଅନ୍ୟପକ୍ଷରେ ଆଜି ପହଲଗାମ୍ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ବିହାରରେ ଆୟୋଜିତ ଏକ ରାଲିରେ ଅତ୍ୟନ୍ତ କ୍ରୋଧିତ ଦେଖାଯାଉଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କୁ ଏପରି ଦଣ୍ଡ ମିଳିବ ଯାହା ସେମାନେ କଳ୍ପନା ମଧ୍ୟ କରି ନଥିବେ। ଏହି ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର ପଛରେ ଥିବା ଲୋକମାନଙ୍କୁ ଦଣ୍ଡ ଦିଆଯିବ। ଯେଉଁମାନେ ଭାରତର ଆତ୍ମା ​​ଉପରେ ଆକ୍ରମଣ କରିଛନ୍ତି, ସେମାନଙ୍କୁ ଛଡ଼ାଯିବ ନାହିଁ। ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ନିର୍ଦ୍ଦୋଷ ନାଗରିକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ, ସେଥିରେ ସମଗ୍ର ଦେଶ ଦୁଃଖିତ। କୋଟି କୋଟି ଦେଶବାସୀ ଅସନ୍ତୁଷ୍ଟ। ସମଗ୍ର ଦେଶବାସୀ ପ୍ରଭାବିତ ପରିବାରଙ୍କ ଦୁଃଖରେ ସେମାନଙ୍କ ସହିତ ଛିଡ଼ା ହୋଇଛନ୍ତି। "

ସେ ଆହୁରି କହିଛନ୍ତି ଯେ, "ଏହି ଆତଙ୍କବାଦୀ ଆକ୍ରମଣରେ ଲୋକେ ନିଜ ପୁଅକୁ, ନିଜ ଭାଇକୁ ଏବଂ ନିଜ ଜୀବନସାଥୀକୁ ହରାଇଛନ୍ତି। ପହଲଗାମରେ ମୃତକଙ୍କ ମଧ୍ୟରେ କିଛି ବଙ୍ଗାଳୀ, କିଛି କନ୍ନଡ, କିଛି ମରାଠୀ, କିଛି ଓଡ଼ିଆ ଓ କିଛି ବିହାରର ଥିଲେ। ଏହି ଆକ୍ରମଣ ନିରସ୍ତ୍ର ପର୍ଯ୍ୟଟକଙ୍କ ଉପରେ ହୋଇନାହିଁ ବରଂ ଦେଶର ଶତ୍ରୁମାନେ ଭାରତର ଆତ୍ମା ​​ଉପରେ ଆକ୍ରମଣ କରିବାକୁ ସାହସ କରିଛନ୍ତି। ମୁଁ ସ୍ପଷ୍ଟ ଶବ୍ଦରେ କହିବାକୁ ଚାହୁଁଛି ଯେ ଏହି ଆକ୍ରମଣ କରିଥିବା ଆତଙ୍କବାଦୀ ଏବଂ ଏହି ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିବା ଲୋକମାନଙ୍କୁ ସେମାନଙ୍କ କଳ୍ପନାଠାରୁ ମଧ୍ୟ ବଡ଼ ଦଣ୍ଡ ମିଳିବ। ଏବେ ଆତଙ୍କବାଦୀଙ୍କ ବାକି ଭୂମିକୁ ଧ୍ୱଂସ କରିବାର ସମୟ ଆସିଛି। ସମସ୍ତଙ୍କୁ ମାଟିରେ ମିଶାଇବାର ସମୟ ଆସିଛି।"