ଥିଙ୍କର୍ସ୍ କ୍ଳବର ୩୧ତମ ଆଭାସୀ ଆଲୋଚନା : ’ପୃଥିବୀ, ଜୀବ, ମଣିଷ ଓ ଧର୍ମର ସୃଷ୍ଟି’

ଭୁବନେଶ୍ୱର: ଥିଙ୍କର୍ସ୍ କ୍ଳବର ୩୧ତମ ଆଭାସୀ ଆଲୋଚନା ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ସହଯୋଗରେ ବରଦା ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହାର ବିଷୟବସ୍ତୁ ଥିଲା ‘ପୃଥିବୀ, ଜୀବ, ମାନବ ଓ ଧର୍ମର ସୃଷ୍ଟି’ । ପୂର୍ବତନ ପୂର୍ତ ସଚିବ ନନ୍ଦନନ୍ଦନ ଦାସ ବକ୍ତାଭାବେ ଯୋଗ ଦେଇ ଏ ବିଷୟ ଉପରେ ଆଲୋଚନା ରଖିଥିଲେ। ସେ କହିଥିଲେ,  ୪୫୦ କୋଟି ବର୍ଷ ପୂର୍ବରୁ ପୃଥିବୀ ଜଳନ୍ତା ଅବସ୍ଥାରେ ସୂର୍ଯ୍ୟରୁ ବାହାରି ଥିଲା। ଶହଶହ କୋଟି ବର୍ଷ ଜଳିବା ପରେ ଥଣ୍ଡା ହେବାରୁ ବାଷ୍ପ ଅବସ୍ଥାରୁ ତରଳ ଲାଭା ଅବସ୍ଥାକୁ ଆସିଲା। ତାହା ପୁଣି ଥଣ୍ଡା ହେବାରୁ କୋଟି କୋଟି ବର୍ଷ ପରେ କଠିନ ସ୍ଥଳ ଭାଗ ସୃଷ୍ଟି ହେଲା ଓ ତରଳ ଲାଭା ପୃଥିବୀ ଅଭ୍ୟନ୍ତରଣରେ ରହିଲା। ପୃଥିବୀର ଉତ୍ତାପ ୧୦୦ ଡିଗ୍ରୀ ସେଣ୍ଟିଗ୍ରେଡରୁ କମିବା ପରେ ସେଠାରେ ପାଣି ସୃଷ୍ଟି ହେଲା। ପାଣି ବେଶିଦିନ ରହିବାରୁ ଶିଉଳି ଓ ବିଭିନ୍ନ ଜୀବ ସୃଷ୍ଟିହେଲା।  ଜୀବ ସୃଷ୍ଟି ପ୍ରାୟ ୩୫୦ କୋଟି ବର୍ଷ ପୂର୍ବେ ହୋଇଥିବା କୁହାଯାଏ। କୋଟି କୋଟି ବର୍ଷ ପରେ ଜଳସ୍ତର, ସ୍ଥଳସ୍ତର ଓ ଆକାଶରେ ବିଭିନ୍ନ ଜୀବର ସୃଷ୍ଟି ହେଲା। ସ୍ଥଳ ଭାଗରେ ବାଘ, ହାତୀ ପରି ଅନ୍ୟ ଜୀବମାନଙ୍କ ଭିତରେ ମଣିଷମାନେ ହିଂସ୍ର ଜୀବ ଥିଲେ।

