ଚିଆଙ୍ଗ ରାଇ: ଉତ୍ତର ଥାଇଲାଣ୍ଡର କାଳ ଗୁମ୍ଫାରେ ୧୭ ଦିନ ଧରି ଫସିରହିଥିବା ସମସ୍ତ ୧୨ ଫୁଟବଲ ଖେଳାଳି ଓ ସେମାନଙ୍କ କୋଚଙ୍କୁ ମଙ୍ଗଳବାର ସୁରକ୍ଷିତ ଭାବେ ଗୁମ୍ପାରୁ ଉଦ୍ଧାର କରାଯାଇଥିବା ଖବର ମିଳିଛି । ମଙ୍ଗଳବାର ସକାଳେ ସ୍ଥିର କରାଯାଇଥିବା ସମୟର ଦୁଇ ଘଣ୍ଟା ପୂର୍ବରୁ ଚୂଡ଼ାନ୍ତ ପର୍ଯ୍ୟାୟ ଉଦ୍ଧାର କାର୍ଯ୍ୟ ଅାରମ୍ଭ ହୋଇଥିଲା । ଅାଜି ଉଦ୍ଧାରକାରୀ ପ୍ରଥମେ ଦୁଇ ଜଣ ପିଲାଙ୍କୁ ଉଦ୍ଧାର କରି ବାହାରକୁ ଅାଣିଥିଲେ। ତା’ପରେ ଅାଉ ଜଣଙ୍କୁ ଉଦ୍ଧାର କରିଥିଲେ। ଶେଷରେ ଜଣେ ଖେଳାଳି ଓ କୋଚଙ୍କୁ ବାହାରକୁ ଅାଣିଥିଲେ। ଗୁମ୍ପାରୁ ବାହାରିବା ପରେ ପରେ ସେମାନଙ୍କୁ ଚିକିତ୍ସା ଲାଗି ଘଟଣାସ୍ଥଳରେ ଥିବା ଡାକ୍ତର ଯାଞ୍ଚ କରିଥିଲେ। ପ୍ରାଥମିକ ପରୀକ୍ଷାରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ଜଣାଯାଇଛି। ବର୍ତ୍ତମାନ ସେମାନଙ୍କୁ ହେଲିକପ୍ଟର ଯୋଗେ ଡାକ୍ତରଖାନାକୁ ନିଅାଯାଇଛି। ଏହି ଅପରେସନର ମୁଖ୍ୟ ନାରୋଙ୍ଗସାକ୍ ଓସୋଟାନାକର୍ଣ୍ଣଙ୍କ ଠାରୁ ସୂଚନା ମିଳିଛି କି ଥାଇଲାଣ୍ଡରେ ବର୍ଷା ଚାଲିଥିଲେ ବି ଉଦ୍ଧାରକାରୀମାନେ ମଙ୍ଗଳବାର ଅପରେସନ୍ ଶେଷ କରିବାରେ ସଫଳ ହୋଇଛନ୍ତି। ଗତ ଦୁଇ ଦିନରେ ଉଦ୍ଧାରକାରୀମାନେ ଗୁମ୍ଫାରୁ ୮ ଜଣ ଖେଳାଳିଙ୍କୁ ଉଦ୍ଧାର କରି ବାହାରକୁ ଅାଣିଥିଲେ। ସୋମବାର ଉଦ୍ଧାରକାରୀମାନେ ୪ ଜଣ ଫୁଟ୍ବଲ ଖେଳାଳିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ଉଦ୍ଧାର କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା । ପୂର୍ବରୁ ରବିବାର ୪ ଜଣଙ୍କୁ ଉଦ୍ଧାର କରାଯିବା ପରେ ମିସନ୍ ବନ୍ଦ ରହିଥିଲା।
All soccer players, coach out of flooded Thailand cavehttps://t.co/46v7rVHWu0
— ESPN5 (@Sports5PH) July 10, 2018
