ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ମାମଲା ଏବେ ପ୍ରାୟ ୭,୫୦୦ ରହୁଛି। ଓମିକ୍ରନ୍‌ ସଂକ୍ରମଣ ବି ବଢ଼ିବାରେ ଲାଗିଛି। ତେବେ ଆଗକୁ ଓମିକ୍ରନ୍‌ ଡେଲ୍‌ଟା ପ୍ରଜାତିକୁ ଟପି ଏକ ପ୍ରଭାବଶାଳୀ ପ୍ରଜାତି ହେଲେ ଖୁବ୍‌ଶୀଘ୍ର ତୃତୀୟ ଲହର ଆରମ୍ଭ ହେବ ଏବଂ ‌ଫେବ୍ରୁଆରିରେ ଏହା ଶୀର୍ଷ ଛୁଇଁବ ବୋଲି ଜାତୀୟ କୋଭିଡ-୧୯ ସୁପରମଡେଲ କମିଟି ସଦସ୍ୟ କହିଛନ୍ତି। ଜାତୀୟ କୋଭିଡ-୧୯ ସୁପରମ‌ଡେଲ କମିଟି ମୁଖ୍ୟ ବିଦ୍ୟାସାଗର କହିଛନ୍ତି, ଦେଶରେ ଓମିକ୍ରନ ପାଇଁ ତୃତୀୟ ଲହର ଆରମ୍ଭ ହେବ। କିନ୍ତୁ ଦ୍ବିତୀୟ ଲହର ଭଳି ଏହା ଘାତକ ହେବନାହିଁ। ଆଗାମୀ ଜାନୁଆରି ପ୍ରାରମ୍ଭରେ ଦେଶରେ ତୃତୀୟ ଲହର ଆସିଯିବ। କିନ୍ତୁ ଅଧିକାଂଶ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଥିବାରୁ ସଂକ୍ରମଣ ସ୍ବାଭାବିକ ରହିବ। ଏବେ ଦେଶରେ ଦୈନିକ ୭,୫୦୦ ମାମଲା ରହୁଛି।

Advertisment

ବିଦ୍ୟାସାଗାର କହିଛନ୍ତି ଦ୍ବିତୀୟ ଲହର ତୁଳନାରେ ତୃତୀୟ ଲହରରେ ସେତେ ଅଧିକ ସଂକ୍ରମଣ ବଢ଼ିବ ବୋଲି ଜଣାପଡ଼ୁନାହିଁ। ଦେଶରେ ଟିକାକରଣ ତ୍ବରାନ୍ବିତ ହୋଇଛି ଏବଂ ସେରୋ ପଜିଟିଭ୍‌ ହାର ମଧ୍ୟ ବଢ଼ିଛି ତେଣୁ ଦ୍ବିତୀୟ ଲହର ତୁଳନାରେ ତୃତୀୟ ଲହରରେ ସେତେ ଅଧିକ ସଂକ୍ରମଣ ଦେଖିବାକୁ ମିଳିବନି। ବ୍ରିଟେନ୍‌ରେ ଓମିକ୍ରନ୍‌ ସଂକ୍ରମିତଙ୍କ ମଧ୍ୟରୁ କେବଳ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅଧିକାଂଶ ଲୋକଙ୍କଠାରେ କୌଣସି ଲକ୍ଷଣ ନାହିଁ।