ଚଳିତମାସରେ ତୃତୀୟ ଲହର! ଅକ୍ଟୋବରରେ ଶିଖର ଛୁଇଁପାରେ

୪୦ ହଜାର ତଳକୁ ଖସୁନି ସଂକ୍ରମଣ

ହାଇଦ୍ରାବାଦ : ଗବେଷକମାନଙ୍କ ଏକ ଗାଣିତିକ ମଡେଲ ଅନୁଯାୟୀ ଭାରତରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିପାରେ ଏବଂ ଏହି ମାସରେ ଛୋଟ ହେଲେ ବି ଏକ ନୂତନ ଲହର ଆସିପାରେ, ଯାହା ଆସନ୍ତା ଅକ୍ଟୋବରରେ ଶିଖର ଛୁଇଁବାର ସମ୍ଭାବନା ରହିଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ହାଇଦ୍ରାବାଦ ଏବଂ କାନପୁରର ମଥୁକୁମାଲ୍ଲୀ ବିଦ୍ୟାସାଗର ଏବଂ ମଣୀନ୍ଦ୍ର ଅଗ୍ରୱାଲଙ୍କ ନେତୃତ୍ୱରେ ଚାଲିଥିବା ଅନୁଧ୍ୟାନର ଗବେଷକମାନେ କହିଛନ୍ତି ଯେ ଚଳିତମାସରେ କୋଭିଡ୍‌-୧୯ ମାମଲାରେ ବୃଦ୍ଧି ମହାମାରୀର ତୃତୀୟ ଲହରକୁ ଠେଲି ଦେବ, ଯାହା ଅକ୍ଟୋବରରେ ଶିଖର ଛୁଇଁପାରେ। ବିଦ୍ୟାସାଗର କହିଛନ୍ତି, କେରଳ ଓ ମହାରାଷ୍ଟ୍ର ପରି ଉଚ୍ଚ କୋଭିଡ୍‌-୧୯ ମାମଲା ଥିବା ରାଜ୍ୟଗୁଡ଼ିକ ଏହି ସମସ୍ୟାକୁ ବଢ଼େଇଦେବେ। ଏହା ଦ୍ବିତୀୟ ଲହରଠାରୁ ବହୁତ ଛୋଟ ହେବାର ସମ୍ଭାବନା ଅଛି।

ଦ୍ବିତୀୟ ଲହର ମେ ୭ରେ ଦୈନିକ ସଂକ୍ରମଣ ରେକର୍ଡ ୪୦୦,୦୦୦ରୁ ଅଧିକ ହୋଇଥିଲା ଏବଂ ଏହାପରେ ଦ୍ରୁତ ହ୍ରାସ ପାଇଥିଲା। ଏହି ପୂର୍ବାନୁମାନ ଭାରତକୁ ଏହାର ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା, ନୂତନ ହଟସ୍ପଟ୍‌କୁ ଧରିବା ଏବଂ ନୂତନ ପ୍ରଜାତି ଉତ୍ପନ୍ନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିନୋମ୍ ସିକ୍ବେନ୍ସିଂ ଜରିଆରେ ସଜାଗ ରହିବା ପାଇଁ ଭାରତର ଆବଶ୍ୟକତାକୁ ଦର୍ଶାଉଛି। ବଢ଼ୁଥିବା ସଂକ୍ରମଣ ପାଇଁ କେରଳ, ମହାରାଷ୍ଟ୍ର ଏବଂ ଉତ୍ତର-ପୂର୍ବ ଅଞ୍ଚଳ ସମେତ ୧୦ଟି ରାଜ୍ୟକୁ ‌ସତର୍କ କରାଇ ଦିଆଯାଇଥିବା ବେଳେ ରବିବାର ଦିନ ଭାରତରେ ୪୧,୮୩୧ ନୂତନ ସଂକ୍ରମଣ ଏବଂ ୫୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଶେଷଜ୍ଞଙ୍କ ଅନୁଯାୟୀ ଡେଲଟା ଭାରିଆଣ୍ଟ ହାଡ଼ଫୁଟି ଭଳି ସହଜରେ ବ୍ୟାପିଥାଏ ଏବଂ ଟିକା ନେଇଥିବା ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ।

୪୦ ହଜାର ତଳକୁ ଖସୁନି ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ପୁଣି ବଢ଼ିଛି। ଚଳିତ ମାସରେ ତୃତୀୟ ଲହର ଆସିଯିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ସାରିଥିବାବେଳେ ଗତ କିଛି ଦିନ ହେବ ଦେଶରେ ସଂକ୍ରମଣ ଯେଉଁଭଳି ବଢ଼ୁଛି ତାହା ଚିନ୍ତା ବଢ଼ାଇଛି। ମେ’ ମଧ୍ୟଭାଗ ପରେ ପ୍ରଥମ ଥର ପାଇଁ ଦେଶର ସାପ୍ତାହିକ ସଂକ୍ରମଣରେ ବୃଦ୍ଧି ହୋଇଛି। ରବିବାର ୧୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ ସଂକ୍ରମଣ ବଢ଼ିଛି। କେରଳରେ ଲଗାତାର ସଂକ୍ରମଣ ବଢ଼ୁଛି। ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମଣ ବଢ଼ୁଛି। ତେବେ ଗତ ସପ୍ତାହରେ ଦେଶରେ ମୋଟ୍‌ ୨,୭୬,୫୩୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ପୂର୍ବ ସପ୍ତାହ ତୁଳନାରେ ଗତ ସପ୍ତାହରେ ସଂକ୍ରମଣ ଅଧିକ ରହିଛି।

ପୂର୍ବ ସପ୍ତାହରେ ସଂକ୍ରମଣ ମାମଲା ୨,୬୭,୬୮୦ ଥିଲା। ସୋମବାର କେରଳରେ ୨୦,୭୨୮ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୬,୪୭୯, ଆନ୍ଧ୍ରପ୍ରଦେଶରେ ୨,୨୮୭, ତାମିଲନାଡ଼ୁରେ ୧୯୯୦ ଏବଂ କର୍ଣ୍ଣାଟକରେ ୧୮୭୫ ମାମଲା ଚିହ୍ନଟ ହୋଇଛି। ବିଶେଷଜ୍ଞମ‌ାନେ ତୃତୀୟ ଲହର ନେଇ ସତର୍କ କରାଉଥିଲେ ସୁଦ୍ଧା ଦୈନିକ ପଜିଟିଭ୍‌ ହାର ୫୬ ଦିନ ଧରି ୫ ପ୍ରତିଶତ ତଳେ ରହୁଛି। ଦେଶରେ ଆରୋଗ୍ୟ ହାର ୯୭.୩୫ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୪୦,୧୩୪ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୪୨୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୧୬,୯୫,୯୫୮। ଅନ୍ୟପକ୍ଷେ କୋଭିଡ୍‌ ମୃତ୍ୟୁସଂଖ୍ୟା ୪,୨୪,୭୭୩ରେ ପହଞ୍ଚିଥିବାବେଳେ ସକ୍ରିୟ ମାମଲା ୪,୧୩,୭୧୮ ରହିଛି। ଗତ ୨୪ ଘଣ୍ଟାରେ ୩୬,୯୪୬ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ମୋଟ୍‌ ୩,୦୮,୫୭,୪୬୭ ଜଣ କରୋନାରୁ ସୁସ୍ଥ ହେଲେଣି। ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ଏବେ ୨.୩୭ ପ୍ରତିଶତ ଏବଂ ଦୈନିକ ପଜିଟିଭ୍ ହାର ୨.୮୧ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର