ନୂଆଦିଲ୍ଲୀ: ବିହାରରେ ଚାଲିଥିବା ଏସ୍ଆଇଆର୍ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ଉପରେ ଆଲୋଚନା ଦାବି କରି ବିରୋଧୀ ଦଳ ନେତାମାନେ ଆଜି ମଧ୍ୟ ପ୍ରବଳ ହଟ୍ଟଗୋଳ କରିବାରୁ ଉଭୟ ଗୃ୍ହରେ କୌଣସି କାର୍ଯ୍ୟ ହୋଇପାରିନାହିଁ। ବିରୋଧୀ ଦଳ ନେତାମାନେ ବିହାର ଏସ୍ଆଇଆର୍ ଉପରେ ଆଲୋଚନା ଦାବି କରି ସ୍ଲୋଗାନ ଦେବାରୁ ଉଭୟ ଗୃହକୁ ପୁଣି ଦିନକ ପାଇଁ ମୁଲତବୀ ରଖାଯାଇଛି। ଲୋକସଭାରେ ବିରୋଧୀ ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଯାଇ ସେମାନଙ୍କ ଦାବି ରଖିଥିଲେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହା ବିରୋଧରେ ଚେତାବନୀ ଦେଇଥିଲେ ଏବଂ କହିଥିଲେ ଯେ ଆନ୍ଦୋଳନରତ ସଦସ୍ୟଙ୍କ ଆଚରଣ ଅତି ଶସ୍ତା ଏବଂ ଅଶୋଭନୀୟ। ଅନ୍ୟପକ୍ଷେ ରାଜ୍ୟସଭାରେ ମଧ୍ୟ ଆଜି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ରାଜ୍ୟସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବାର ମାତ୍ର କିଛି ମିନିଟ୍ ମଧ୍ୟରେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବୀ ରହିଥିଲା। ମଧ୍ୟାହ୍ନ ୧୨ଟାରେ କାର୍ଯ୍ୟ ଆରମ୍ଭ ହେଉହେଉ ପୁଣିଥରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଥିଲା। ଅପରାହ୍ନ ୨ଟାରେ ବି ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ବିରୋଧୀଙ୍କ ସ୍ଲୋଗାନରେ ଗୃହ କମ୍ପିଥିଲା। ଗୃହରେ ଅଧ୍ୟକ୍ଷତା କରିଥିବା ଭୁବନେଶ୍ବର କଲିତା ସଦସ୍ୟମାନଙ୍କୁ ନିଜ ନିଜ ଆସନରେ ବସିବାପାଇଁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ। ଶେଷରେ ଜୁଲାଇ ୨୪ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଥିଲା।
ତେବେ ବିବାଦ ମଧ୍ୟରେ ବି ସରକାର ଆଜିର ଏଜେଣ୍ଡାରେ ୬ଟି ବିଲ୍ ତାଲିକାଭୁକ୍ତ କରିଥିଲେ। ଏହି ୬ଟି ବିଲ୍ ମଧ୍ୟରେ ନ୍ୟସନାଲ ସ୍ପୋର୍ଟ୍ସ ଗଭର୍ଣ୍ଣାନ୍ସ ବିଲ୍ , ୨୦୨୫ ଏବଂ ନ୍ୟାସନାଲ ଆଣ୍ଟି-ଡୋପିଂ (ସଂଶୋଧନ) ବିଲ୍-୨୦୨୫ ମଧ୍ୟ ରହିଛି। ରାଜ୍ୟସଭାରେ ଆଜି କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସମୁଦ୍ର ମାର୍ଗରେ ମାଲ୍ ପରିବହନ ବିଲ୍-୨୦୨୫ ଆଣିଛନ୍ତି। ଗୁରୁବାର ଏହି ବିଲ୍ ଗୃହୀତ ହେବା ଉପରେ ବିଚାର କରାଯିବ। ଲଗାତାର ୩ ଦିନ ଧରି ଗୃହରେ କୌଣସି କାର୍ଯ୍ୟ ହୋଇପାରୁନଥିବାରୁ ବିଜେପି