ନୂଆ କର୍ମଚାରୀଙ୍କ ଇପିଏଫ୍‌ ଭରିବ କେନ୍ଦ୍ର
ଘର କିଣାରେ ୨୦% ପର୍ଯ୍ୟନ୍ତ ଆୟକର ରିହାତି
ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ୧୮ ହଜାର କୋଟି
ସାର ରିହାତି ବାବଦରେ ୬୫ ହଜାର କୋଟି
ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି ପାଇଁ ୧୦ ହଜାର କୋଟି
କୋଭିଡ୍‌ ଟିକା ବିକାଶ ଲାଗି ୯୦୦ କୋଟି

Advertisment

ନୂଆଦିଲ୍ଲୀ : କରୋନା କ୍ଷତିଗ୍ରସ୍ତ ଅର୍ଥନୀତିକୁ ମାନ୍ଦାବସ୍ଥା କବଳରୁ ମୁକୁଳାଇବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆତ୍ମ ନିର୍ଭର ଭାରତ ୩.୦ ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ମୋଟ ୨ ଲକ୍ଷ ୬୫ ହଜାର ୮୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପ୍ୟାକେଜରେ ବିଶେଷକରି ଦେଶରେ ନିଯୁକ୍ତି ସୃଷ୍ଟି, ଗୃହ ନିର୍ମାଣ ଓ ବିକ୍ରିକୁ ତ୍ବରାନ୍ବିତ କରିବା ସମେତ କୃଷକଙ୍କୁ ସାର୍‌ ସବ୍‌ସିଡି ଯୋଗାଇ ଦେବା, ସହରାଞ୍ଚଳରେ ଗୃହ ନିର୍ମାଣ, ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି, ରପ୍ତାନିକାରୀଙ୍କୁ ଋଣ ପ୍ରଦାନ ଆଦି ବାବଦରେ ବ୍ୟାପକ ଅର୍ଥର ବ୍ୟବସ୍ଥା କରାଯାଇଛି।

ତୃତୀୟ ପ୍ୟାକେଜ୍‌ରେ ଅର୍ଥମନ୍ତ୍ରୀ ଆତ୍ମନିର୍ଭର ଭାରତ ରୋଜଗାର ନାମରେ ଏକ ନୂଆ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନାରେ ଅଧିକ ନିଯୁକ୍ତି ସୃଷ୍ଟି ହେବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନାରେ ପଞ୍ଜୀକୃତ ହୋଇଥିବା କମ୍ପାନିଗୁଡ଼ିକ ନୂଆ ଚାକିରି ପ୍ରଦାନ କରିଲେ ସେମାନଙ୍କ ଭବିଷ୍ୟନିଧି ପାଣ୍ଠି ବାବଦ ଦେୟକୁ ସରକାର ୨ ବର୍ଷ ପାଇଁ ବହନ କରିବେ। ଇପିଏଫ୍ ଯୋଜନାରେ ପୂର୍ବରୁ ଯେଉଁ କର୍ମଚାରୀମାନେ ଆଦୌ ସାମିଲ ହୋଇନାହାନ୍ତି କିମ୍ବା ଯେଉଁମାନେ ଚଳିତବର୍ଷ ମାର୍ଚ୍ଚ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ଚାକିରି ହରାଇଛନ୍ତି ସେମାନଙ୍କୁ ଚାକିରି ଦେଲେ ସରକାର ଏବାବଦ ଅର୍ଥ ବହନ କରିବେ। ଚଳିତବର୍ଷ ଅକ୍ଟୋବର ୧ ତାରିଖରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ସେପ୍ଟେମ୍ବର ମାସକୁ ମୂଳ ମାସ ଭାବେ ଏଥିପାଇଁ ଧରାଯାଇଛି। ଏହି ଯୋଜନାର ଲାଭ ପାଇବାକୁ ହେଲେ ୫୦ ଜଣରୁ କମ୍‌ କର୍ମଚାରୀ କାର୍ଯ୍ୟ କରୁଥିବା କମ୍ପାନି ଗୁଡ଼ିକୁ ଅତିକମ୍‌ରେ ୨ ଜଣଙ୍କୁ ଏବଂ ୫୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିବା କମ୍ପାନି ଗୁଡ଼ିକୁ ଅତିକମ୍‌ରେ ୫ ଜଣଙ୍କୁ ନିଯୁକ୍ତି ଦେବାକୁ ହେବ। ୨୦୨୧ ଜୁନ୍ ୩୦ ପର୍ଯ୍ୟନ୍ତ ଏହି ଯୋଜନା ଉପଲବ୍ଧ ହେବ। କେନ୍ଦ୍ର ସରକାର ନୂଆ ଯୋଗ୍ୟ କର୍ମଚାରୀ ଯେଉଁମାନେ ୨୦୨୦ ଅକ୍ଟୋବର ୧ ତାରିଖ କିମ୍ବା ତା ପରଠାରୁ ନିଯୁକ୍ତ ହୋଇଛନ୍ତି ସେମାନଙ୍କୁ ୨ ବର୍ଷ ପାଇଁ ଇପିଏଫରେ ରିହାତି ପ୍ରଦାନ କରାଯିବ। ହଜାରେ ପର୍ଯ୍ୟନ୍ତ କର୍ମଚାରୀ ଥିବା କମ୍ପାନିଗୁଡ଼ିକର ନୂଆ କର୍ମଚାରୀଙ୍କ ପାଇଁ ୨୪ ପ୍ରତିଶତ ଇପିଏଫ ରାଶି ସରକାର ପ୍ରଦାନ କରିବେ। ହଜାରେରୁ ଅଧିକ କର୍ମଚାରୀ ଥିବା କମ୍ପାନିଗୁଡ଼ିକୁ କର୍ମଚାରୀଙ୍କ ଇପିଏଫ୍‌ ବାବଦ ୧୨ ପ୍ରତିଶତ ରାଶି ସରକାର ପ୍ରଦାନ କରିବେ। ଯୋଗ୍ୟ କର୍ମଚାରୀଙ୍କ ଆଧାର ସଂଲଗ୍ନ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଏହି ଅର୍ଥ ଜମା ହେବ। ଏହାଦ୍ବାରା କମ୍ପାନିଗୁଡ଼ିକ ପାଇଁ ନୂଆ ନିଯୁକ୍ତି ସୃଷ୍ଟି ଜନିତ ବୋଝ ହାଲୁକା ହେବ।

