୧୩ ରାଜ୍ୟ ବନ୍ୟା ପ୍ରଭାବିତ, ଚଳିତ ମୌସୁମୀରେ ୭୦୦ ମୃତ

ନୂଆଦିଲ୍ଲୀ: ଚଳିତ ମୌସୁମି ଋତୁ ଗତ ବର୍ଷର ମୌସୁମୀ ଅପେକ୍ଷା ଅଧିକ ବିପଜ୍ଜନକ ହୋଇଛି। ବର୍ଷା‌ ଯୋଗୁଁ ବିଭିନ୍ନ ରାଜ୍ୟରେ ବନ୍ୟା ଅତି ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଦେଶରେ ଏବେ ୧୩ଟି ରାଜ୍ୟ ବନ୍ୟା ପ୍ରଭାବିତ ହୋଇଛି। ଜୁଲାଇ ୨୭ ସନ୍ଧ୍ୟା ସୁଦ୍ଧା ଦେଶରେ ବନ୍ୟାଜନିତ କାରଣ ପାଇଁ ୭୦୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କେବଳ ଗତ ସପ୍ତାହରେ ୨୦୦ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବିଭିନ୍ନ ରାଜ୍ୟରେ ବନ୍ୟା ସ୍ଥିତି ଦିନକୁ ଦିନ ଅଧିକ ଜଟିଳ ‌ହେଉଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି କୁହ‌ାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ବନ୍ୟା ପ୍ରବଣ ରାଜ୍ୟଗୁଡ଼ିକରେ ଉଦ୍ଧାର ଏବଂ ରିଲିଫ୍‌ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ବନ୍ୟା ପ୍ରଭାବିତ ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ ୧୨୭ଟି ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି।

ବନ୍ୟା ଯୋଗୁଁ ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ୧୮୨ ଜଣଙ୍କ ମୃତ୍ୟୁ ହୋଇଛି। ଆସାମ ଏବଂ ବିହାରରେ ମଧ୍ୟ ଅତି ଭୟଙ୍କର ସ୍ଥିତି ଉପୁଜିଛି। ଏହି ୨ଟି ରାଜ୍ୟରେ ୧୧୫ରୁ ଅଧିକଙ୍କ ବନ୍ୟା ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ ଛତିଶଗଡ଼ ଏବଂ ମେଘାଳୟରେ ଯଥାକ୍ରମେ ୧୯ ଏବଂ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଆସାମ ଏବଂ ବିହାରରେ ୮୦ ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ଆସାମରେ ପ୍ରାୟ ଦେଢ଼ ଲକ୍ଷ ଲୋକ ୫୬୦ଟି ବନ୍ୟା ରିଲିଫ୍‌ ଶିବିରରେ ରହିଛନ୍ତି। ତେବେ ବନ୍ୟା ‌ଯୋଗୁଁ ପଂଜାବରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନାନୁଯାୟୀ ସମସ୍ତ ରାଜ୍ୟ ବନ୍ୟା ସ୍ଥିତି ସମ୍ପର୍କରେ ପ୍ରତିଦିନ କେନ୍ଦ୍ରକୁ ରିପୋର୍ଟ କରିଥାନ୍ତି। ତେବେ ଗତ ସୋମବାର ଦିନ ୯ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ‌ସରକାରଙ୍କୁ କୌଣସି ରିପୋର୍ଟ ଦେଇନାହାନ୍ତି। ସେହିପରି ଅନ୍ୟ କେତେକ ରାଜ୍ୟ ମଧ୍ୟ ସଠିକ୍‌ ଭାବେ ବନ୍ୟା ସ୍ଥିତି ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ କରୁନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର