୮ ସପ୍ତାହରେ ତୃତୀୟ ଲହର! ୩୦ ଦିନର ଔଷଧ ଆଗୁଆ‌ ମହଜୁଦ ରଖିବେ ସରକାର

ନୂଆଦିଲ୍ଲୀ: ଆସନ୍ତା ୬-୮ ସପ୍ତାହ ମଧ୍ୟରେ ଦେଶରେ ତୃତୀୟ ଲହର ଆସିପାରେ। ଯଦି କରୋନା ନିୟମାବଳିର ସଠିକ୍‌ ଭାବେ ପାଳନ ନହୁଏ ତେବେ ୬ରୁ ୮ ସପ୍ତାହ ମଧ୍ୟରେ ଦେଶରେ ତୃତୀୟ ଲହର ଆସିଯିବ ବୋଲି ଏମ୍ସ ମୁଖ୍ୟ ରଣଦୀପ ଗୁଲେରିଆ କହିଛନ୍ତି। ଦେଶରେ ଅଧିକାଂଶ ଲୋକ ଟିକା ନେବା ପର୍ଯ୍ୟନ୍ତ କରୋନା ନିୟମାବଳି ଭଲଭାବେ ପାଳନ କରିବାକୁ ପଡ଼ିବ। କଟକଣା ଅଧିକ କଡ଼ାକଡ଼ି କରିବା ସହ ସଂକ୍ରମଣ ବଢ଼ୁଥିବା ସ୍ଥାନମାନଙ୍କରେ ସ୍ବତନ୍ତ୍ର ଭାବେ ଲକ୍‌ଡା‌ଉନ୍‌ କରିବା ପାଇଁ ଗୁଲେରିଆ କହିଛନ୍ତି। ତେବେ ସଂକ୍ରମଣ ରୋକିବା ଦିଗରେ ଆମକୁ ମିଳିମିଶି କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଗୁଲେରିଆ କହିଥିଲେ, ତୃତୀୟ ଲହର ଅବଶ୍ୟମ୍ଭାବୀ ଏବଂ ଆଗାମୀ ସେପ୍ଟେମ୍ବର-ଅକ୍ଟୋବରରେ ଏହା ଆରମ୍ଭ ହୋଇଯାଇପାରେ। ଦେଶରେ ସକ୍ରିୟ ମାମଲା କମିବାପରେ ବିଭିନ୍ନ ରାଜ୍ୟରେ କଟକଣା କୋହଳ କରାଗଲା। କଟକଣା କୋହଳ ହେବାରୁ ବଜାର ଏବଂ ସର୍ବସାଧାରଣ ସ୍ଥାନମାନଙ୍କରେ କୋଭିଡ୍‌ ନିୟମା‌ବଳିର ଖୋଲା ଉଲ୍ଳଂଘନ କରାଗଲା। ତେଣୁ କିଛି ରାଜ୍ୟରେ ସଂକ୍ରମଣ ବଢ଼ିଛି। ଦେଶରେ କିଛି ଜିଲ୍ଲାରେ ପଜିଟିଭ୍‌ ହାର ଏବେ ବି ୧୦ ପ୍ରତିଶତରୁ ଅଧିକ ରହିଛି। ତେଣୁ ଟିକାକରଣ ସରିବା ପର୍ଯ୍ୟନ୍ତ ସମସ୍ତେ କୋଭିଡ୍‌ ନିୟମାବଳିର ପାଳନ କରିବାପାଇଁ ଗୁଲେରିଆ କହିଛନ୍ତି।

୩୦ ଦିନର ଔଷଧ ଆଗୁଆ‌ ମହଜୁଦ ରଖିବେ ସରକାର
ନୂଆଦିଲ୍ଲୀ: ଦେଶରେ ତୃତୀୟ ଲହର ଆରମ୍ଭ ହେବା ପୂର୍ବରୁ ସରକାର ଏଦିଗରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସରକାର ୩୦ ଦିନର ଔଷଧ ଆଗୁଆ ମହଜୁଦ ରଖିବାପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସାଧାରଣ ଔଷଧ ବାଦ୍‌ ଅତ୍ୟାବଶ୍ୟକ ଔଷଧଗୁଡ଼ିକ ମାସକ ପାଇଁ ଗଚ୍ଛିତ ରଖିବାକୁ ସରକାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। କରୋନା ଚିକିତ୍ସାରେ ବ୍ୟବହୃତ ରେମଡେସିଭିର ଏବଂ ଫାଭିପିରାଭିର ସମେତ ଅନ୍ୟ ଅତ୍ୟାବଶ୍ୟକ ଔଷଧ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କରିବାପାଇଁ ସରକାର ଚେଷ୍ଟା ଚଳାଇଛନ୍ତି। ଦ୍ବିତୀୟ ଲହରରେ ଦେଶରେ ବିଭିନ୍ନ ହସ୍ପିଟାଲ୍‌ମାନଙ୍କରେ କରୋନା ଚିକିତ୍ସାରେ ବ୍ୟବହୃତ ଔଷଧ ଗୁଡ଼ିକର ଘୋର ଅଭାବ ଦେଖାଦେଇଥିଲା। ରେମଡେସିଭିର୍‌ ବ୍ଲାକ୍‌ ମା‌ର୍କେଟ୍‌ରେ ଚଢ଼ା ଦରରେ ବିକ୍ରି ‌ହେଲା। ତେବେ ତୃତୀୟ ଲହର ପୂର୍ବରୁ ସରକାର ଆଗୁଆ ପ୍ରସ୍ତୁତ ହେଉଛନ୍ତି । ୫୦ ଲକ୍ଷ ରେମ୍‌ଡେସିଭିର ଶିଶି କିଣିବାପାଇଁ ସରକାର ଯୋଜନା କରିଛନ୍ତି। ସରକାର ମଧ୍ୟ ଏନେଇ ଆଡଭାନ୍ସ ଦେଇସାରିଥିବା ଏକ ଔଷଧ କମ୍ପାନିର ଜଣେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। ଗୋଟିଏ ମାସରେ ୧ କୋଟି ରେମଡେସିଭିର ଶିଶି ଉତ୍ପନ କରିବାର ଦକ୍ଷତା ଭାରତ ପାଖରେ ଅଛି ବୋଲି ସମ୍ପୃକ୍ତ ଅଧିକାରୀ ଜଣଙ୍କ କହିଛନ୍ତି। ଖାଲି ଔଷଧ ନୁହେଁ ଅକ୍ସିଜେନ୍‌ ସଙ୍କଟକୁ ଦୂର କରିବାପାଇଁ ମଧ୍ୟ ସରକାର କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର