ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଆଜି ଚେନ୍ନାଇ ଠାରେ ବିପର୍ଯ୍ୟୟ ବିପତ୍ତି ହ୍ରାସ କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକକୁ ସମ୍ବୋଧିତ କରିଛନ୍ତି। ଶ୍ରୀ ମିଶ୍ର ଚଳିତ ବର୍ଷ ଗାନ୍ଧୀନଗର ଠାରେ ଆୟୋଜିତ କାର୍ଯ୍ୟଗୋଷ୍ଠୀର ପ୍ରଥମ ବୈଠକ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ସେବେଠାରୁ ବର୍ତ୍ତମାନ ସୁଦ୍ଧା ବ୍ୟାପକ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ବିପର୍ଯ୍ୟୟ ହୋଇସାରିଛି।
ବିଶ୍ୱ ସମ୍ମୁଖରେ ଦେଖା ଦେଉଥିବା ଆହ୍ୱାନ ଏବଂ ସମ୍ପୂର୍ଣ୍ଣ ପୃଥିବୀକୁ ପ୍ରଭାବିତ କରୁଥିବା ଜଳବାୟୁ ପରିବର୍ତ୍ତନକୁ ଧ୍ୟାନରେ ରଖି ପ୍ରମୁଖ ସଚିବ ଜି୨୦ ବିପର୍ଯ୍ୟୟ ବିପତ୍ତି ହ୍ରାସ କାର୍ଯ୍ୟଗୋଷ୍ଠୀର ମହତ୍ୱ ଉପରେ ଆଲୋକପାତ କରିଥିଲେ। ତେବେ ଗୋଷ୍ଠୀ ବିଶେଷ ଅଗ୍ରଗତି ହାସଲ କରିଛି ଏବଂ ଭଲ ଧାରାରେ ରହିଛି ବୋଲି ପ୍ରମୁଖ ସଚିବ କହିଥିଲେ।
ଜାତୀୟ ଓ ବିଶ୍ୱସ୍ତରୀୟ ପ୍ରୟାସରେ ସମନ୍ୱୟ ଆଣିବା ଲାଗି ସାମୂହିକ ପ୍ରୟାସକୁ ଆହୁରି ବ୍ୟାପକ କରିବା ଉପରେ ଶ୍ରୀ ମିଶ୍ର ଜୋର ଦେଇଥିଲେ । ସଂକୀର୍ଣ୍ଣ ସଂସ୍ଥାଗତ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ଖଣ୍ଡିତ ପ୍ରୟାସ ପରିବର୍ତ୍ତେ ସମସ୍ୟା ସମାଧାନ ପାଇଁ ଏକ ବ୍ୟାପକ ଦୃଷ୍ଟିକୋଣ ଆପଣାଇବା ଲାଗି ସେ ପରାମର୍ଶ ଦେଇଥିଲେ। ‘ସମସ୍ତଙ୍କ ପାଇଁ ଆଗୁଆ ଚେତାବନୀ’ କାର୍ଯ୍ୟକ୍ରମ ପାଇଁ ଜାତିସଂଘ ମହାସଚିବଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ‘ଆଗୁଆ ଚେତାବନୀ ଓ ଆଗୁଆ ପଦକ୍ଷେପ’କୁ ଜି୨୦ ପାଞ୍ଚଟି ପ୍ରାଥମିକତା ମଧ୍ୟରୁ ଗୋଟିଏ ଭାବେ ଗ୍ରହଣ କରିଛି ଏବଂ ଏଥିପାଇଁ ବିଶେଷ ଜୋର୍ ଦେଉଛି। ପୂର୍ବର ଜି୨୦ ଅଧ୍ୟକ୍ଷ ଇଣ୍ଡୋନେସିଆ, ଜାପାନ ଓ ମେକ୍ସିକୋ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା କାର୍ଯ୍ୟଧାରାକୁ ଭାରତ ଆଗେଇ ନେଉଥିବା ସେ କହିଥିଲେ । ପରବର୍ତ୍ତୀ ଅଧ୍ୟକ୍ଷ ବ୍ରାଜିଲ ମଧ୍ୟ ଏହାକୁ ଆଗେଇ ନେବ ବୋଲି ସେ ଆଶା ପ୍ରକଟ କରିଥିଲେ।
ପ୍ରମୁଖ ସଚିବ କହିଥିଲେ ଯେ, ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ଗତ ଆଠ ମାସ ମଧ୍ୟରେ ଦେଶର ୫୬ଟି ସ୍ଥାନରେ ୧୭୭ଟି ବୈଠକ ଆୟୋଜନ କରାଯାଇଛି। ଜି୨୦ ଲକ୍ଷ୍ୟ ପୂରଣ ଦିଗରେ ଯଥେଷ୍ଟ ପ୍ରଗତି ହୋଇଛି ଏବଂ ଆସନ୍ତା ଦେଢ଼ ମାସ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ନେତାମାନଙ୍କର ଶିଖର ସମ୍ମିଳନୀ ଏକ ଐତିହାସିକ ମୁହୂର୍ତ୍ତ ହେବ ବୋଲି ସେ କହିଥିଲେ।
ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ପ୍ରତିନିଧି ମାମି ମିଜୁତୋରି, ଭାରତର ଜି୨୦ ଶେରପା ଅମିତାଭ କାନ୍ତ, ଜି୨୦ ସଦସ୍ୟ ଦେଶ, ନିମନ୍ତ୍ରିତ ଅତିଥି ଦେଶ, ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି, କାର୍ଯ୍ୟ ଗୋଷ୍ଠୀର ଅଧ୍ୟକ୍ଷ କମଳ କିଶୋର, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରତିଷ୍ଠାନ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ।