ଫ୍ରିଜରେ ମଦ ଦେଖି ଚୋରି କରିବାକୁ ଯାଇଥିବା ଚୋରର ବଦଳିଗଲା ଯୋଜନା

ମୁମ୍ବାଇ: ଚୋରି କରିବାକୁ ଜଣକ ଘରେ ପଶିଥିବାବେଳେ ଫ୍ରିଜରେ ମଦ ଦେଖି ବଦଳିଗଲା ଚୋରର ମନ | ସାଉଥ ମୁମ୍ବାଇରେ କିଛି ଏଭଳି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ମିଳିଥିବା ସୂଚନା ମୁତାବକ ୧୯ ବର୍ଷୀୟ ଚୋର ଜଣଙ୍କ ଘରେ ଚୋରି କରିବାକୁ ପଶିଥିଲା | ଏହି ସମୟରେ ଫ୍ରିଜରେ ମଦ ଥିବାର ଦେଖି ଚୋରର ଲୋଭ ବଢିଥିଲା | ଚୋର ଜଣକ ଚୋରି କରିବା ଛାଡି ଫ୍ରିଜରେ ଥିବା ମଦକୁ ପିଇବାରେ ଲାଗିଥିଲା | ମଦ ପ୍ରତି ଲୋଭ ଚୋରକୁ ଏତେ ଆକର୍ଷିତ କରିଥିଲା ଯେ ହୋସ ଯିବା ଯାଏଁ ଚୋର ବସି ମଦ ପିଇଥିଲା |

ସକାଳୁ ଘରର ଚାକରମାନେ ଯେତେବେଳେ ଆସି ଚୋରକୁ ସୋଫାରେ ଶୋଇଥିବାର ଦେଖିଥିଲେ ସେତେବେଳେ ହିଁ ଘଟଣା ବାବଦରେ ଜଣାପଡିଥିଲା | ରାତିରେ ଚୋର ଜଣକ ମଦ ପିଇ ସୋଫାରେ ବେହୋସ ଅବସ୍ଥାରେ ଥିବାବେଳେ ଚାକରମାନେ ସକାଳୁ ଆସି ଅଜଣା ବ୍ୟକ୍ତି ପାଖରେ ଛୁରୀ ଦେଖିଥିଲେ | ଏହି ଚୋର(ଅଜଣା ବ୍ୟକ୍ତି) ସୋଫାରେ ସୋଇଥିବାର ଦେଖି ଚାକରମାନେ ପୁଲିସକୁ ଖବର ଦେଇଥିଲେ | ଏହା ପରେ ପୁଲିସ ପହଂଚି ଚୋରକୁ ଗିରଫ କରିଥିଲା |

ପୁଲିସ ତଦନ୍ତ କରି ଜାଣିପାରିଥିଲା ଯେ ଏହି ଚୋରର ନାମ ସଂଜୀବ ବର୍ମା ହୋଇଥିବାବେଳେ ଜଣେ ବ୍ୟବସାୟୀଙ୍କ ଘରେ ବୁଧବାର ରାତିରେ ଚୋର ପଶିଥିଲା | ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଘରର କୌଣସି ସାମଗ୍ରୀ ଚୋରି ହୋଇନଥିବାବେଳେ ଫ୍ରିଜରେ ଥିବା ମଦ କିନ୍ତୁ ନଥିଲା | ଚୋର ଶୋଇଥିବା ସୋଫା ନିକଟରେ ଖାଲି ବୋତଲ ଗଡୁଥିବାର ଦେଖି ସମସ୍ତେ ଅନୁମାନ କରିନେଇଥିଲେ ଯେ ଚୋର ହିଁ ଏହି ମଦ ପିଇଥିଲା |

ସମ୍ବନ୍ଧିତ ଖବର