ଜୁସ ଦୋକାନ କରି ଗହଣା ଦୋକାନରୁ ଅଳଙ୍କାର ଲୁଟିନେଲେ ଚୋର

ନଭିମୁମ୍ବାଇ: ଗହଣା ଦୋକାନ ଚୋରି କରିବାକୁ ପ୍ରସ୍ତୁତ କଲେ ମାଷ୍ଟର ପ୍ଲାନ | ଆଉ ଯେଭଳି କେହି ଜାଣି ନ ପାରିବେ, ସେଥିପାଇଁ ସୁଡ଼ଙ୍ଗ ଖୋଳି ଲୁଟିନେଲେ କୋଟିଏରୁ ଅଧିକ ଟଙ୍କାର ସୁନା ଗହଣା | ମହାରାଷ୍ଟ୍ରର ନଭି ମୁମ୍ବାଇରେ କିଛି ଏଭଳି ଘଟଣା ଘଟିଛି ଯାହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି | ମିଳିଥିବା ସୂଚନା ମୁତାବକ ନଭି ମୁମ୍ବାଇର ବର୍ତକ ନଗରରେ ଥିବା ଏକ ଜୁଏଲାରୀ ଦୋକାନ ଉପରେ ଦୁଇ ଜଣ ଚୋର ନଜର ରଖିଥିଲେ | ଆଉ ଜୁଏଲାରୀ ଦୋକାନ ପାଖରେ ଥିବା ଆଉ ଏକ ଦୋକାନ ଘର ଖାଲି ଥିବାର ଜାଣିବାକୁ ପାଇଥିଲେ | ଏହା ପରେ ଦୋକାନ ଘରକୁ ଭଡାରେ ନେଇଥିଲେ |

ଏଠାରେ ଏକ ଫଳ ରସ ଦୋକାନ କରିବାକୁ ଘର ମାଲିକଙ୍କୁ କହିଥିଲେ | ଦୋକାନ ବାହାରେ ଜୁସ ଦୋକାନର ବୋର୍ଡ ମାରି ବ୍ୟବସାୟ ଆରମ୍ଭ କରିଥିଲେ | ୧୭ ଜାନୁୟାରୀ ରାତିରେ ଏହି ଚୋରମାନେ କାନ୍ଥ କଣା କରି ପଡୋଶୀ ଗହଣା ଦୋକାନରୁ କୋଟିଏରୁ ଅଧିକ ଟଙ୍କାର ଗହଣା ଲୁଟି ଚମ୍ପଟ ମାରିଥିଲେ | ୧୮ ଜାନୁୟାରୀ ସକାଳେ ଯେତେବେଳେ ଗହଣା ଦୋକାନୀ ଆସି ଲୁଟ ହୋଇଥିବାର ଜାଣିଥିଲେ ପୁଲିସକୁ ସୂଚନା ଦେଇଥିଲେ | ପୁଲିସ ଆସି ଛାନଭିନ କରିବା ସହ ସିସିଟିଭି ଫୁଟେଜକୁ ଦେଖିଥିଲା |

ଏଥିରେ ଦୁଇ ମାଷ୍ଟରମାଇଣ୍ଡଙ୍କ ସମେତ ଅନ୍ୟ ୪ ଜଣ ଲୁଟ କରିଥିବାର ଜଣାପଡିଥିଲା | ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଘର ଝାଡ଼ଖଣ୍ଡ ବୋଲି ଜଣାପଡିଛି | ଏମାନେ ପାଖାପାଖି ୧ କୋଟି ୩୭ ଲକ୍ଷ ଟଙ୍କା ମୂଲ୍ୟର ଗହଣା ଲୁଟିନେଇଥିବାର ପୁଲିସ ଆଗରେ ସ୍ୱୀକାର କରିଛନ୍ତି | ବର୍ତ୍ତମାନ ପୁଲିସ ଅନ୍ୟ ୪ ଲୁଟେରାଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି |

ସମ୍ବନ୍ଧିତ ଖବର