ପୂଜକଙ୍କୁ ରସମଲେଇ ଖୁଆଇ ଲୁଟିନେଲେ ସାଇବାବାଙ୍କ ସୁନା ମୁକୁଟ

ଲଖନଉ: ପୂଜକଙ୍କୁ ନିଶାଯୁକ୍ତ ରସମଲେଇ ଖୁଆଇଲେ ଆଉ ସେ ଚେତା ହରାଇବା ପରେ ଲୁଟିନେଲେ ସୁନା ମୁକୁଟ | ଉତ୍ତରପ୍ରଦେଶର ମହୋବା ଜିଲ୍ଲାର ନିସୱାରା ଗାଁର ସାଇ ମନ୍ଦିରରୁ ଚୋରମାନେ ଚତୁରତାର ସହ ସାଇବାବାଙ୍କ ସୁନା ମୁକୁଟ ଚୋରି କରିଛନ୍ତି। ସୂଚନା ଅନୁଯାୟୀ, ଚୋରି ପୂର୍ବରୁ ଚୋରମାନେ ମନ୍ଦିରର ପୂଜକ ଓ ସିକ୍ୟୁରିଟି ଗାର୍ଡଙ୍କୁ ରସମଲେଇ ଖାଇବାକୁ ଦେଇଥିଲେ, ଯାହାକୁ ଖାଇବା ପରେ ଦୁହେଁ ଚେତା ହରାଇଥିଲେ | ଏହା ପରେ ଚୋରମାନେ ସାଇବାବାଙ୍କ ସୁବର୍ଣ୍ଣ ମୁକୁଟ ନେଇ ପଳାଇଛନ୍ତି । ସ୍ଥାନୀୟ ଲୋକମାନେ ପୂଜକ ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି |

ପୁଲିସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିବାବେଳେ ପୁଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ୨୦୧୬ ମସିହାରେ ଏଠାରେ ସାଇ ମନ୍ଦିର ନିର୍ମାଣ କରାଯାଇଥିଲା। ଆଉ ମନ୍ଦିର ଟ୍ରଷ୍ଟ ଏଠାରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକ ବିଦ୍ୟାଳୟ ମଧ୍ୟ ସ୍ଥାପନ କରିଥିଲେ | ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପେନ୍ଦ୍ର ଦ୍ୱିବେଦୀଙ୍କ କହିବା ଅନୁଯାୟୀ ରବିବାର ଦିନ ସକାଳ ୯ଟାରେ ସେ ସ୍କୁଲରେ ପହଞ୍ଚିବା ପରେ ମନ୍ଦିର ପରିସରରେ ପୂଜକଙ୍କୁ ଦେଖିନଥିଲେ। ଏହା ପରେ ଯେତେବେଳେ ସେ ପୂଜକଙ୍କୁ ଫୋନ କରିଥିଲେ, କେହି ଫୋନ୍ ଉଠାଇ ନଥିଲେ। ଏହା ପରେ ସେ ମନ୍ଦିରରେ ପହଞ୍ଚିବା ପରେ ସିକ୍ୟୁରିଟି ଗାର୍ଡ ଓ ମନ୍ଦିରର ପୂଜକଙ୍କୁ ଚେତାଶୂନ୍ୟ ହୋଇଥିବାର ଦେଖିଲେ।

ପ୍ରଧାନଶିକ୍ଷକ ତୁରନ୍ତ ଗ୍ରାମବାସୀଙ୍କୁ ଏବାବଦରେ ଜଣାଇଥିଲେ | ଏହାପରେ ପୂଜକ ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଉ ଚେତା ଆସିବା ପରେ ପୂଜକ କହିଛନ୍ତି ଯେ ଗତକାଲି ରାତିରେ ଜଣେ ଯୁବକ ମନ୍ଦିରକୁ ଆସିଥିଲେ, ଯିଏ ରସମଲେଇ ପ୍ରସାଦ ଆକାରରେ ଖାଇବାକୁ ଦେଇଥିଲେ। ରସମଲେଇ ଖାଇବାର ଦଶ ମିନିଟ୍ ପରେ ସେ ଚେତା ହରାଇଥିଲେ | ପ୍ରଧାନଶିକ୍ଷକଙ୍କ କହିବା ଅନୁଯାୟୀ ସାଇବାବାଙ୍କ ସୁନା ମୁକୁଟର ଓଜନ ପ୍ରାୟ ଏକ କିଲୋଗ୍ରାମ ଥିଲା |

ସମ୍ବନ୍ଧିତ ଖବର