ମାର୍ଚ ସୁଦ୍ଧା ଦେଶରେ ତୃତୀୟ ଲହର୍‌ ଥମିଯିବ: ‘ଆଇସିଏମ୍‌ଆର୍‌’ ଏ.ଡି.ଜି.

ପୁଣେ: ମହାରାଷ୍ଟ୍ର, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ଫେବ୍ରୁଆରି ଶେଷ ସୁଦ୍ଧା କୋଭିଡ୍‌-୧୯ର ତୃତୀୟ ପ୍ରବାହ ଥମିଯିବ ବୋଲି ଶୁକ୍ରବାର ଦିନ ‘ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍ ମେଡିକାଲ୍‌ ରିସର୍ଚ’ର (ଆଇସିଏମ୍‌ଆର୍‌) ଅତିରିକ୍ତ ମହାନିର୍ଦେଶକ ଡାକ୍ତର ସମୀରଣ ପଣ୍ଡା କହିଛନ୍ତି।

ସେ କହିଛନ୍ତି, ଉପରୋକ୍ତ ରାଜ୍ୟମାନେ ସମ୍ମୁଖୀନ ହୋଇଥିବା ଦ୍ରୁତ ସଂକ୍ରମଣ ବୃଦ୍ଧି, ଯାହା ସର୍ବୋଚ୍ଚସ୍ତରରେ ରହିଛି ତାହା ଚଳିତ ମାସ ଶେଷ ସୁଦ୍ଧା ନିମ୍ନସ୍ତରକୁ ଚାଲିଆସିବ। ମାର୍ଚ ସୁଦ୍ଧା ସମଗ୍ର ଦେଶରେ କୋଭିଡ୍‌ ସଂକ୍ରମଣ ମାମଲା ସାମଗ୍ରିକ ଭାବେ ହ୍ରାସ ପାଇବ ବୋଲି ମନେହୁଏ।

ମହାମାରୀବିତ୍‌ ଡାକ୍ତର ଚନ୍ଦ୍ରକାନ୍ତ ଲହରିୟା ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ଆଗାମୀ ୩/୪ ସପ୍ତାହରେ ସମଗ୍ର ଦେଶରେ ତୃତୀୟ ଲହର୍‌ର ଅବସାନ ଘଟିବ ବୋଲି ମନେହୁଏ। ସଂକ୍ରମଣ ମାମଲାରେ ୯୦% ରହି ଓମିକ୍ରନ୍ ପ୍ରାଧାନ୍ୟ ବିସ୍ତାର କରିଥିବା ବେଳେ ଡେଲ୍‌ଟା ସଂକ୍ରମଣ ମାତ୍ର ୧୦% ରହିଛି। ସମଗ୍ର ବିଶ୍ବରେ ଏବେ ସଂକ୍ରମଣ ମାମଲାର ଉତ୍ଥାନ ଓ ପତନ ଧାରା ଲାଗି ରହିଛି।

Image Courtesy of Business Standard

‘ଆଇସିଏମ୍‌ଆର୍‌’ କରିଥିବା ଗାଣିତିକ ମଡେଲ୍‌ଭିତ୍ତିକ ପ୍ରୋଜେକ୍‌ସନ୍‌ ଅନୁସାରେ, ଚଳିତ ମାସରେ ଉପରୋକ୍ତ ରାଜ୍ୟଗୁଡ଼ିକରେ ସମୁଦାୟ ସଂକ୍ରମଣ ମାମଲାର ଉତ୍ଥାନ ଓ ପତନ ଘଟିବ। ‘ଆଇସିଏମ୍‌ଆର୍‌’ ଏବଂ ‘ଇମ୍ପେରିଆଲ୍‌ କଲେଜ୍‌ ଲଣ୍ଡନ୍‌’ ବିକଶିତ କରିଥିବା ‘କ୍ରୋମିକ୍‌ ମଡେଲ୍‌’ରୁ ଅନୁମେୟ ଯେ, ଚଳିତ ବର୍ଷ ମାର୍ଚ ମଧ୍ୟ ଭାଗ ବେଳକୁ ଭାରତରେ କୋଭିଡ୍‌ ସ୍ଥାନୀୟ ରୋଗ ସ୍ତରକୁ ଚାଲିଆସିଥିବ।

ଏହି ମହାମାରୀ ସ୍ଥିର ଅବସ୍ଥାକୁ ମୁହାଁଉଛି ବୋଲି ରୋଗର ସାମଗ୍ରିକ ସଂକ୍ରମଣତା ସୂଚନା ଦେଉଛି। ଡାକ୍ତର ପଣ୍ଡା କହିଛନ୍ତି, ଭବିଷ୍ୟତରେ ଯଦି ‘ସାର୍ସ-କୋଭ୍‌-୨’ର ମାରାତ୍ମକ ଭେରିଏଣ୍ଟ୍‌ ପ୍ରକଟ ନ ହୁଏ, ପରିସ୍ଥିତି ନିୟନ୍ତ୍ରଣକୁ ଆସିପାରେ। ମହାମାରୀ ସମ୍ପ୍ରତି ଆଞ୍ଚଳିକ ରୋଗ ଅବସ୍ଥାକୁ ପରିବର୍ତ୍ତିତ ହେଉଥିବା ଲକ୍ଷ୍ୟ କରାଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଦ୍ୟ ଜାନୁଆରୀରେ ବହୁସଂଖ୍ୟକ ସଂକ୍ରମଣ ମାମଲା ରେଜିଷ୍ଟ୍ରି କରିଥିବା ରାଜ୍ୟ ଓ ଜିଲ୍ଲାଗୁଡ଼ିକରେ ଏବେ ସଂକ୍ରମଣ ହାର କ୍ରମଶଃ ହ୍ରାସ ପାଉଛି। ଦ୍ରୁତ ସଂକ୍ରମଣ ବୃଦ୍ଧି ଫେବ୍ରୁଆରି ଶେଷ ସୁଦ୍ଧା ଖସିବ ବୋଲି ଆମେ କହିପାରିବା।

ସମ୍ବନ୍ଧିତ ଖବର