ବିଶେଷଜ୍ଞଙ୍କ ଆଶଙ୍କା, ଅକ୍ଟୋବର ସୁଦ୍ଧା ତୃତୀୟ ଲହର

ନିୟମ ଉଲ୍ଲଂଘନ ପାଇଁ ତୃତୀୟ ଲହର ଶୀଘ୍ର ଆସିବ: ଦିଲ୍ଲୀ ହାଇକୋର୍ଟ

ବେଙ୍ଗାଲୁଲୁ : ଆସନ୍ତା ଅକ୍ଟୋବର ବେଳକୁ ଭାରତରେ ମହାମାରୀ କୋଭିଡ୍‌-୧୯ର ତୃତୀୟ ଲହର ସଂକ୍ରମଣର ଆବିର୍ଭାବ ହୋଇପାରେ ବୋଲି ଭେଷଜ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଦ୍ବିତୀୟ ଲହର ଅପେକ୍ଷା ତାହାକୁ ଉତ୍ତମ ଭାବରେ ନିୟନ୍ତ୍ରଣ ସମ୍ଭବ ହୋଇପାରିବା ସତ୍ତ୍ବେ ଆହୁରି ବର୍ଷକ ପାଇଁ ଏହି ମହାମାରୀ ଜନସାଧାରଣଙ୍କ ସ୍ବାସ୍ଥ୍ୟ ପ୍ରତି ଆହ୍ବାନ ସୃଷ୍ଟି କରିବ ବୋଲି ମଧ୍ୟ ଆଶଙ୍କା କରାଯାଇଛି। ଗତ ୩ ତାରିଖରୁ ୧୭ ତାରିଖ ଭିତରେ ସାମ୍ପ୍ରତିକ ସ୍ଥିତିର ତର୍ଜମା ପୂର୍ବକ ବିଶ୍ବର ୪୦ ଜଣ ଖ୍ୟାତନାମା ସ୍ବାସ୍ଥ୍ୟ ବିଶେଷଜ୍ଞ, ଡାକ୍ତର, ବୈଜ୍ଞାନିକ, ଭୂତାଣୁ ବିଶେଷଜ୍ଞ, ପ୍ରାଧ୍ୟାପକ ଓ ସଂକ୍ରାମକ ରୋଗ ବିଶେଷଜ୍ଞଙ୍କୁ ସାମିଲ କରି ରଏଟର ପକ୍ଷରୁ ସଂଗ୍ରହ କରାଯାଇଥିବା ମତାମତରୁ ଏଭଳି ସୂଚନା ମିଳିଛି। ଦେଶମାନଙ୍କରେ ଜାରି ରହିଥିବା ଟିକାକରଣରେ ଦ୍ରୁତ ଅଗ୍ରଗତି ହିଁ ଏହି ତୃତୀୟ ଲହର ଆବିର୍ଭାବରେ କିଛି ସୁଧାର ଆଣିବ ବୋଲି ଏହି ବିଶେଷଜ୍ଞମାନେ ମଧ୍ୟ ଆଶ୍ବସ୍ତି ପ୍ରକାଶ କରିଛନ୍ତି।

ରଏଟରର ସଂଗୃହୀତ ମତ ଅନୁସାରେ, ଅକ୍ଟୋବର ବେଳକୁ ମହାମାରୀର ତୃତୀୟ ଲହର ଆସିବ ବୋଲି ୩୧ରୁ ୩୪ ଜଣ ବିଶେଷଜ୍ଞ ପୂର୍ବାନୁମାନ କରିଥିବାବେଳେ ଅଗଷ୍ଟ କି ସେପ୍ଟେମ୍ବରରେ ଆସିବା କଥା ୩ ଜଣ ଅନୁମାନ ଲଗାଇଛନ୍ତି। ସେହିପରି ଆଗାମୀ ନଭେମ୍ବରରୁ ଆସନ୍ତାବର୍ଷ ଫେବ୍ରୁଆରି ଭିତରେ ସମ୍ଭାବ୍ୟ ତୃତୀୟ ଲହରର ଆବିର୍ଭାବ ହେବ ବୋଲି ବାକି ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି। ତେବେ ଏଥର ସଂକ୍ରମଣକୁ ଭଲରକମ ନିୟନ୍ତ୍ରଣ କରିହେବ ବୋଲି ୨୪ରୁ ୩୪ ଜଣ ବା ୭୦ ପ୍ରତିଶତ ବିଶେଷଜ୍ଞ ମତରଖିଛନ୍ତି।