କାହା ପାଇଁ କେତେ ଟଙ୍କା
କ୍ଷେତ୍ର      କୋଟି ଟଙ୍କା
ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୧୮,୦୦୦
ଗ୍ରାମୀଣ ନିଯୁକ୍ତି ୧୦,୦୦୦
କୋଭିଡ ଟିକା ବିକାଶ ୯୦୦
ଶିଳ୍ପ ଭିତ୍ତିଭୂମି ଓ ପ୍ରତିରକ୍ଷା ଉପକରଣ ୧୦,୨୦୦
ରପ୍ତାନି ପ୍ରୋତ୍ସାହନ ସହାୟତା ୩,୦୦୦
ଆତ୍ମନିର୍ଭର ଉତ୍ପାଦନ ୧,୪୫,୯୮୦
ଚାଷୀଙ୍କୁ ସାର ରିହାତି ୬୫,୦୦୦
ଭିତ୍ତିଭୂମି ୬୦୦୦
ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ୬,୦୦୦
ମୋଟ୍‌ ୨,୬୫,୦୮୦

ସେହିଭଳି ଅର୍ଥମନ୍ତ୍ରୀ ଆଜିର ପ୍ୟାକେଜରେ ପ୍ରଥମ ଥର ପାଇଁ ଗୃହ କିଣୁଥିବା ବ୍ୟକ୍ତିଙ୍କ ପାଇଁ ଆୟକର ରିହାତି ଘୋଷଣା କରିଛନ୍ତି। ୨ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଗୃହ କ୍ରୟ ଉପରେ ଏହି ଆୟକର ରିହାତି ମିଳିବ। ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଗୃହ କ୍ରୟର ସର୍କଲ ରେଟ୍‌ (ଷ୍ଟାମ୍ପ୍‌ ଡ୍ୟୁଟି ମୂଲ୍ୟ) ଏବଂ ‌ଏଗ୍ରିମେଣ୍ଟ୍‌ ରେଟ୍‌ (କ୍ରୟ ମୂଲ୍ୟ)ର ପାର୍ଥକ୍ୟକୁ ଦୁଇଗୁଣ କରି ଦିଆଯାଇଛି। ଅର୍ଥାତ୍ ୧୦ ପ୍ରତିଶତ ସ୍ଥାନରେ ଏହାକୁ ୨୦ ପ୍ରତିଶତକୁ ବଢ଼ାଇ ଦିଆଯାଇଛି। ଫଳରେ ଏପରି କ୍ଷେତ୍ରରେ ଘର କିଣୁଥିବା ବ୍ୟକ୍ତିମାନେ ଆୟକର ଆଇନ ଅଧୀନରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇବେ। ୨୦୨୧ ମସିହା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ଆୟକର ରିହାତି ଉପଲବ୍ଧ ହେବ।

ସହରାଞ୍ଚଳରେ ଗୃହ ନିର୍ମାଣକୁ ପ୍ରୋତ୍ସାହନ ଦେବା ସହିତ ଅସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପକୁ ଶେଷ କରିବା ଲାଗି ମଧ୍ୟ ଅର୍ଥମନ୍ତ୍ରୀ ୧୮ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା( ସହରାଞ୍ଚଲ) ପାଇଁ ବଜେଟରେ ଯେଉଁ ଅର୍ଥ ବରାଦ କରାଯାଇଥିବ ତାହା ବାଦ୍ ଏହି ଅତିରିକ୍ତ ରାଶି ପ୍ରଦାନ କରାଯିବ। ଏଥିଯୋଗୁଁ ସହରାଞ୍ଚଳରେ ୧୨ ଲକ୍ଷ ନୂଆ ଘର ନିର୍ମାଣ ଆରମ୍ଭ ହେବା ସହିତ ୧୮ ଲକ୍ଷ ଘରର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିବ। ଫଳରେ ୭୮ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବା ସହିତ ଦେଶରେ ଇସ୍ପାତ ଓ ସିମେଣ୍ଟ ଚାହିଦା ମଧ୍ୟ ବଢ଼ିବ। କୃଷକମାନଙ୍କ ପାଇଁ ସରକାର ୬୫ ହଜାର କୋଟି ଟଙ୍କାର ସାର ସବ୍‌ସିଡି ଦେବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଗ୍ରାମୀଣ ଅର୍ଥନୀତିରେ ନିଯୁକ୍ତି ବଢ଼ାଇବା ପାଇଁ ଆଜିର ପ୍ୟାକେଜରେ ଦଶ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରପ୍ତାନିକାରୀଙ୍କୁ ଆବଶ୍ୟକ ଋଣ ଯୋଗାଇ ଦେବା ଲାଗି ସରକାର ଏକ୍‌ଜିମ୍‌ ବ୍ୟାଙ୍କକୁ ୩୦୦୦ କୋଟି ଟଙ୍କାର ଅର୍ଥ ପ୍ରଦାନ କରିବେ।