ସାଂସଦ ଜଗନ୍ନାଥ ସରକାର ଆଜି ଏନେଇ ବିରୋଧୀଙ୍କ ଉପରେ ତୀବ୍ର ଆକ୍ରମଣ କରି କହିଛନ୍ତି, ଜନସାଧାରଣଙ୍କ ଅର୍ଥ ନଷ୍ଟ କରାଯାଉଛି ଏବଂ ଆଲୋଚନା କରିବାପାଇଁ କୌଣସି ସୁଯୋଗ ଦିଆଯାଉନି। ସେ କହିଛନ୍ତି, ସରକାର ସକ୍ରିୟ ଅଛନ୍ତି। କିନ୍ତୁ ଇଣ୍ଡି ମେଣ୍ଟର ସମସ୍ତ ସାଂସଦ ହୋହଲ୍ଲା ଓ ଚିତ୍କାର କରିବା ଦ୍ବାରା ଜନସାଧାରଣଙ୍କ ଟଙ୍କା ପାଣିରେ ପଡ଼ୁଛି। କୌଣସି ଆଲୋଚନା ହୋଇପାରୁନି ଏବଂ ଏଥିପାଇଁ ସେମାନେ ଦାୟୀ ବୋଲି ସେ କହିଛନ୍ତି।
ଜୁଲାଇ ୨୮ରୁ ‘ଅପରେସନ୍ ସିନ୍ଦୂର’ ଉପରେ ଆଲୋଚନା
ନୂଆଦିଲ୍ଲୀ: ସଂସଦରେ ‘ଅପରେସନ୍ ସିନ୍ଦୂର’ ଉପରେ ଆଲୋଚନା କରିବାପାଇଁ ବିରୋଧୀ ସଦସ୍ୟମାନେ ଦାବି କରିଥିବା ବେଳେ ସରକାର ଏଥିପାଇଁ ସମୟ ଧାର୍ଯ୍ୟ କରିଛନ୍ତି। ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିଥିବା ସଂକ୍ରାନ୍ତରେ ବାରମ୍ବାର ଦାବି କରୁଥିବା ବେଳେ ବିରୋଧୀ ଦଳ ନେତାମାନେ ଏନେଇ ପ୍ରଧାନମନ୍ତ୍ରୀଙ୍କଠାର ଉତ୍ତର ଚାହିଛନ୍ତି। ତେଣୁ ସରକାର ଅପରେସନ୍ ସିନ୍ଦୂର ସଂକ୍ରାନ୍ତରେ ସ୍ବତନ୍ତ୍ର ଆଲୋଚନା ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାରେ ୧୬ ଘଣ୍ଟା ସମୟ ଧାର୍ଯ୍ୟ କରିଛନ୍ତି। ବିରୋଧୀ ସଦସ୍ୟମାନେ ବିସ୍ତୃତ ବିବରଣୀ ଚାହୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନାରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଯୋଜନା ମୁତାବକ ଲୋକସଭାରେ ଆସନ୍ତା ସୋମବାର ଅପରେସନ୍ ସିନ୍ଦୂର ଉପରେ ଆଲୋଚନା ହେବ ଏବଂ କାର୍ଯ୍ୟ ଠିକ୍ଠାକ୍ ଚାଲିଲେ ଏହାର ପରଦିନ ରାଜ୍ୟସଭାରେ ଆଲୋଚନା ହେବ। ସରକାର ଅପରେସନ୍ ସିନ୍ଦୂର ଉପରେ ଆଲୋଚନା ପାଇଁ ପର୍ଯ୍ୟାପ୍ତ ସମୟ ଧାର୍ଯ୍ୟ କରିଥିଲେ ମଧ୍ୟ ବିରୋଧୀ ଦଳ ନେତାମାନେ ଆସନ୍ତାକାଲିଠାରୁ ହିଁ ଏହା ଉପରେ ଆଲୋଚନା ପାଇଁ ଦାବି କରିଛନ୍ତି ଯାହାକୁ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ସୂଚନାନୁଯାୟୀ, ସରକାର ଆଲୋଚନା ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହେଉଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏ ନେଇ ସିଡିଏସ୍ ଅନୀଲ ଚୌହାନ, ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଏବଂ ୩ ସେନା ମୁଖ୍ୟଙ୍କ ସହ ଏକ ବୈଠକ କରିବା ପରେ ଜବାବ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।