କୁହାଯାଏ ପ୍ରାୟ ୩,୦୦,୦୦୦ ବର୍ଷ ପୂର୍ବେ ମଣିଷର ସୃଷ୍ଟି। ମଣିଷମାନଙ୍କର ମସ୍ତିଷ୍କ ଉର୍ବର ଥିବାରୁ ପ୍ରାୟ ୨୦୦୦୦ ବର୍ଷ ପୂର୍ବରୁ ମାନବମାନେ ସଭ୍ୟ ହେବାକୁ ଲାଗିଲେ। ସେମାନେ ଦଳ ଦଳ ହୋଇ ଅନ୍ୟ ଜୀବ ପରି ଯାଯାବର ଭାବେ ପୃଥିବୀର ଚାରି ଆଡେ ବୁଲିଲେ। ଅନ୍ୟ ଜୀବଜନ୍ତୁ ପରି ସେମାନେ ପୃଥିବୀର ଜଳ, ମାଟି ଓ ବାୟୁକୁ ଜନ୍ମଗତ ସମାନ ଅଧିକାର ଭାବେ କ୍ରମେ ଉପଭୋଗ କଲେ। ପରବର୍ତ୍ତୀ  ସମୟରେ ବିଭିନ୍ନ ଜାଗାରେ ରହି ଭାଷା, ଜାତି, ଧର୍ମ, ଦେଶର ସୀମା ଠିକ କଲେ ଓ ଏଥିପାଇଁ ବିଭିନ୍ନ ମତଭେଦ ହେବାରୁ ଦେଶ ଦେଶ ମଧ୍ୟରେ ଯୁଦ୍ଧ, ସଂତ୍ରାସବାଦି ଓ ଧର୍ମ ନାମରେ ପୃଥିବୀରେ ଅଶାନ୍ତି ସୃଷ୍ଟି କଲେ। ଧର୍ମ ଜାଗା ବିଶେଷରେ ଅଲଗା ଅଲଗା, ଏହା ଅନ୍ୟ ଜୀବମାନଙ୍କ ମଧ୍ୟରେ ଦେଖା ଯାଏ ନାହିଁ । ଯେ ଜନ୍ମ ହୁଏ ସେ ମରେ, ଏହା ଧ୍ରୁବ ସତ୍ୟ, ଧର୍ମ ମଣିଷ କୃତ, ତେଣୁ ଏହା ଉପରେ ପୃଥିବୀରେ ଅଶାନ୍ତି ହେବା ଉଚିତ ନୁହେଁ। ପୃଥିବୀର ସବୁ ମଣିଷ ସମାନ, ମୃତ୍ୟୁ ସମସ୍ତଙ୍କର ହୁଏ, ତେଣୁ ସଂତ୍ରାସବାଦି, ଯୁଦ୍ଧ କଣ ପାଇଁ। ସେଥିପାଇଁ ସମସ୍ତେ ଜୀବିତ ଅବସ୍ଥାରେ ଭଲରେ ରହିବା ପାଇଁ ଜାତିସଂଘ ଓ ପ୍ରତ୍ୟେକ ଦେଶମାନେ ଚିନ୍ତା କରିବା ଉଚିତ। ଡ. ଦାସ ବକ୍ତା ଭାବେ ଏପରି ଉଦାହରଣ ଦର୍ଶାଇ ପୃଥିବୀ, ଜୀବ, ମାନବ ଓ ଧର୍ମ ସୃଷ୍ଟି ବିଷୟରେ କହିଥିଲେ।

ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡାକ୍ତର ନଳିନୀ ପତି ଅତିଥି ଭାବେ ଯୋଗଦେଇ ପରିବେଶରେ ତାପମାତ୍ରା ବୃଦ୍ଧି, ସ୍ଵ।ସ୍ଥ୍ୟ ବିଜ୍ଞାନ ସମ୍ପର୍କରେ ସୂଚନା ଦେଇଥିଲେ। ଅଷ୍ଟ୍ରେଲିଆରୁ ମମତାଜ୍‌ ଲେଙ୍କା ସଭାକୁ ସଂଯୋଜନା କରିଥିଲେ । ପୂର୍ବତନ କୁଳପତି ଶିବ ପ୍ରସାଦ ଅଧିକାରୀ ବିଜ୍ଞାନ ଓ ଅନ୍ଧ ବିଶ୍ଵାସ ସମ୍ପର୍କରେ କହିଥିଲେ। ଥିଙ୍କର୍ସ୍ କ୍ଳବ୍‌ର ସଭାପତି ବରଦା ଦାସ କହିଲେ ଯେ କୋଭିଡ଼୍ ଯୋଗୁ ବିଜ୍ଞାନ ଓ ଅନ୍ଧ ବିଶ୍ଵାସର ପ୍ରଭେଦ ସଂପର୍କରେ ଶିକ୍ଷା ମିଳିଲା। ଡ. ବ୍ରଜ ନାୟକ, ଉମାଶଙ୍କର ମିଶ୍ର, ବାଳ୍ମିକୀ ନାୟକ ଓ ସୁବାସ ସାହୁ ଏହି ଆଲୋଚନାରେ ଭାଗ ନେଇଥିଲେ। ବିଭୁଦତ୍ତ ମହାନ୍ତି ସଭା ପରିଚଳନା କରିଥିଲେ।

ସମ୍ବନ୍ଧିତ ଖବର