ନୂଆଦିଲ୍ଲୀ: ଟିକା ନେବାର ୬ ମାସ ପରେ ୩୦% ଲୋକଙ୍କର ଆଣ୍ଟିବଡି ସ୍ତର ଓ ପ୍ରତିରୋଧକତା କମିଯାଉଛି। ଏହି ୩୦% ହେ‌ଉଛନ୍ତି ଉଚ୍ଚ ରକ୍ତଚାପ, ଡାଇବେଟିସ୍ ପରି ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିବା ବୟସ୍କ ଲୋକ। ବାକି ୭୦% ଯୁବବର୍ଗଙ୍କ ପ୍ରତିରୋଧକତା ୬ ମାସ ପରେ ବି ଅକ୍ଷୁଣ୍ଣ ରହୁଛି। ହାଇଦ୍ରାବାଦର ଏଆଇଜି ହସ୍ପିଟାଲ ଏବଂ ଏସିଆନ ହେଲ୍‌ଥ କେୟାର ଫାଉଣ୍ଡେସନ ଗବେଷଣାରୁ ଉକ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ୧,୬୩୬ ଜଣ ସମ୍ପୂର୍ଣ୍ଣ ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ଏହି ଅନୁଧ୍ୟାନ କରାଯାଇଥିଲା। ୬ ମାସରେ ପ୍ରତିରୋଧକତା ହରାଉଥିବା ବୟସ୍କ ଲୋକମାନେ ୬ ମାସ ପରେ ସଂକ୍ରମିତ ହେବାର ସମ୍ଭାବନା ଅଧିକ। ତେଣୁ ସେମାନଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ଉଚିତ ବୋଲି ଅନୁଧ୍ୟାନର ନିଷ୍କର୍ଷ ଭାବେ ମତ ପ୍ରଦାନ କରାଯାଇଛି।

Advertisment

ବର୍ତ୍ତମାନ ୯ ମାସ ପରେ ୬୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ବୁଷ୍ଟର ନେଇପାରିବ ବୋଲି ସରକାର ନିୟମ କରିଛନ୍ତି। କିନ୍ତୁ ଏହା ସେହି ୭୦ ପ୍ରତିଶତ ଯୁବବର୍ଗଙ୍କୁ ସୁରକ୍ଷା ଦେଇପାରିବ ଯେଉଁମାନଙ୍କ ପ୍ରତିରୋଧକତା ୬ ମାସ ପରେ ବି ରହୁଛି। ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିବା ବୟସ୍କମାନଙ୍କୁ ୬ ମାସ ପରେ ବୁଷ୍ଟର ଦେବା ଉଚିତ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି।