ନାବାଳିକାକୁ ଉଦ୍ଧାର କରିବାକୁ ଯାଇ କୂଅରେ ଖସିପଡ଼ିଲେ ୩୦ ଜଣ, ୫ ମୃତ

ଭୋପାଳ : ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। କୂଅରେ ପଡ଼ି ଯାଇଥିବା ଏକ ନାବାଳିକା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୩୦ ଜଣ କୂଅକୁ ଖସି ପଡ଼ିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଜିଲ୍ଲା ମୁଖ୍ୟାଳୟରଠାରୁ ୫୦ କିମି ଦୂର ଗଂଜ ବସୋଦାରେ ଏହି ଘଟଣା ଘଟିଛି।

ଗତକାଲି ସନ୍ଧ୍ୟାରେ ଜଣେ ୮ ବର୍ଷର ଶିଶୁ ଏକ କୂଅରେ ଖସି ପଡ଼ିଥିଲା। ତାକୁ ଉଦ୍ଧାର କରିବାପାଇଁ ଗ୍ରାମର ପ୍ରାୟ ୫୦ରୁ ଅଧିକ ଲୋକ କୂଅ ପାଖରେ ରୁଣ୍ଡ ହୋଇଯାଇଥିଲେ। ତେବେ କୂଅର ଏକ ଅଂଶ ଭୁଶୁଡ଼ିଯିବାରୁ ପ୍ରାୟ ୩୦ ଜଣ କୂଅ ମଧ୍ୟକୁ ଖସି ପଡ଼ିଥିଲେ। ୧୦ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୫ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌ ଏବଂ ଏସଡିଆରଏଫ୍‌ ମଧ୍ୟ ମୁତୟନ ହୋଇଛନ୍ତି।

ମିଳିଥିବା ସୂଚନାନୁଯାୟୀ ଗତ ରାତିରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଏକ ଟ୍ରାକ୍ଟର ସହ ୪ ଜଣ ପୁଲିସ ମଧ୍ୟ କୂଅ ମଧ୍ୟକୁ ଖସି ପଡ଼ିଥିଲେ। ମଧ୍ୟପ୍ର‌ଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ମଧ୍ୟପ୍ରଦେଶ ସରକାର ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋ‌ଷଣା କରିଛନ୍ତି। ଅନ୍ୟପକ୍ଷେ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଏବଂ ମାଗଣା ଚିକିତ୍ସା ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର