ଆଇଆଇଏସ୍‌ ଅଧିକାରୀଙ୍କ ତୃତୀୟ ବାର୍ଷିକ ସମ୍ମିଳନୀ

ସରକାରୀ ଯୋଗାଯୋଗ ନିମନ୍ତେ ୫-ସି ମନ୍ତ୍ର ଦେଲେ ମନ୍ତ୍ରୀ ଅନୁରାଗ ସିଂହ ଠାକୁର

ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ବିଜ୍ଞାନ ଭବନରେ ଭାରତୀୟ ସୂଚନା ସେବା(ଆଇଆଇଏସ୍‌) ଅଧିକାରୀମାନଙ୍କ ତୃତୀୟ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ, ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ରା ଏବଂ ପ୍ରମୁଖ ମହାନିର୍ଦ୍ଦେଶକ ଜୟଦୀପ ଭଟ୍ଟନାଗର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଦୁଇଦିନିଆ ସମ୍ମିଳନୀରେ ସାରା ଦେଶର ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ଭାଗ ନେଇଛନ୍ତି।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ, ଶ୍ରୀ ଠାକୁର ନିଜ ଅଭିଭାଷଣରେ ୫ସି ବା ପାଂଚଟି ପ୍ରମୁଖ ବିଷୟକୁ ରେଖାଙ୍କିତ କରିଛନ୍ତି, ଯେଉଁଗୁଡିକୁ ସରକାରୀ ଯୋଗାଯୋଗ କ୍ଷେତ୍ରରେ ପ୍ରୟୋଗ କରିବାର ଆବଶ୍ୟକତା ରହିଛି। ଏଥିରେ ନାଗରିକ-କେନ୍ଦ୍ରିତ ଏବଂ ଅନୁକମ୍ପାମୂଳକ ଯୋଗାଯୋଗ ବ୍ୟବସ୍ଥା, ଲକ୍ଷ୍ୟଭୁକ୍ତ ଶ୍ରୋତାଙ୍କ ପାଇଁ ବାର୍ତ୍ତା, ସହଭାଗିତା ଏବଂ ନିରନ୍ତର ମାନସମନ୍ଥନ ତଥା କ୍ଷମତାବୃଦ୍ଧି ଭଳି ପ୍ରସଙ୍ଗ ଅନ୍ତର୍ଭୁକ୍ତ। ଏହା ଉପରେ ସେ ବିସ୍ତୃତ ଭାବେ କହିଥିଲେ ଯେ, ନାଗରିକମାନଙ୍କୁ ଧ୍ୟାନରେ ରଖି ସମସ୍ତ ଯୋଗାଯୋଗ ବ୍ୟବସ୍ଥା ହେବା ଉଚିତ। ସେ କହିଥିଲେ ଯେ, ଯୋଗାଯୋଗ ଏକ ଦ୍ରୁତ ବଦଳୁଥିବା କ୍ଷେତ୍ର ଅଟେ, ଯେଉଁଠାରେ ନକଲି ଖବର ଭଳି ଆହ୍ୱାନ ରହିଛି। ଯୋଗାଯୋଗକାରୀ ସର୍ବଦା ବିଶ୍ଵସନୀୟ ଏବଂ ଗ୍ରହଣଯୋଗ୍ୟ ହେବା ମହତ୍ତ୍ବପୂର୍ଣ୍ଣ, ଯେମିତି କୋଭିଡ୍ ମହାମାରୀ ସମୟରେ ଦେଖା ଯାଇଥିଲା।

ଶ୍ରୀ ଠାକୁର ନକଲି ଖବରକୁ ମୁକାବିଲା କରିବା ନିମନ୍ତେ ଫ୍ୟାକ୍ଟ ଚେକ୍ ୟୁନିଟ୍‌ଗୁଡିକର ବିସ୍ତାର ଉପରେ ଗୁରୁତ୍ବ ଦେଇଥିଲେ। ସେ ନୂତନ ଗଣମାଧ୍ୟମ ପ୍ରଯୁକ୍ତି ସମୂହ, ସଂସ୍ଥା ନିର୍ମାଣ ଏବଂ ରାଜ୍ୟ ସରକାରମାନଙ୍କ ସହିତ ସମନ୍ୱୟର ମହତ୍ତ୍ବ ଉପରେ ଆଲୋକପାତ କରିବା ସହିତ ଅନ୍ତିମ ବ୍ୟକ୍ତି ନିକଟରେ ଲାଭ ପହଂଚାଇବା ପାଇଁ ସରକାରୀ ଯୋଗାଯୋଗର ପ୍ରଭାବ କ୍ଷେତ୍ରରେ ଅଧିକ ପରିବର୍ତ୍ତନ ଆଣିବା ନିମନ୍ତେ ବିଚାର ଏବଂ ପଦକ୍ଷେପଗୁଡିକୁ ସାମନାରେ ରଖିଥିଲେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ରା କହିଥିଲେ କୋଭିଡ୍-୧୯ ମହାମାରୀ ସମୟରେ ସରକାରୀ ଯୋଗାଯୋଗ ବ୍ୟବସ୍ଥା ଲୋକଙ୍କୁ ଆଶ୍ୱସ୍ତ କରିଥିଲା ଏବଂ ସେମାନଙ୍କ ମନରୁ ଭୟ ଦୂର କରିବାରେ ସଫଳ ରହିଥିଲା। ଏହା ଟିକାକରଣ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି ପଦକ୍ଷେପ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିଥିଲା।

ସୂଚନାଯୋଗ୍ୟ ସମ୍ମିଳନୀର ଦ୍ୱିତୀୟ ଦିବସରେ ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନାପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟ ଅଭିଭାଷଣ ପ୍ରଦାନ କରିବେ। ଶେଷ ଅଧିବେଶନକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ସମ୍ବୋଧିତ କରିବେ।

ସମ୍ବନ୍ଧିତ ଖବର