ଇନ୍ଦୋର : ଇନ୍ଦୋର ବେଲେଶ୍ବର ମହାଦେବ ମନ୍ଦିରରେ ଗୁରୁବାର ଦିନ ରାମନବମୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମନ୍ଦିର ପରିସର ସ୍ଥିତ ଏକ ୪୦ ଫୁଟ ଗଭୀର କୂପ ଉପରେ ଥିବା ଛାତ ଅଚାନକ ଭୁଶୁଡ଼ି ପଡ଼ିବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ମନ୍ଦିରରେ ପ୍ରବଳ ଭିଡ଼ ସମୟରେ ଏହି ଦୁର୍ଘଟଣା ଘଟିଥିଲା ଏବଂ ଏକସଂଗରେ ପ୍ରାୟ ୪୦ ଜଣ ଶ୍ରଦ୍ଧାଳୁ କୂଅ ଭିତରକୁ ଖସିପଡ଼ିଥିଲେ। ସନ୍ଧ୍ୟା ସୁଦ୍ଧା ୧୩ଟି ଶବ ଉଦ୍ଧାର ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି। ଏବେ ବି ଆହୁରି କିଛି ଲୋକ କୂଅରେ ବୁଡ଼ି ରହିଥିବା ଆଶଙ୍କା କରାଯାଉଛି । ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଜି ମନ୍ଦିରରେ ସ୍ବତନ୍ତ୍ର ହୋମଯଜ୍ଞ କାର୍ଯ୍ୟକ୍ରମ ଚାଲିଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିଥିଲା।

Advertisment

୪୦ରୁ ଅଧିକ ଲୋକ ଉକ୍ତ କୂଅ ଛାତ ଉପରେ ବସିଥିଲେ ଏବଂ ଓଜନ ଅଧିକ ହେବାରୁ ଛାତ ଭୁଶୁଡ଼ି ପଡ଼ିଥିଲା । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଏହି ହୃଦୟବିଦାରକ ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ ଯେଉଁ ୧୩ ଜଣଙ୍କର ଶବ ଉଦ୍ଧାର ହୋଇଛି ସେମାନଙ୍କ ମଧ୍ୟରେ ୧୦ ଜଣ ମହିଳା ଅଛନ୍ତି।