ଗତକାଲି ଭଳି ମଙ୍ଗଳବାର ମଧ୍ୟ ଉଦ୍ଧାରକାରୀ ଟିମ୍ ଦଉଡ଼ି, ଅମ୍ଳଜାନ, ମୁଖା ଓ ଟର୍ଚ୍ଚ ଭଳି ସରଞ୍ଜାମ ସାଙ୍ଗରେ ନେଇଥିଲେ । ଏମିତି କି ସାଙ୍ଗରେ ସେମାନେ ଉଦ୍ଧାର ହେବାକୁ ଥିବା ପିଲାମାନଙ୍କ ପାଇଁ ଅମ୍ଳଜାନ ଓ ଅନ୍ୟ ଉପକରଣ ନେଇଥିଲେ । ତେବେ ଗୁମ୍ଫାର ଆଭ୍ୟନ୍ତରୀଣ ଭାଗର କିଛି ସ୍ଥାନ ଅତ୍ୟନ୍ତ ସଂକୀର୍ଣ୍ଣ ଥିବାରୁ ପିଲାମାନଙ୍କୁ ସେହି ବାଟ ଦେଇ ବାହାର କରିବା କଷ୍ଟକର ଥିଲା ବୋଲି ଜଣାପଡ଼ିଛି । ଜଣେ ପିଲାକୁ ଉଦ୍ଧାର ପାଇଁ ୩ ଜଣ ଡାଇଭରଙ୍କୁ ନିୟୋଜିତ କରାଯାଇଥିଲା। ଦୁଇ ସପ୍ତାହ ଧରି ଏହି କାଳ ଗୁମ୍ଫାରେ ଫସିଥିବା ଫୁଟ୍ବଲ୍ ଟିମ୍ ଓ କୋଚ୍ଙ୍କୁ ଉଦ୍ଧାର ପାଇଁ ରବିବାର ସ୍ୱତନ୍ତ୍ର ମିସନ୍ ପ୍ରସ୍ତୁତ ହୋଇଥିଲା। ଗୁମ୍ଫା ମଧ୍ୟରେ ସ୍ଥିତି ଖରାପ ହେଉଥିବାରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଥିଲା।
ସୂଚନାଯୋଗ୍ୟ କି ଜୁନ୍ ୨୩ରେ ‘ଓ୍ଵାଇଲ୍ଡ ବୋର୍ସ’ ନାମକ ଏହି ଫୁଟ୍ବଲ୍ ଟିମ୍ର ୧୨ ଜଣ ଖେଳାଳି ସେମାନଙ୍କ .କୋଚଙ୍କ ସହ ଗୁମ୍ଫା ବୁଲିବାକୁ ଯାଇଥିଲେ। କିନ୍ତୁ ଗୁମ୍ଫା ମଧ୍ୟରେ ବର୍ଷା ପାଣି ପଶିଯିବାରୁ ସେମାନେ ଆଉ ବାହାରି ପାରି ନ ଥିଲେ। ଗୁମ୍ଫାର ୪ କିମି ଭିତରେ ଫସିଥିବା ପିଲାମାନଙ୍କୁ ଠାବ କରିବାରେ ବାଇକ୍ ଓ ଚପଲ ବିଶେଷ ସହାୟକ ହୋଇଥିଲା। ୯ ଦିନ ଧରି ଫସିବା ପରେ ମଧ୍ୟ ସେମାନଙ୍କର କୌଣସି ଖୋଜଖବର ନ ଥିଲା। କିନ୍ତୁ ଗୁମ୍ଫା ବାହାରେ ଥିବା ବାଇକ୍ ଓ ଗୁମ୍ଫାର କିଛି ବାଟ ଭିତରେ ପଡ଼ିଥିବା କେଇ ହଳ ଚପଲକୁ ଦେଖି ଗୁମ୍ଫାରେ କେହି ଫସିଥିବା ନେଇ ସନ୍ଦେହ ଉପୁଜିଥିଲା। ଏହାପରେ ଗୁମ୍ଫା ବିଶେଷଜ୍ଞ ଓ କିଛି ନୌସେନା ଟିମ୍ ପ୍ରସ୍ତୁତ କରି ଗୁମ୍ଫା ମଧ୍ୟକୁ ପଶି ସେମାନଙ୍କୁ ଠାବ କରିଥିଲେ। ଏହାପରେ ଉଦ୍ଧାର କାର୍ଯ୍ୟ ଲାଗି ଏକ ବଡ଼ ଅପରେସନ୍ ଅାରମ୍ଭ କରାଯାଇଥିଲା।