ଅନ୍ୟପକ୍ଷରେ କରୋନା ନିୟମାବଳୀର ଉଲ୍ଳଂଘନ ଦ୍ବାରା ତୃତୀୟ ଲହର ଖୁବ୍‌ଶୀଘ୍ର ଆସିଯିବ ବୋଲି ଦିଲ୍ଲୀ ହାଇକୋର୍ଟ ଆଜି ଚେତାବ‌ନୀ ଦେଇଛନ୍ତି। ଚଳିତ ସପ୍ତାହରେ ଦିଲ୍ଲୀରେ କଟକଣା ଆଂଶିକ କୋହଳ ହେବାପରେ ବଜାରମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିବାରୁ ହାଇକୋର୍ଟ ଏହାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି ଏବଂ ଅନଲକ୍‌ ପ୍ରକ୍ରିୟା ସଂକ୍ରାନ୍ତରେ ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କଠାରୁ ଷ୍ଟାଟସ୍‌ ରିପୋର୍ଟ ମାଗିଛନ୍ତି। କରୋନା ନିୟମାବଳୀକୁ ନ ମାନିଲେ କେବଳ ଭଗବାନ ହିଁ ଆମକୁ ସାହା ବୋଲି କୋର୍ଟ କହିଛନ୍ତି।

ଚଳିତ ଦ୍ବିତୀୟ ଲହର ବେଳେ ଟିକାର ଅଭାବ ସାଙ୍ଗକୁ ଔଷଧ ଓ ଡାକ୍ତରଖାନାରେ ରୋଗୀଶଯ୍ୟା ଓ ଅମ୍ଳଜାନର ଘୋର ଅଭାବ ପରିଲକ୍ଷିତ ହେବାରୁ ଏହା ପ୍ରଥମ ଲହର ସଂକ୍ରମଣ ତୁଳନାରେ କଳ୍ପନାତୀତ ଧ୍ବଂସ ରଚାଇଥିଲା। ମାତ୍ର ସମ୍ପ୍ରତି ଟିକାକରଣରେ ଉନ୍ନତି ଦେଖାଦେବା ସହ ଦ୍ବିତୀୟ ଲହର ସଂକ୍ରମଣ ଯୋଗୁଁ ଲୋକଙ୍କ ଠାରେ ପ୍ରାକୃତିକ ଭାବରେ ରୋଗପ୍ରତିରୋଧକତା ବିକଶିତ ହୋଇଥିବା କାରଣରୁ ସମ୍ଭାବ୍ୟ ତୃତୀୟ ଲହର ସେତେ ବପଜ୍ଜନକ ହେବନାହିଁ ବୋଲି ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ତଥା ଭାରତୀୟ କୋଭିଡ୍‌‌ ଟାସ୍କଫୋର୍ସ ସଦସ୍ୟ ଡା. ରଣଦୀପ ଗୁଲେରିଆ କହିଛନ୍ତି।
ଅପରପକ୍ଷେ, ତୃତୀୟ ଲହରରେ ଶିଶୁ ଏବଂ ୧୮ ବର୍ଷରୁ କମ୍‌ ବୟସ୍କମାନେ ଅଧିକ ମାତ୍ରାରେ ପ୍ରଭାବିତ ହେବେ ବୋଲି ୨୬ ଜଣ ବିଶେଷଜ୍ଞ ମତ ରଖିଛନ୍ତି। ସେମାନେ ଏପରି ଆଶଙ୍କା କରିବାର ପ୍ରମୁଖ କାରଣ ହେଲା ଏହି ବର୍ଗର କନିଷ୍ଠ ନାଗରିକମାନଙ୍କ ପାଇଁ ଏଯାଏ କୋଭିଡ୍‌ ଟିକା ଉପଲବ୍ଧ ନାହିଁ। ତେବେ ଶିଶୁଙ୍କ ପ୍ରତି ତୃତୀୟ ଲହରରୁ ସେପରି କିଛି ବିପଦ ନାହିଁ ବୋଲି ୧୪ ଜଣ ବିଶେଷଜ୍ଞ କହିଛନ୍ତି।

ସମ୍ବନ୍ଧିତ ଖବର