ଏକ୍ସଚେଞ୍ଜରୁ ବିଜୁଳି କିଣିପାରିବେନି ୧୩ ରାଜ୍ୟ

ନୂଆଦିଲ୍ଲୀ : ବିଜୁଳି ଦେୟ ପ୍ରଦାନରେ ବିଳମ୍ବ ଯୋଗୁ ୧୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଏବେ ଅଡ଼ୁଆରେ ପଡ଼ିଛନ୍ତି। ନୂଆ ନିୟମ ଅନୁଯାୟୀ ବକେୟା ରାଶି ନଦେବା ପର୍ଯ୍ୟନ୍ତ ଏହି ରାଜ୍ୟଗୁଡ଼ିକ ସ୍ପଟ୍‌ ପାୱାର ଏକ୍ସଚେଞ୍ଜ ସହିତ ବିଜୁଳି କିଣାବିକା କରିପାରିବେନି। ଏସବୁ ରାଜ୍ୟର ବଣ୍ଟନ କମ୍ପାନି ଗୁଡ଼ିକ ବିଦ୍ୟୁତ ଉତ୍ପାଦନକାରୀଙ୍କର ପ୍ରାୟ ୫୧୦୦ କୋଟି ଟଙ୍କା ବାକି ରଖିଛନ୍ତି। ସେହି ରାଜ୍ୟଗୁଡ଼ିକ ହେଲେ ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ତେଲେଙ୍ଗାନା, କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ, ମଣିପୁର ଏବଂ ମିଜୋରାମ।

ତେଲେଙ୍ଗାନା ଉପରେ ସର୍ବାଧିକ ୧୩୮୦ କୋଟି ଟଙ୍କା ବାକି ରହିଛି। ବିଦ୍ୟୁତ (ବିଳମ୍ବ ପଇଠ ସରଚାର୍ଜ ଓ ଏ ସଂପର୍କିତ ପ୍ରସଙ୍ଗ) ନିୟମ-୨୦୨୨ ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଛି। ୧୨ ରାଜ୍ୟ ଏବଂ ଜମ୍ମୁ କାଶ୍ମୀରର ୨୭ଟି ବଣ୍ଟନ କମ୍ପାନିକୁ ବିଜୁଳି ନଦେବା ପାଇଁ ପାୱାର ସିଷ୍ଟମ ଅପରେସନ କୋଅପରେସନ ଲିମିଟେଡ (ପୋସୋକୋ) ୩ଟି ପାୱାର ଏକ୍ସଚେଞ୍ଜ ଯଥା ଇଣ୍ଡିଆ ଏନର୍ଜି ଏକ୍ସଚେଞ୍ଜ (ଆଇଇଏକ୍ସ), ପାୱାର ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (ପିଏକ୍ସଆଇଏଲ) ଏବଂ ହିନ୍ଦୁସ୍ତାନ ପାୱାର ଏକ୍ସଚେଞ୍ଜ (ଏଚପିଏକ୍ସ)କୁ ଚିଠି ଲେଖିଛି। ୧୯ ତାରିଖରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ଚଳିତବର୍ଷ ଜୁନରେ ଉକ୍ତ ନିୟମ କାର୍ଯ୍ୟକାରୀ କରାଯାଇଛି। ନୂଆ ନିୟମ କାର୍ଯ୍ୟକାରୀ ହେବା ପରେ ଗୋଟିଏ କିମ୍ବା ଦୁଇଟି ରାଜ୍ୟ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। କିନ୍ତୁ ପରେ ତାହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ତେଣୁ ଏତେ ସଂଖ୍ୟକ ରାଜ୍ୟ ବିରୋଧରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସମ୍ବନ୍ଧିତ ଖବର