ମୁମ୍ବାଇ: ଦେଶରେ ଏବେ କରୋନା ସଂକ୍ରମଣ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଗାଇଡଲାଇନ ଜାରି କରୁଥିଲେ ମଧ୍ୟ କୁମ୍ଭମେଳାକୁ ଏପର୍ଯ୍ୟନ୍ତ ବନ୍ଦ କରାଯାଇନାହିଁ। ଶାହି ସ୍ନାନ ପରେ ହଜାର ହଜାର ଭକ୍ତ କରୋନା ଆକ୍ରାନ୍ତ ହେବା ପରେ ଜଣେ ବାବାଙ୍କର ମଧ୍ୟ କରୋନାରେ ମୃତ୍ୟୁ ଘଟିଛି। ଏହା ସତ୍ତ୍ବେ ମଧ୍ୟ କୁମ୍ଭମେଳାରେ ଭିଡ଼ ଜମୁଥିବାରୁ ମୁମ୍ବାଇ ମେୟର ଏହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି। କୁମ୍ଭମେଳା ତୀର୍ଥଯାତ୍ରୀ ପ୍ରସାଦ ବାଣ୍ଟିବା ଭଳି କରୋନା ବାଣ୍ଟିଦେବେ ବୋଲି କହିଛନ୍ତି ମୁମ୍ବାଇ ମେୟର କିଶୋର ପେଡନେକର।
ସେ କହିଛନ୍ତି ଯେ, ଯେଉଁମାନେ କୁମ୍ଭମେଳାରୁ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି ସେମାନେ କରୋନାକୁ 'ପ୍ରସାଦ' ଭାବରେ ବଣ୍ଟନ କରିବେ। ଏହି ସମସ୍ତ ଲୋକଙ୍କୁ ନିଜ ନିଜ ଖର୍ଚ୍ଚରେ ନିଜ ନିଜ ରାଜ୍ୟରେ କ୍ବାରେଣ୍ଟାଇନ କରାଯିବା ଉଚିତ୍। ମୁମ୍ବାଇରେ ମଧ୍ୟ, ଆମେ ସେମାନଙ୍କୁ ଫେରିବା ପରେ କ୍ବାରେଣ୍ଟାଇନ କରିବାକୁ ଚିନ୍ତା କରୁଛୁ।
#WATCH | "Those returning from Kumbh Mela to their respective states will distribute Corona as 'prasad'," says Mumbai Mayor Kishori Pednekar pic.twitter.com/P9UBVBv1mN
— ANI (@ANI) April 17, 2021
ସେ ଆହୁରି ମଧ୍ୟ କହିଛନ୍ତି ଯେ, "୯୫% ମୁମ୍ବାଇବାସୀ କରୋନା କଟକଣା ପାଳନ କରୁଛନ୍ତି। ଅବଶିଷ୍ଟ ୫% ଲୋକ ଯେଉଁମାନେ ପ୍ରତିବନ୍ଧକ ଅନୁସରଣ କରୁନାହାଁନ୍ତି ସେମାନେ ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି। ମୁଁ ଭାବୁଛି ବର୍ତ୍ତମାନର କରୋନା ପରିସ୍ଥିତିକୁ ଦେଖି ଏକ ସମ୍ପୂର୍ଣ୍ଣ ଲକଡାଉନ କରିବା ଉଚିତ୍।
ଗତ ୨୪ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୩,୭୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯୮ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୭ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀ ମୁମ୍ବାଇରେ ୮୮୦୩ ଟି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୩ଜଣଙ୍କ ମୃତ୍ୟୁ ଘଟିଛି।